ଭାରତରେ ଆରମ୍ଭ ହେବ ହାଇସ୍ପିଡ ଇଂଟରନେଟ ଯୁଗ ! ସେକେଣ୍ଡ ପିଛା ମିଳିବ ୬୦ରୁ ୭୦ ଗିଗାବାଇଟ ଡାଟା

53

କନକ ବ୍ୟୁରୋ : ଖୁବ୍ ଶୀଘ୍ର ହାଇସ୍ପିଡ ଇଂଟରନେଟ ଯୁଗରେ ପାଦ ଦେବାକୁ ଯାଉଛି ଭାରତ । ଆସନ୍ତା ୧୮ ମାସ ଭିତରେ୍ ଇସ୍ରୋ ତିନିଟି ସଂଚାର ଉପଗ୍ରହ ମହାକାଶକୁ ଛାଡିବ । ଯାହା ଭାରତରେ ଇଂଟରନେଟ ସ୍ପିଡ ବଢାଇବ ବୋଲି ଇସ୍ରୋ ଚେୟାରମ୍ୟାନ କିରଣ କୁମାର ଦାବି କରିଛନ୍ତି । ଆସନ୍ତା ଜୁନ ମାସରେ ଜି-ସାଟ-୧୯ ସଂଚାର ଉପଗ୍ରହ ଲଂଚ କରିବ ଇସ୍ରୋ ।

ଏହା ପରେ ଜିସାଟ୍-୧୧, ଜିସାଟ-୨୦କୁ ଇସ୍ରୋ ଆସନ୍ତା ୧୮ ମାସ ଭିତରେ ଜିଏସଏଲଭି ମାର୍କ ଥ୍ରି ଜରିଆରେ ମହାକାଶକୁ ପଠାଇବ । ଜି-ସାଟ-୧୯ କାର୍ଯ୍ୟକ୍ଷମ ହେବା ପରେ ସେକେଣ୍ଡ ପିଛା ୪ ଗିଗାବାଇଟ ସ୍ପିଡରେ ଡାଟା ଟ୍ରାନ୍ସଫର ହୋଇପାରିବ । ସେହିପରି ଜିସାଟ-୧୧ କାମ କରିବା ପରେ ସେକେଣ୍ଡ ପିଛା ୧୩ ଗିଗାବାଇଟ ସ୍ପିଡରେ ଡାଟା ଡାଉନଲୋଡିଂ ଓ ଟ୍ରାନସଫରିଙ୍ଗ କରାଯାଇପାରିବ ।

ସେହିପରି ଜିସାଟ-୨୦ କାର୍ଯ୍ୟକ୍ଷମ ହେଲେ ସେକେଣ୍ଡ ପିଛା ୬୦ରୁ ୭୦ ଗିଗାବାଇଟ ଡାଟା ସ୍ପିଡ ଇଂଟରନେଟ ବ୍ୟବହାର କରିହେବ । ଇସ୍ରୋର ଏହି ପଦକ୍ଷେପ ଆଗାମୀ ଦିନରେ ଭାରତକୁ ଇଂଟରନେଟ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପରିବର୍ତନ ଆଣିବ ।

ବିଶ୍ୱରେ ଇଂଟରନେଟ ୟୁଜର୍ସ ପ୍ରସଙ୍ଗରେ ଆମେରିକାକୁ ପଛରେ ପକାଇ ଚୀନରେ ପରେ ଭାରତ ଦ୍ୱିତୀୟ ସ୍ଥାନ ନେଇଥିଲେ ମଧ୍ୟ ଇଂଟରନେଟ ସ୍ପିଡରେ ଭାରତ ଏବେ ବି ଅନ୍ୟ ଏସିଆ ଦେଶଗୁଡିକ ଠାରୁ ପଛରେ ରହିଛି । ଆସନ୍ତା ୧୮ ମାସ ଭିତରେ ଏହି ସ୍ଥିତି ବଦଳିବାକୁ ଯାଉଛି ।