କୋର୍ଟରେ ପହଞ୍ଚିଲେ ବାବାଙ୍କ ଲାଡଲି ! ରିମାଣ୍ଡରେ ନେବାକୁ ପୋଲିସର ଆବେଦନ

21

କୋର୍ଟରେ ହାଜର ହେଲେ ବାବାଙ୍କ ଲାଡଲି ହନିପ୍ରୀତ । କୋର୍ଟରେ ହାଜର ହେବା ପରେ ହନିପ୍ରୀତଙ୍କୁ ୧୪ ଦିନିଆ ରିମାଣ୍ଡରେ ନେବାକୁ ହରିୟାଣା ପୋଲିସ ଆବେଦନ କରିଛି । କିନ୍ତୁ କୋର୍ଟ ୬ ଦିନିଆ ରିମାଣ୍ଡରେ ହନିପ୍ରୀତଙ୍କୁ ନେବାକୁ ପୋଲିସକୁ ଅନୁମତି ଦେଇଥିଲେ ।ହନିପ୍ରୀତ ମଧ୍ୟ ଜାମିନ ପାଇବାକୁ କୋର୍ଟରେ ଆବେଦନ କରିପାରନ୍ତି । ହନିପ୍ରୀତଙ୍କ ବିରୋଧରେ ଦେଶଦ୍ରୋହ ଓ ଦଙ୍ଗା ପାଇଁ ଷଡଯନ୍ତ୍ର ଭଳି ସଂଗୀନ ମାମଲା ରହିଛି । ପଂଜାବର ଜିରକପୁର-ପାଟିଆଲା ରୋଡ ମଝିରେ ରାମରହିମଙ୍କ ପାଳିତା କନ୍ୟା ହନିପ୍ରୀତକୁ ଗତକାଲି ଗିରଫ କରିଥିଲା ହରିୟାଣା ପୁଲିସ । ପୂର୍ବରୁ ହନିପ୍ରୀତଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରି ଆତ୍ମସର୍ମପଣ କରିବାକୁ ପରାମର୍ଶ ଦେଇଥିଲେ ଦିଲ୍ଲୀ ହାଇକୋର୍ଟ ।

ଏହା ପରେ ହନିପ୍ରୀତ, ପଂଜାବ-ହରିୟାଣା ହାଇକୋର୍ଟରେ ଆତ୍ମସମର୍ପଣ କରିବା ପାଇଁ ପ୍ରସ୍ତୁତ ହେଉଥିଲେ । ତେବେ ଆତ୍ମସମର୍ପଣ କରିବା ପୂର୍ବରୁ ତାଙ୍କୁ ଗିରଫ କରାଯାଇଛି । ଗତକାଲି ଜୀରକପୁର-ପଟିଆଲା ରୋଡ ଦେଇ ହନିପ୍ରୀତଙ୍କ କାର ଚଣ୍ଡୀଗଡ଼ ଆଡକୁ ଯାଇଥିବା ଖବର ପାଇଥିଲା ପୁଲିସ । ଏହାପରେ ତାଙ୍କୁ ପିଛା କରିଥିଲା ହରିୟାଣା ପୁଲିସର ସ୍ୱତନ୍ତ୍ର ଟିମ୍ । ବାରମ୍ବାର ବେଶ ବଦଳାଇ ପୁଲିସକୁ ଚକମା ଦେଉଥିବା ହନିପ୍ରୀତଙ୍କ ପାଇଁ ଏଥର ସବୁ ରାସ୍ତା ବନ୍ଦ ହୋଇଯାଇଥିଲା । ହାଇକୋର୍ଟରେ ଆତ୍ମସମର୍ପଣ କରିବା ପୂର୍ବରୁ ପୁଲିସ ପଂଝାରେ ପଡିଥିଲେ ହନିପ୍ରୀତ । ଗତକାଲି ଦୀର୍ଘ ୩୮ ଦିନର ଲୁଚକାଳି ଖେଳ ପରେ ଏକ ନ୍ୟୁଜ ଚ୍ୟାନେଲରେ ମୁହଁ ଖୋଲିଥିଲେ ହନିପ୍ରୀତ । ତାଙ୍କୁ ଫଶାଯାଉଥିବା ସେ କହୁଥିଲେ । ଗଣମାଧ୍ୟମରେ ତାଙ୍କୁ ଯେମିତି ଚିତ୍ରର କରାଯାଉଛି ବାସ୍ତବରେ ସେ ସେମିତି ନୁହଁନ୍ତି ବୋଲି କୋହଭରା କଣ୍ଠରେ କହିଥିଲେ ହନିପ୍ରୀତ ।