ସ୍କୁଲରେ ଏକ ଘଂଟା ଅଧିକ ରହିବେ ସରକାରୀ ଶିକ୍ଷକ ! ଉପକୃତ ହେବେ ପାଠରେ ଦୁର୍ବଳ ଥିବା ଛାତ୍ରଛାତ୍ରୀ

50

ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସରକାର ଅନେକ ବ୍ୟବସ୍ଥା ଲାଗୁ କରୁଛନ୍ତି । ସରକାରୀ ସ୍କୁଲରେ ଧୀରେ ଧୀରେ ଶିକ୍ଷାର ମାନ ହ୍ରାସ ହେଉଛି ବୋଲି ବିଭିନ୍ନ ଅଭିଯୋଗ ହେଉଛି । ଶିକ୍ଷକ ଓ ଶିକ୍ଷା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ । କିନ୍ତୁ ବର୍ତ୍ତମାନ ସମୟରେ ଶିକ୍ଷା ଓ ଶିକ୍ଷକଙ୍କ ମଧ୍ୟରେ ତାଳମେଳ ରହୁନାହିଁ । ଶିକ୍ଷା ଓ ଶିକ୍ଷକ ଯେପରି ବିପରୀତ ଦିଗକୁ ଯାଉଛନ୍ତି ସେପରି ପ୍ରତୀୟମାନ ରହୁଛି । ବର୍ତ୍ତମାନ ଶିକ୍ଷାକୁ ଡିଗ୍ରି ସହ ତୁଳନା କରାଯାଉଛି । ତେବେ ସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ଶିକ୍ଷାନୀତିରେ ପରିବର୍ତ୍ତନ କରୁଛନ୍ତି । ତଥାପି ସେପରି କିଛି ଆଖିଦୃଶିଆ ଫଳ ଦେଖିବା ପାଇଁ ମିଳୁନାହିଁ ।

ତେବେ ନିକଟରେ ଶିକ୍ଷା ବିଭାଗ ତରଫରୁ ନୂଆ ସର୍କୁଲାର ପ୍ରସ୍ତୁତ କରାଯାଇଛି । ଯେଉଁଠି ସରକାରୀ ଶିକ୍ଷକଙ୍କୁ ସ୍କୁଲ ପିଲାଙ୍କ ଛୁଟି ପରେ ଅଧିକ ଏକ ଘଂଟା ରହିବା ପାଇଁ ପଡ଼ିବ । ସୂଚନା ଅନୁସାରେ ଯେଉଁ ପିଲାମାନେ କ୍ଲାସରେ ଭଲରେ ପାଠ ବୁଝି ପାରୁନାହାନ୍ତି, ସେମାନଙ୍କ ପାଇଁ ଏହି ଏକ ଘଂଟା ସମୟ ରହିବ । ଉକ୍ତ ଛାତ୍ରଛାତ୍ରୀମାନେ ଏହି ଘଂଟା ସମୟରେ ଶିକ୍ଷକଙ୍କୁ ବୁଝି ନଥିବା ପାଠ ପଚାରି ବୁଝିପାରିବେ । ଏହି ନିୟମ ସମସ୍ତ ସରକାରୀ ସ୍କୁଲ ଗୁଡ଼ିକ ପାଇଁ ଲାଗୁ ରହିବ । ତେବେ ଏହି ନିୟମ ଚଣ୍ଡୀଗଡ଼ରେ ଲାଗୁ ହେବାକୁ ଯାଉଛି ।

ଚଣ୍ଡୀଗଡ଼ରେ ଛୁଟି ପରେ ବି ପାଠରେ ଦୁର୍ବଳ ଥିବା ଛାତ୍ରଛାତ୍ରୀ ଯଦି ଅଧିକ ସମୟ ରୁହନ୍ତି, ତେବେ ତାଙ୍କ ପାଇଁ ସୁବିଧା ହେବ । କୌଣସି ଅସୁବିଧା ଥିଲେ ବିନା ଦ୍ୱିଧାରେ ସେମାନେ ପଚାରି ପାରିବେ । ରାଇଟ ଟୁ ଏକ୍ସୁକେସନ ଆକ୍ଟ ଅନୁସାରେ ଜଣେ ଶିକ୍ଷକଙ୍କୁ ସପ୍ତାହରେ ୪୨ ଘଂଟା ସ୍କୁଲରେ ରହିବା ଜରୁରୀ । ତେଣୁ ଏଡଥିପାଇଁ ଶିକ୍ଷକଙ୍କୁ ଅଧିକ ୭ ଘଂଟା ଦେବାକୁ ପଡ଼ିବ । ଶିକ୍ଷକଙ୍କୁ ସ୍କୁଲରେ ଅତିରିକ୍ତ ଏକ ଘଂଟା ରହିବାର ପ୍ରସ୍ତାବ ପ୍ରସ୍ତୁତ ହୋଇସାରିଛି । ଏହାକୁ ବିଭାଗର ସମସ୍ତ ଅଧିକାରୀ ମଞ୍ଜୁରୀ ଦେଇସାରିଛନ୍ତି । ଜୁନ ମାସର ଶେଷ ସପ୍ତାହରେ ଏହାକୁ ସ୍କୁଲ ପାଇଁ ସର୍କୁଲାର ଅନୁସାରେ ଜାରି କରିଦିଆଯିବ । ଆଉ ଏହି ସର୍କୁଲାର ଜାରି ହେବା ପରେ ସମସ୍ତ ସର୍କୁଲରେ ଶିକ୍ଷକଙ୍କୁ ଏହି ନିୟମ ମାନିବା ପାଇଁ ପଡ଼ିବ ।

ତେବେ ଏହି ପ୍ରସ୍ତାବରେ ଶିକ୍ଷା ବିଭାଗର ୟୁନିୟନ୍ ବିରୋଧ କରୁଛି । ୟୁନିୟନର ପ୍ରେସିଡ଼େଂଟ ଦାବି କରିଛନ୍ତି ଛୁଟି ପରେ ଯଦି ସମସ୍ତ ପିଲା ପଳାଇ ଯାହାନ୍ତି, ତେବେ ସ୍କୁଲରେ ଶିକ୍ଷକମାନେ ଅଧିକ ଏକ ଘଂଟା ରହିବା କିଛି ଜରୁରୀ ନାହିଁ । ତେବେ ଆଗକୁ ଏହି ନୂଆ ସର୍କୁଲାର ଦ୍ୱାରା ପିଲାମାନେ କେତେ ଉପକୃତ ହେଉଛନ୍ତି ଦେଖିବା ପାଇଁ ବାକି ରହିବ ।