ସରିଲା ଲିଗ, ଏବେ ଅସଲ ଲଢେଇ ! ହକି ବିଶ୍ୱ ଲିଗରେ ଆଜିଠୁ କ୍ୱାର୍ଟର ଫାଇନାଲ । ରିଓ ବଦଲା ନେବା ଲକ୍ଷ୍ୟରେ ଟିମ ଇଣ୍ଡିଆ

35

କନକ ବ୍ୟୁରୋ : କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଟିତ ହକି ବିଶ୍ୱଲିଗ ଫାଇନାଲରେ ଆଜିଠୁ କ୍ୱାର୍ଟର ଫାଇନାଲ ରାଉଣ୍ଡ । ଆଜି ପ୍ରଥମ ମ୍ୟାଚରେ ସ୍ପେନ- ଅଷ୍ଟ୍ରେଲିଆ ଏବଂ ଭାରତ -ବେଲଜିୟମ ମୁହାଁମୁହିଁ ହେବେ । ରିଓରେ ଭାରତକୁ ବିଦା କରିଥିଲା ବେଲଜିୟମ । ଗତକାଲି ଦୁଇଟି ମ୍ୟାଚ ଖେଳାଯାଇଥିବା ବେଳେ ପ୍ରଥମ ମ୍ୟାଚରେ ସ୍ପେନ ଏବଂ ଦ୍ୱିତୀୟ ମ୍ୟାଚରେ ବେଲଜିୟମ ବିଜୟୀ ହୋଇଛି ।

ଗତକାଲି ପଂଚମ ଦିନର ପ୍ରଥମ ମ୍ୟାଚ ଆର୍ଜେଟିଂନା ଓ ସ୍ପେନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ପେନ ଆର୍ଜେଟିଂନାକୁ ୨ -୧ ଗୋଲରେ ପରାସ୍ତ କରିଛି । ଅନ୍ୟ ଏକ ମ୍ୟାଚରେ ବେଲଜିୟମ ନେଦରଲ୍ୟାଣ୍ଡକୁ ୩-୦ ଗୋଲରେ ପରାସ୍ତ କରିଛି । ବେଲଜିୟମର ଲୋଇକ ଲୁଏପର୍ଟ ପେନାଲ୍ଟି କର୍ଣ୍ଣର ମାଧ୍ୟମରେ ଦୁଇଟି ଗୋଲ ଦେଇଥିବା ବେଳେ ଅନ୍ୟଏକ ଗୋଲ ମଧ୍ୟ ପେନାଲ୍ଟି କର୍ଣ୍ଣର ଦ୍ୱାରା ଦେଇଥିଲା ଦଳ ।

ଏଣୁ ରିଓ ପରାଜୟର ପ୍ରତିଶୋଧ ନେବାର ସୁଯୋଗ ଭାରତ ପାଖରେ ରହିବ। ତେବେ ବେଲଜିୟମ ଯେଭଳି ଲୟରେ ଅଛି ଭାରତ ତାକୁ ହରାଇବା ଆଦୌ ସହଜ ହେବ ନାହିଁ। ତେବେ ଅତୀତ ପରିସଂଖ୍ୟାନ ଦୃଷ୍ଟିରୁ ବେଲଜିୟମ ଠାରୁ ଭାରତ ଢେର ଆଗରେ ରହିଛି। ଉଭୟ ଦଳ ୭୨ ମ୍ୟାଚରେ ପରସ୍ପର ମୁହାଁମୁହିଁ ହୋଇଛନ୍ତି। ସେଥିମଧ୍ୟରୁ ଭାରତ ୪୫ରେ ବିଜୟୀ ହୋଇଥିଲା ବେଳେ ୧୦ଟିକୁ ଅମୀମାଂସିତ ରଖିଛି। ମାତ୍ର ୧୭ ମ୍ୟାଚରେ ପରାସ୍ତ ହୋଇଛି।

୩ରୁ ୩ ବିଜୟ ସହ ବେଲ୍ଜିୟମ ଗ୍ରୁପ୍ ‘ଏ’ ବିଜେତା

ମଙ୍ଗଳବାର ଚଳିତ ହକି ବିଶ୍ୱ ଲିଗ ଫାଇନାଲର ଲିଗ ପର୍ଯ୍ୟାୟ ଶେଷ ହୋଇଛି। ଏଥିରେ ଉଭୟ ଗ୍ରୁପର ୬ଟି ଲେଖାଏଁ ମୋଟ ୧୨ ମ୍ୟାଚ ଖେଳାଯାଇଛି। ସୋମବାର ଗ୍ରୁପ ବିର ସବୁ ମ୍ୟାଚ ଶେଷ ପରେ ଜର୍ମାନି ୭ ପଏଣ୍ଟ ସହ ବିଜେତା ଆଖ୍ୟା ଅର୍ଜନ କରିଥିଲା। ଇଂଲଣ୍ଡ ୪ ଏବଂ ଗତଥରର ବିଜେତା ଅଷ୍ଟ୍ରେଲିଆ ୩ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଥିଲା।

ଆୟୋଜକ ଭାରତ ମାତ୍ର ୧ ପଏଣ୍ଟ ସହ ସବା ଶେଷ ସ୍ଥାନରେ ଲିଗ ଅଭିଯାନ ଶେଷ କରିଥିଲା। ମଙ୍ଗଳବାର ଗ୍ରୁପ ଏର ସବୁ ଲିଗ ମ୍ୟାଚ ବି ସରିଛି। ବେଲଜିୟମ ପୂରା ୯ ପଏଣ୍ଟ ପାଇ ପ୍ରଥମ ସ୍ଥାନରେ ରହିଛି। ସ୍ପେନ (୬) ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା ବେଳେ ବିଶ୍ୱ ମାନ୍ୟତାର ପ୍ରଥମ ସ୍ଥାନରେ ଥିବା ଆର୍ଜେଣ୍ଟିନା (୧) ତୃତୀୟ ଏବଂ ପ୍ରଥମ ସଂସ୍କରଣର ବିଜେତା ନେଦରଲାଣ୍ଡ ଆଶ୍ଚର୍ଯ୍ୟଜନକ ଭାବେ ଚତୁର୍ଥ ସ୍ଥାନକୁ ଠେଲି ହୋଇଯାଇଛି।