ବ୍ଲଡ ବ୍ୟାଙ୍କରେ ଏଚ୍ଆଇଭି ରକ୍ତ

31

ଗଞ୍ଜାମ : ସ୍ୱାସ୍ଥ୍ୟ ବିଭାଗର ପିଛା ଛାଡୁନି ବିବାଦ। କେତେବେଳେ ଡାକ୍ତରଙ୍କ ଅବହେଳାକୁ ନେଇ ବିଭାଗ ହରଡଗଣାରେ ପଡୁଛି ତ ପୁଣି କେତେବେଳେ କର୍ମଚାରୀଙ୍କ ମାନବିକତାକୁ ନେଇ । ଏବେ ଅଭିଯୋଗ ଆସିଛି ମେଡିକାଲ ରକ୍ତ ଭଣ୍ଡାରର କର୍ମଚାରୀଙ୍କ ଖାମଖିଆଲ ମନୋଭାବକୁ ନେଇ । ଜଣେ ୪ବର୍ଷର ବୟସର ଥାଲାସେମିଆ ରୋଗରେ ପୀଡିତ ଶିଶୁଙ୍କୁ ଏଚ୍ଆଇଭି ରକ୍ତ ଦିଆଯାଇଥିବା ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

ଗଞ୍ଜାମରେ ଥାଲାସେମିଆ ଆକ୍ରାନ୍ତ ଜଣେ ୪ବର୍ଷର ଶିଶୁର ରକ୍ତ ନମୁନାରେ ଏଚ୍ଆଇଭି ଭୂତାଣୁ ରହିଛି । ତେବେ ବ୍ଲଡ ବ୍ୟାଙ୍କର ଅବହେଳା ଯୋଗୁଁ ଏପରି ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଶିଶୁଟି ୭ମାସର ଥିବାବେଳେ ଥାଲାସେମିଆରେ ଆକ୍ରାନ୍ତ ହୋଇଥିଲେ । ସେହିଦିନଠାରୁ ଶିଶୁଟିକୁ ଲଗାତର ଭାବେ ବ୍ରହ୍ମପୁର ବଡ ମେଡିକାଲ ବ୍ଲଡ ବ୍ୟାଙ୍କଠାରୁ ୭୧ଟି ରକ୍ତ ଦିଆଯାଇଛି । କିନ୍ତୁ ଗତ କିଛି ଦିନ ପୂର୍ବେ ଶିଶୁର ରକ୍ତ ନମୂନାରେ ଏଚ୍ଆଇଭି ଭୂତାଣୁ ରହିଥିବା ଜଣାପଡିଛି ।

ଏନେଇ ଶିଶୁର ପରିବାରଲୋକେ ଜିଲ୍ଲାପାଳଙ୍କୁ ଫେରାଦ ହୋଇଥିଲେ । ଏହି ଘଟଣାର ତଦନ୍ତ କରିବା ପାଇଁ ସିଡିଏମଓଙ୍କୁ ଦାୟିତ୍ୱ ଦିଆଯାଇଛି । ସିଡିଏମଓଙ୍କ ନେତୃତ୍ୱରେ ଗଠିତ ଟିମ୍ ବ୍ରହ୍ମପୁର ବଡ ମେଡିକାଲ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ମେଡିକାଲ କର୍ତୃପକ୍ଷ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ନିଜ ଉପରୁ ଦୋଷ ଖସାଇଛନ୍ତି ।