ଦୁଇ ଚକିଆ ଗାଡ଼ି ଚାଳକଙ୍କ ପାଇଁ ଗୁଗୁଲ୍ ମ୍ୟାପ୍

47

ବିଶ୍ୱର ପ୍ରମୁଖ ଇଣ୍ଟରନେଟ୍ ସର୍ଚ ଇଞ୍ଜିନ ଗୁଗୁଲ୍ ପାଇଁ ଭାରତ ଏକ ପ୍ରମୁଖ ବଜାର ହୋଇଥିବାରୁ ଏହି ବଜାର ଉପରେ କମ୍ପାନି ଯଥେଷ୍ଟ ଗୁରୁତ୍ୱ ଦେଉଛି । ଏହାକୁ ଦୃଷ୍ଟିରେ ରଖି ଗୁଗୁଲ୍ ବିଶ୍ୱରେ ପ୍ରଥମ କରି ଭାରତରେ ଦୁଇ ଚକିଆ ଗାଡ଼ି ଚାଳକଙ୍କ ପାଇଁ ଏକ ଫିଚର ଉନ୍ମୋଚନ କରିଛି। ଆଣ୍ଡ୍ରଏଡ୍ ୟୁଜରଙ୍କ ପାଇଁ ଗୁଗୁଲ୍ ମ୍ୟାପରେ ଏହି ସୁବିଧା ବା ଫିଚର ଉପଲବ୍ଧ କରାଯାଇଛି । ପୂର୍ବରୁ କାର ଚାଳକ, ପଦଯାତ୍ରୀ, ଏବଂ ଟ୍ରେନ୍ ଯାତ୍ରୀଙ୍କ ପାଇଁ ଗୁଗୁଲ୍ର ଏହି ସୁବିଧା ଥିବାବେଳେ ଏବେ ବାଇକ୍ ଚାଳକଙ୍କ ପାଇଁ ଏହା ଅଣାଯାଇଛି। କେଉଁ ରୁଟରେ ଗଲେ ଚାଳକ ଗନ୍ତବ୍ୟସ୍ଥଳରେ ଶୀଘ୍ର ପହଞ୍ଚିବେ ତାହା ଏଥିରୁ ଜାଣିପାରିବେ। ସେହିଭଳି କେଉଁ ରାସ୍ତାରେ ଯିବା ବାଇକ୍ ଚାଳକଙ୍କ ପାଇଁ ସହଜ ହେବ ତାହା ଏହି ଆପରୁ ଜାଣିହେବ।

ବିଶ୍ୱରେ ଭାରତରେ ସବୁଠାରୁ ଅଧିକ ସଂଖ୍ୟକ ବାଇକ୍ ରାସ୍ତାରେ ଗଡ଼ିଥାଏ । ଏଠାରେ ପଞ୍ଜୀକୃତ ହୋଇଥିବା ମୋଟ ଗାଡ଼ି ମଧ୍ୟରୁ ପ୍ରାୟ ୭୦ ପ୍ରତିଶତ ବାଇକ୍ । ଏଥିପାଇଁ କମ୍ପାନି ଭାରତରେ ପ୍ରଥମ ଥର ପାଇଁ ଏଭଳି ସୁବିଧା ଆରମ୍ଭ କରିଛି ବୋଲି ନୂଆଦିଲ୍ଲୀଠାରେ ଆୟୋଜିତ ଏକ ଉତ୍ସବରେ କୁହାଯାଇଛି । ଏହି ଆପ୍ ବାଇକ୍ ଚାଳକଙ୍କୁ ଯିବାଆସିବା କରିବାରେ ସହାୟକ ହେବ। ଗୁଗୁଲର ମ୍ୟାପ୍ ଏବଂ ଅନ୍ୟାନ୍ୟ ଉତ୍ପାଦ କ୍ଷେତ୍ରରେ ଭାରତ ଏକ ପ୍ରମୁଖ ବଜାର ବୋଲି ନିକଟରେ କମ୍ପାନିର ସିଇଓ ସୁନ୍ଦର ପିଚାଇ କହିଥିଲେ। ତେବେଏହି ଆପ୍ ମାଧ୍ୟମରେ ଜଣେ ବାଇକ ଚାଳକ ଆଗରେ ବନ୍ଦ ଥିବା ସବୁ ସମ୍ଭାବ୍ୟ ରାସ୍ତା ସମ୍ପର୍କରେ ସୂଚନା ପାଇପାରିବେ।