ଉଚ୍ଚଶିକ୍ଷା ବିଭାଗର ମେଧାବୃତିରେ ଘୋଟାଲା : ନିର୍ଦେଶ ପରେ କ୍ରାଇମ୍ ବ୍ରାଂଚ୍ ତଦନ୍ତ ଠପ୍

24

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ହଜାର ହଜାର ମେଧାବୀ ଛାତ୍ରଙ୍କୁ ମିଳୁଥିବା ମେଧାବୃତିରେ ଘୋଟାଲା । ମେଧାବୀ ଛାତ୍ରଙ୍କ ବଦଳରେ ଅଯୋଗ୍ୟ ଛାତ୍ରଙ୍କ ଆକାଉଂଟକୁ ଚାଲିଯାଉଛି କୋଟି କୋଟି ଟଙ୍କା । ଅବିଶ୍ୱାସ୍ୟ ହେଲେ ମଧ୍ୟ ଏଭଳି ବ୍ୟାପକ ଠକେଇରେ ସଂଶ୍ଲିଷ୍ଟ ଅଧିକାରୀଙ୍କୁ ଧରିବା ପାଇଁ କ୍ରାଇମ୍ ବ୍ରାଂଚକୁ ଦେଢ଼ ବର୍ଷ ତଳେ ନିର୍ଦେଶ ଦେଇଥିଲା ଅର୍ଥ ବିଭାଗ । ହେଲେ କ୍ରାଇମ୍ ବ୍ରାଂଚର ତଦନ୍ତ ବର୍ତମାନ ଏକରକମ ଠପ୍ ହୋଇଯାଇଛି ।

କେବଳ ବେଗୁନିଆର ମାନସ କୁମାର ସିଂହ ନୁହନ୍ତି, ତାଙ୍କ ଭଳି ତିନି ଜଣ ଛାତ୍ରଙ୍କର ଗୋଟିଏ ଅଭିଯୋଗ । ସେମାନେ ୭୦ ପ୍ରତିଶତ ମାର୍କ ରଖିଥିବା ମେଧାବୀ ଛାତ୍ର ନୁହଁନ୍ତି । ମାତ୍ର ସେମାନଙ୍କୁ ମେଧାବୃତି ବାବଦରେ ଟଙ୍କା ମିଳିବ କହି ସେମାନଙ୍କଠାରୁ ମାର୍କସିଟ୍ ଓ ଏଟିଏମ୍ ନେଇ ଠକିଦିଆଯାଇଛି । ସେମାନଙ୍କ ଆକାଉଂଟକୁ ମେଧାବୃତି ବାବଦରେ ଦୁଇ ବର୍ଷ ପାଇଁ ୨୦ ହଜାର ଟଙ୍କା ଆସିଥିବା ବେଳେ ସେମାନଙ୍କୁ ମାତ୍ର ୫ ଶହ ଟଙ୍କା ଦିଆଯାଇଛି । ଆଉ ଏହାରି ଭିତରେ ଧରାପଡ଼ିଯାଇଛି- ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଟଙ୍କା ବାଂଟିବାର ଦାୟିତ୍ୱ ନେଇଥିବା ଓକେସିଏଲ୍- ଓଡ଼ିଶା ନଲେଜ୍ କର୍ପୋରେସନର ଚଂଚକତା ଓ କାରସାଦି ।

୨୦୧୦ ମସିହାରୁ ଚାଲିଛି ଏଭଳି ବ୍ୟାପକ ଠକେଇ । ଇଲେକ୍ଟ୍ରୋନିକ୍ କ୍ଲିଅରାନ୍ସ ସିଷ୍ଟମରେ ପ୍ରାପ୍ୟ ପାଇବାକୁ ଥିବା ଛାତ୍ର ଓ ତାଙ୍କ ବ୍ୟାଙ୍କ ଆକାଂଉଟ ନମ୍ବରରେ ଜାଣିଶୁଣି ସାମାନ୍ୟ ଅଲଗା କରିଦିଆଯାଉଛି । ବ୍ୟାଙ୍କ ମ୍ୟାନେଜରମାନେ ନିୟମ ଅନୁସାରେ ଆକାଉଂଟ୍ ନମ୍ବର ମେଳ ନଖାଇଲେ ଟଙ୍କା ଫେରାଇ ଦେବା କଥା, ମାତ୍ର ସେମାନେ ନାଁ ସହ ସାମାନ୍ୟ ଅମେଳ ଥିବା ଆକାଉଂଟ୍ ନମ୍ବରକୁ ସଂଶୋଧନ କରି ଟଙ୍କା ଟ୍ରାନସଫର କରିଦେଉଛନ୍ତି । ଫଳରେ ଏଭଳି ଭାବେ ଶହ ଶହ ସଂଖ୍ୟାରେ ଅଯୋଗ୍ୟ ହିତାଧିକାରୀଙ୍କ ପାଖକୁ ମେଧାବୃତି ଚାଲିଯାଉଥିବା ଅଭିଯୋଗ ହେଉଛି । ଆଉ ଏହାର ପରିମାଣ ୫୦ କୋଟି ହେବ ବୋଲି ଅଭିଯୋଗ ହେଉଛି ।

ଓକେସିଏଲ୍ ଏକ ପବ୍ଲିକ୍ ଲିମିଟେଡ୍ କମ୍ପାନୀ ଭାବେ ରାଜ୍ୟ ସରକାରଙ୍କଠାରୁ ସବୁ ପ୍ରକାର ସମର୍ଥନ ପାଉଥିବା ବେଳେ ସରକାରୀ ଅର୍ଥ ବି ଧାର୍ଯ୍ୟ ହିତାଧିକାରୀଙ୍କ ପାଖରେ ପହଂଚିପାରୁନାହିଁ । ଏଭଳି ପରିସ୍ଥିତିରେ ଘୋଟାଲାରେ ଉଚ୍ଚ ଶିକ୍ଷା ବିଭାଗ ସହ ସରକାରୀ ଉଦ୍ୟୋଗ- ଓକେସିଏଲ୍ ଓ ବ୍ୟାଙ୍କ ଗୁଡ଼ିକ ସଂପୃକ୍ତ ହୋଇଯାଇଥିବା ଆଶଙ୍କା ସୃଷ୍ଟି ହୋଇଛି । ନ୍ୟୁଜ ସହିତ ଦେଖନ୍ତୁ ଏହି ଭିଡିଓ :