ମୃତ୍ୟୁ ସହ ସଂଗ୍ରାମ କରୁଛି ଅଢେଇ ବର୍ଷର ଶିଶୁ : ହାଇଡ୍ରାସେଫାଲସ୍ ରୋଗର ଚିକିତ୍ସା ପାଇଁ ଅକ୍ଷମ ଅଭାବୀ ପରିବାର

24

କନକ ବ୍ୟୁରୋ : ମୃତ୍ୟୁ ସହ ସଂଗ୍ରାମ କରୁଛି ଅଢ଼େଇ ବର୍ଷର ଶିଶୁ । ହାଇଡ୍ରାସେଫାଲସ୍ ରୋଗରେ ଆକ୍ରାନ୍ତ ହୋଇ ଭୋଗୁଛି ଅକଥନୀୟ ଯନ୍ତ୍ରଣା । ହେଲେ ବାପ-ମାଆ ଗରିବ ହୋଇଥିବାରୁ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଏଭଳି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁରର ବୁରାଟ ଗାଁରେ ।

କଳାହାଣ୍ଡି ଜିଲ୍ଲା ମଦନପୁରର ବୁରାଟ ଗାଁରେ ରହନ୍ତି ତୀର୍ଥ ଘିଭେଲାଙ୍କ ପରିବାର । ମୂଲ ମଜୁରୀ ଲାଗି ଚଳୁଥିବା ଗରିବ ତୀର୍ଥଙ୍କ ମୁଣ୍ଡରେ ପଡିଛି ଚଡ଼କ । ମାତ୍ର  ଅଢ଼େଇ ବର୍ଷର ସାନ ପୁଅ ଜିତେନ୍ଦ୍ରର ମୁଣ୍ଡ ଅସ୍ୱାଭାବିକ ଭାବେ ବୃଦ୍ଧି ପାଉଛି । ଡାକ୍ତର କହୁଛନ୍ତି ମୁଣ୍ଡରେ ପାଣି ଜମିଛି । ହେଲେ ଚିକିତ୍ସା ପାଇଁ ସମ୍ବଳ ନାହିଁ ଗରିବ ତୀର୍ଥ ପାଖରେ ।

୪ ଜଣିଆ ପରିବାର ପୋଷିବାକୁ ତୀର୍ଥ ହିଁ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି । ପୁଅର ହାଇଡ୍ରାସେଫାଲସ ରୋଗର ଚିକିତ୍ସା ପାଇଁ ଅର୍ଥ ପୁଅକୁ ଘରେ ପକାଇ ରଖିଛନ୍ତି । ପୁଅର ଯନ୍ତ୍ରଣା ଦେଖି ସହିପାରୁନି ଜନ୍ମକଲା ମାଆ । ଅନ୍ୟ ପିଲାଙ୍କ ପରି ତାଙ୍କ ପୁଅ ବି ଦିନେ ଖେଳବୁଲ କରିବ ବୋଲି ଆଶା ବାନ୍ଧି ବସିଛନ୍ତି ଜିତେନ୍ଦ୍ରର ମାଆ ଜାନକୀ ।

ତୀର୍ଥ ଘିବେଲାଙ୍କ ଭଙ୍ଗା ଝାଟିମାଟି ଘର ଦେଖିଲେ ତାଙ୍କ ଅବସ୍ଥା ସହଜରେ ବାରିହେବ । ଏପରି ଅବସ୍ଥାରେ ପୁଅର ବ୍ୟୟବହୁଳ ଚିକିତ୍ସା ତାଙ୍କ ପାଇଁ ସାତସପନ । ତେବେ ଏ ସଂପର୍କରେ ଅବଗତ ହେବା ପରେ ପ୍ରଶାସନ ପକ୍ଷରୁ ସାହାଯ୍ୟ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି କଳାହାଣ୍ଡି ଜିଲ୍ଲାପାଳ ଅଂଜନ କୁମାର ମାଣିକ । ଯଦି ପ୍ରଶାସନର କୃପାଦୃଷ୍ଟି ପଡେ ତେବେ ହୁଏତ ଗରିବ ତୀର୍ଥ ଓ ଜାନକୀଙ୍କ ପୁଅ ଆରୋଗ୍ୟ ହେବା ସମ୍ଭବ ହେବ ।

ଦେଖନ୍ତୁ ଏହି ଭିଡ଼ିଓ –