ପୁଲୱାମା ଆତଙ୍କୀ ହମଲାକୁ ନେଇ ଆମେରିକା ରାଷ୍ଟ୍ରପତିଙ୍କ ପ୍ରତିକ୍ରିୟା: କହିଲେ ଏହା ଭୟଙ୍କର ଘଟଣା, ପରିସ୍ଥିତି ଉପରେ ରହିଛି ନଜର

ଦୋଷୀଙ୍କୁ ଦଣ୍ଡ ଦେବାକୁ ପାକିସ୍ତାନକୁ କହିଲେ ଷ୍ଟେଟ ଡିପାର୍ଟମେଂଟ ଡେପୁଟୀ ସେକ୍ରେଟାରୀ

240

କନକ ବ୍ୟୁରୋ: ଜମ୍ମୁକଶ୍ମୀର ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହି ଆକ୍ରମଣକୁ ଭୟଙ୍କର ଘଟଣା ବୋଲି କହିଛନ୍ତି ଟ୍ରମ୍ପ । ଏହା ସହିତ ଘଟଣା ଉପରେ ନଜର ରଖିଛନ୍ତି ଓ ଏନେଇ ଏକ ଷ୍ଟେଟମେଂଟ ଜାରି କରିବେ ବୋଲି ଓଭାଲ ହ୍ୱାଇଟ ହାଉସ ଅଫିସରେ କହିଛନ୍ତି ଆମେରିକା ରାଷ୍ଟ୍ରପତି । ଏହା ସହିତ ୟୁଏସଏ ଷ୍ଟେଟ୍ ଡିପାର୍ଟମେଂଟ ଡେପୁଟୀ ସ୍ପୋକ୍ସପର୍ସନ ରବର୍ଟ ପାଲାଡିନୋ ଭାରତକୁ ଦୃଢ଼ ସମର୍ଥନ ଜଣାଇଛନ୍ତି । ଏବଂ ଏହି ଆକ୍ରମଣ ଘଟଣା ପାଇଁ ଦାୟୀ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପାକିସ୍ତାନକୁ କହିଛନ୍ତି ।

 

ପୂର୍ବରୁ ଆମେରିକା ଜାତୀୟ ସୁରକ୍ଷା ପରାମର୍ଶଦାତା ଜନ ବଲଟନ ଭାରତକୁ ସମର୍ଥନ କରିବା ସହ ଆତ୍ମରକ୍ଷା କରିବାର ଅଧିକାର ରହିଛି ବୋଲି କହିଥିଲେ । ୧୪ତାରିଖରେ ପୁଲୱାମାରେ ଜୈଶ-ଇ-ଆତଙ୍କବାଦୀ ଆକ୍ରମଣରେ ୪୦ଜଣ ଯବାନ ସହିଦ ହୋଇଥିଲେ । ଏହି ଆକ୍ରମଣର ଶହେ ଘଂଟା ଭିତରେ ଆକଙ୍କୀ ହମଲାର ପ୍ରତିଶୋଧ ନେଇଛନ୍ତି । ଆତଙ୍କବାଦୀ ଲୁଚି ରହିଥିବା ଘରକୁ ସେନା ଉଡାଇ ଦେଇଥିବା ବେଳେ ଯବାନ ଗୁଳିରେ ୩ ଆତଙ୍କବାଦୀ ନିପାତ ହୋଇଥିଲେ । ଆତଙ୍କୀଙ୍କ ଗୁଳରେ ଜଣେ ମେଜରଙ୍କ ସମେତ ୫ ଜଣ ଯବାନ ସହିଦ ହୋଇଥିଲେ ।

ଅନ୍ୟପଟେ,କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ପାକିସ୍ତାନକୁ କଡା ସମାଲୋଚନା କରିଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲି । ଭାରତର ଆତଙ୍କବାଦ ବିରୋଧୀ ଅଭିଯାନକୁ ବିଶ୍ୱର ବହୁ ଦେଶ ସମର୍ଥନ କରୁଥିବା ବେଳେ ପୁଲୱାମା ଆକ୍ରମଣ ଘଟଣାକୁ ପାକିସ୍ତାନ ନିନ୍ଦା ବି କରିବାକୁ ଉଚିତ ମନେ କରି ନାହିଁ ବୋଲି ଜେଟଲି କହିଛନ୍ତି ।

ସେପଟେ, ଭାରତକୁ ଭାଷଣ ଦେବା ପରିବର୍ତେ ଆତଙ୍କୀ ମସୁଦ ଅଜହରକୁ ହସ୍ତାନ୍ତର କରୁ ପାକିସ୍ତାନ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବୟାନକୁୁ କଡ଼ା ଭାଷାରେ ଭତ୍ସନା କରି ଏଭଳି କହିଛନ୍ତି ପଂଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମ୍ରିନ୍ଦର ସିଂ । ଏହା ସହ ଅମ୍ରିନ୍ଦର କହିଛନ୍ତି ଜୈସ-ଏ- ମହମ୍ମଦର ପ୍ରମୁଖ ମସୁଦ ଅଜହର ବହାବଲପୁରରେ ରହି ଆଇଏସଆଇ ସାହାଯ୍ୟରେ ଆକ୍ରମଣ କରୁଛି । ତାକୁ ସେଠାରୁ ଉଠାଇ ଆଣି ଭାରତକୁ ହସ୍ତାନ୍ତର କର ଓ ଯଦି ଏତିକି କରିପାରୁନ ତେବେ ଆମକୁ କୁହ ବୋଲି ସେ କହିଛନ୍ତି । ୨୬/୧୧ ମୁମ୍ବାଇ ହମଲାରେ ଭାରତ ଠୋସ ପ୍ରମାଣ ଦେବା ସତ୍ୱେ କୌଣସି ପଦକ୍ଷେପ ଉଠାନଥିବା ପାକିସ୍ତାନ ଏଥରକ ପୁଣି କି ପ୍ରମାଣ ମାଗୁଛି ବୋଲି ସେ କହିଛନ୍ତି ।