ଏମିତି ଆମ ସ୍ୱାସ୍ଥ୍ୟ ବ୍ୟବସ୍ଥା: ରୋଗୀ ସେବା ବଦଳରେ ଡାକ୍ତରଖାନରେ ଚାଲିଛି ଧାନ ବେପାର

36

କନକ ବ୍ୟୁରୋ : ଡାକ୍ତରଖାନାରେ ଧାନ ବେପାର । ରୋଗୀଙ୍କୁ ସେବା ଯୋଗାଇବା ବଦଳରେ ଧାନ ବେପାରରେ ମାତିଛନ୍ତି ଏଏନଏମ୍ । ଡାକ୍ତରଖାନାରେ ଧାନ ଗୋଦାମ ହୋଇଛି । ଏଭଳି ଅଜବ ଦୃଶ୍ୟ ଦେଖିବା ପାଇଁ ମିଳିଛି ସୁବର୍ଣ୍ଣପୁର ବଡକର୍ଲେ ଉପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ।

ପିଠିରେ ଧାନବସ୍ତା ଲଦି ଟ୍ରକରେ ଲୋଡ କରୁଛନ୍ତି ଶ୍ରମିକ । ଜଣେ କି ଦୁଇ ଜଣ ନୁହେଁ ପ୍ରାୟ ୨୦ ଜଣ ଶ୍ରମିକ ଧାନ ଲୋଡିଂ କାମରେ ଲାଗିଛନ୍ତି । ଘର ଭିତରେ ଲାଟ୍ ମରାହୋଇଛି ଶହଶହ ଧାନବସ୍ତା । ଆପଣ ଭାବୁଥିବେ ଆମେ କୌଣସି ଧାନମଣ୍ଡିର କଥା କହୁଛୁ । କିନ୍ତୁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଡୁଙ୍ଗୁରିପାଲି ବ୍ଲକ ବଡକର୍ଲେ ସ୍ୱାସ୍ଥ୍ୟ ଉପକେନ୍ଦ୍ରର । ଯେଉଁଠି ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ନିୟୋଜିତ ଏଏନଏମ୍ ଚଳାଇଛନ୍ତି ଧାନ ବେପାର । ପରିବାର ସହ ଡାକ୍ତରଖାନାରେ ରହିବା ସହ ଧାନ ବେପାର ଚଳାଇଛନ୍ତି ସଂପୃକ୍ତ ଏଏନଏମ ।

ସ୍ୱାସ୍ଥ୍ୟକେନ୍ଦ୍ରର ଗୋଟିଏ ଘରେ ଧାନବସ୍ତା ରଖିବା ସହ ଅନ୍ୟଟିରେ ପରିବାର ସହ ରହୁଛନ୍ତି ମିନତୀ । ଏହାସହ ଡାକ୍ତରଖାନା ପାଇଁ ଥିବା ସାରଜାଂମକୁ ବ୍ୟବହାର କରୁଛନ୍ତି । ସେହିଠାରେ ରୋଗୀଙ୍କୁ ଦେଖି ଟଙ୍କା ମାଗିବା ସହ ଏକ୍ସପାରୀ ମେଡିସିନ ଦେଉଥିବା ଅଭିଯୋଗ ହୋଇଛି । ଏନେଇ ଗାଁରେ ପଚାଂୟତ ବସି ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଛି । ସେପଟେ ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲା ଚିକିତ୍ସାଧିକାରୀ । ସୁବର୍ଣ୍ଣପୁର ଜିଲ୍ଲାରେ ସ୍ୱାସ୍ଥ୍ୟସେବା ଭୂଷୁଡି ପଡିଛି । ଅନେକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନଥିବା ବେଳେ ଗୁଡାଏ ଉପକେନ୍ଦ୍ର ବନ୍ଦ ପଡିଛି । ଯାହା କିଛି ଚାଲିଛି ତାକୁ ନିଜ ବ୍ୟବହାରରେ ଲଗାଉଛନ୍ତି ସ୍ୱାସ୍ଥ୍ୟକର୍ମୀ । ଡାକ୍ତରଖାନାରେ ଧାନ ବେପାର ନେଇ ଏବେ ସାଧାରଣରେ ଉତ୍ତେଜନା ଦେଖା ଦେଇଛି ।