ଦେଶରେ ହୁ’ହୁ ହୋଇ ବଢିଚାଲିଛି ଏଚଆଇଭି ରୋଗୀଙ୍କ ସଂଖ୍ୟା ! ଭାରତରେ ସର୍ବାଧିକ ଶିଶୁଙ୍କୁ ଗ୍ରାସୁଛି ଏଚଆଇଭି ।

87

 ଦକ୍ଷିଣ ଏସିଆରେ ଶିଶୁ ଏବଂ କିଶୋରମାନଙ୍କ କ୍ଷେତ୍ରରେ ଏଚଆଇଭି ସଂକ୍ରମଣ ଓ ଏଡସ ଜନିତ ସଙ୍କଟ ଅତ୍ୟନ୍ତ ଉଦବେଗଜନକ। ଚେର ପରି ମାଡ଼ିଚାଲିଛି ଏଚ୍ଆଇଭି। ଭାରତରେ ସର୍ବାଧିକ ଶିଶୁ ଏବଂ କିଶୋର ଏଚଆଇଭି ଆକ୍ରାନ୍ତ ବୋଲି ୟୁନିସେଫ୍ ରିପୋର୍ଟରୁ ଜଣାପଡ଼ିଛି। ଏଚଆଇଭି ନିରାକରଣ ଦିଗରେ ଯଦି ବଳିଷ୍ଠ ପଦକ୍ଷେପ ଗ୍ରହଣ କରାନଯାଏ ତାହାଲେ ୨୦୩୦ ସୁଦ୍ଧା ଏହା ଅତି ଭୟଙ୍କର ରୂପ ନେବ ଏବଂ ପ୍ରତ୍ୟେକ ଦିନ ପାଖାପାଖି ୮୦ ଜଣ କିଶୋର ଏଚଆଇଭି ଓ ଏଡ୍ସ୍ରେ ପ୍ରାଣ ହରାଇବେ। ତେବେ ରିପୋର୍ଟରେ ଏହା ମଧ୍ୟ ଦର୍ଶାଯାଇଛି ଯେ ଶିଶୁ, କିଶୋର, ଗର୍ଭବତୀ ମହିଳା ଏବଂ ମା’ମାନଙ୍କ ମଧ୍ୟରେ ଏଚଆଇଭି ରୋକିବା ଦିଗରେ ଦକ୍ଷିଣ ଏସିଆ ପର‌୍ୟ୍ୟାପ୍ତ ପଦକ୍ଷେପ ଗ୍ରହଣ କରିଛି। ୨୦୧୭ ମସିହାରେ ଭାରତରେ ୦-୧୯ ବର୍ଷ ବୟସ ମଧ୍ୟରେ ୧ ଲକ୍ଷ ୨୦ ହଜାର ଶିଶୁ ଏବଂ କିଶୋର ଏଚଆଇଭିରେ ପୀଡ଼ିତ ଥିଲେ।

କିନ୍ତୁ ଏହି ସମାନ ବର୍ଷରେ ପାକିସ୍ତାନ, ନେପାଳ, ବାଂଲାଦେଶରେ ଏଚ୍ଆଇଭି ଆକ୍ରାନ୍ତ ଶିଶୁଙ୍କ ସଂଖ୍ୟା କମ୍ ରହିଛି। ପାକିସ୍ତାନରେ ୨୦୧୭ରେ ୫୮,୦୦୦ ଶିଶୁ ଏବଂ ଏବଂ କିଶୋର ଏଚ୍ଆଇଭିରେ ପୀଡ଼ିତ ଥିବାବେଳେ ନେପାଳରେ ୧,୬୦୦, ବାଂଲାଦେଶରେ ୧୦୦୦ ଏଚ୍ଆଇଭି ଆକ୍ରାନ୍ତ ଶିଶୁ ଥିବା ଜଣାପଡ଼ିଛି। ଗତ ଗୁରୁବାର ଦିନ ୟୁନିସେଫ୍ ଦ୍ବାରା ପ୍ରକାଶିତ- ‘ ଚିଲ୍ଡ୍ରେନ୍ , ଏଚ୍ଆଇଭି ଆଣ୍ଡ୍ ଏଡ୍ସ: ଦି ୱାର୍ଲ୍ଡ ଇନ୍ ୨୦୩୦’ ରିପୋର୍ଟରେ ଏଭଳି ସଙ୍କଟଜନକ ସ୍ଥିତି ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ତେବେ ବିଶ୍ବ ସ୍ତରରେ ୨୦୧୦ ତୁଳନାରେ ୨୦୧୭ ମସିହାରେ ନୂଆକରି ଏଚଆଇଭି ପୀଡ଼ିତ ୫ ବର୍ଷରୁ କମ୍ ବୟସର ଶିଶୁଙ୍କ ସଂଖ୍ୟା ୪୩ ପ୍ରତିଶତ କମ୍ ରହିଥିବା ଜଣାପଡ଼ିଛି। ଏବେ ଏଡ୍ସ ସଂକ୍ରାନ୍ତ ମୃତ୍ୟୁସଂଖ୍ୟା ଏବଂ ନୂଆ ସଂକ୍ରମଣର ମାତ୍ରା କମିଥିଲେ ମଧ୍ୟ ମୋଟ୍ ଉପରେ ଆକ୍ରାନ୍ତଙ୍କ ସଂଖ୍ୟା ସନ୍ତୋଷଜନକ ଭାବେ କମିନାହିଁ। ଏଡ୍ସରେ ପ୍ରାଣ ହରାଉଥିବା ସର୍ବାଧିକ ଶିଶୁଙ୍କ ବୟସ ୫ ବର୍ଷ ମଧ୍ୟରେ ବୋଲି ରିପୋର୍ଟରେ ସ୍ପଷ୍ଟ କରାଯାଇଛି। ତେବେ ଏଯାବତ୍ ଏଚ୍ଆଇଭି ନିରାକରଣ ଦିଗରେ ଯେତିକି ବ୍ୟାପକ ପଦକ୍ଷେପ ନେବା ଉଚିତ୍ ତାହା ହୋଇପାରୁନି ଏବଂ ମା’ ଠାରୁ ଶିଶୁକୁ ଏଚଆଇଭି ସଂକ୍ରମଣର ମାତ୍ରା ଅଧିକ ରହୁଛି। କିନ୍ତୁ ଗତ ୮ ବର୍ଷ ମଧ୍ୟରେ ମା’ଠାରୁ ଶିଶୁକୁ ଏଚ୍ଆଇଭି ସଂକ୍ରମଣ ବ୍ୟାପିବା ମାତ୍ରା ୪୦ ପ୍ରତିଶତ କମିଛି। ଏଚଆଇଭି ଆକ୍ରାନ୍ତ କିଶୋରମାନଙ୍କ ମଧ୍ୟରେ ଦୁଇ ତୃତୀୟାଂଶ ବାଳିକା ଅଛନ୍ତି। ଏବେ ସାରା ବୈଶ୍ବିକ ସ୍ତରରେ ୧୯ ବର୍ଷ ଏବଂ ୧୯ ବର୍ଷରୁ କମ୍ ବୟସର ଶିଶୁ ଏବଂ କିଶୋର ଏଚଆଇଭି ପୀଡ଼ିତ। ତେବେ ଯଦି ସଫଳ ପଦକ୍ଷେପ ଗ୍ରହଣ କରାଯାଏ ତାହାଲେ ୨୦୩୦ ସୁଦ୍ଧା ୨ ମିଲିଅନ୍ ନୂଆ ସଂକ୍ରମଣକୁ ରୋକା ଯାଇ ପାରିବ ବୋଲି ୟୁନିସେଫ୍ ରିପୋର୍ଟ ଦର୍ଶାଇଛି।