ଭୁବନେଶ୍ୱରରେ ୧୫ଟି ଘରକୁ ବେଶ୍ୟାଳୟ ଘୋଷଣା କରିବ କମିଶନରେଟ ପୋଲିସ ! ଜାଣନ୍ତୁ ଏହା ପଛର କାରଣ

49

କନକ ବ୍ୟୁରୋ : କମିଶନରେଟ ପୁଲିସ ହାତରେ ବେଶ୍ୟାଳୟର ତାଲିକା । ସେକ୍ସ ରାକେଟ ଠାବ ହୋଇଥିବା ଘର ଗୁଡିକୁ ବେଶ୍ୟାଳୟ ଘୋଷଣା କରିବା ପାଇଁ ତିଆରି କରିଛି ବ୍ଲୁ ପ୍ରିଂଟ । ପୁଲିସ କମିଶନର ୱାଇ.ବି. ଖୁରାନିଆଙ୍କ ନିର୍ଦେଶ କ୍ରମେ ଭୁବନେଶ୍ୱରେ ୭ଟି ଓ କଟକରେ ଗୋଟିଏ ଘରକୁ ବେଶ୍ୟାଳୟ ଘୋଷଣା ସରିଛି । ଆଉ ଏବେ ସେକ୍ସ ରାକେଟ ଧରା ପଡିଥିବା ୧୮ଟି ଘର ଭିତରୁ ୧୮ଜଣ ଘର ମାଲିକଙ୍କୁ ନୋଟିସ ବି ଜାରି କରିସାରିଛି ପୁଲିସ । ତେବେ ପ୍ରାଥମିକ ପର୍ଯ୍ୟାୟରେ ଘର ମାଲିକ ମାନେ ନିଜ ନିଜର ପକ୍ଷ ରଖି ସାରିଛନ୍ତି । ସେଗୁଡିକ ମଧ୍ୟରୁ ମୋଟ ୧୫ଟି ଘରକୁ ବେଶ୍ୟାଳୟ ଘୋଷଣା କରିବାକୁ ପ୍ରସ୍ତୁତ କରୁଛି ପୁଲିସ ।

ଜାଣିଶୁଣି ବାରମ୍ବାର ଘରେ ସେକ୍ସ ର୍ୟାକେଟ ଚଳାଉଥିବା ଘର ମାଲିକଙ୍କୁ – ଇମୋରାଲ ଟ୍ରାଫିକ ପ୍ରିଭେନଟିବ୍ ଆକ୍ଟ ୧୯୫୬ର ଧାରା ୧୮ ଅନୁଯାୟୀ, ଘର ଗୁଡିକୁ ବେଶ୍ୟାଳୟ ଘୋଷଣା କରିଛି କମିଶନରେଟ ପୁଲିସ । ଆଇନ ଅନୁଯାୟୀ ଘରୁ ନାବାଳିକା ଉଦ୍ଧାର ହେଲେ ୩ ବର୍ଷ ପାଇଁ ସିଲ୍ ହେବ ସେହି ଘର । ସେହିପରି ପ୍ରାପ୍ତ ବୟସ୍କାଙ୍କ ପାଇଁ ୧ ବର୍ଷ ପାଇଁ ଘରେ ତାଲା ପକାଇବ କମିଶନରେଟ ପୁଲିସ ।

ପୁର୍ବରୁ ବ୍ୟିୁଟି ପାର୍ଲର, ହୋଟେଲ, ଗେଷ୍ଟ ହାଉସ ଏବଂ ଘର ଗୁଡିକୁ ବେଶ୍ୟାଳୟ ଘୋଷଣା କରି ପୁଲିସ ବର୍ଷେ ଯାଏଁ ତାଲା ଝୁଲାଇଥିଲା । ଏବେ ଆଉ ୧୫ଟି ଜାଗାକୁ ଖୁବଶୀଘ୍ର ବେଶ୍ୟାଳୟ ଘୋଷଣା କରିବାକୁ ଯାଉଛି ପୁଲିସ । ରାଜଧାନୀରେ ଦିନକୁ ଦିନ ସେକ୍ସ ରାକେଟର କଳା କାରନାମ ବୃଦ୍ଧି ପାଉଥିବା ବେଳେ ଏହା ଉପରେ ଅଙ୍କୁଶ ଲଗାଇବା ପାଇଁ ଜୋରଦାର ଅଭିଯାନ ଆରମ୍ଭ କରିଛି କମିସନରେଟ ପୁଲିସ ।