ହିମାଚଳରେ ହିମ ପ୍ରବାହ! ପ୍ରବଳ ତୁଷାରପାତରେ ଜନଜୀବନ ଅସ୍ତବ୍ୟସ୍ତ

41

କନକ ବ୍ୟୁରୋ: ହିମାଚଳରେ ପ୍ରବଳ ତୁଷାରପାତ । ମଜା ଉଠାଇଲେ ପର୍ଯ୍ୟଟକ । କଶ୍ମୀର ଓ ଉତରାଖଣ୍ଡରେ ବି ବରଫବର୍ଷା ହୋଇଛି । ଶିମଲା ସମେତ ହିମାଚଳର ଅନେକ ସ୍ଥାନରେ ଦୁଇ ଦିନ ହେଲା ତୁଷାରପାତ ଜାରି ରହିଛି । ଘାଟି ଅଂଚଳରେ ଲଗାତର ଭାବେ ବରଫ ପଡୁଛି । ଫଳରେ ସାଧାରଣଜୀବନ ଯାତ୍ରା ବ୍ୟାହତ ହୋଇଛି ।

ତୁଷାରପାତ ଯୋଗୁଁ ଶିମଲା, କୁର୍ଫି, ନାରକାଣ୍ଡା ଓ ମଶୋବରା ଆଦି ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । କେତେକ ଅଂଚଳରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଛି । ତେବେ ଏଠାରେ ଥିବା ପର୍ଯ୍ୟଟକମାନେ ଏହାର ଭରପୂର ମଜା ଉଠାଇଛନ୍ତି । ଖରାପ ପାଗ ଯୋଗୁଁ କୁଲ୍ଲ, ଲାହୋଲ ଓ ଚମ୍ବାରେ ଆଲର୍ଟ ଜାରି କରାଯାଇଛି ।

ସେପଟେ କଶ୍ମୀରରେ ଲଗାତର ୪ଦିନ ହେଲା ଜାରି ରହିଛି ତୁଷାରପାତ । ଫଳରେ ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଏହାସହ ବିମାନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି । ପ୍ରବଳ ତୁଷାରପାତ ଯୋଗୁଁ କଶ୍ମୀରରେ ଜୀବନ ଯାତ୍ରା ଏକ ପ୍ରକାର ଠପ୍ ହୋଇଯାଇଛି । ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ତୁଷାରପାତ ଜାରି ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି ।

ଉତ୍ତରାଖଣ୍ଡର କେଦାରନାଥ, ବଦ୍ରିନାଥ, ଯମୁନୋତ୍ରୀ ଓ ଗଙ୍ଗୋତ୍ରୀରେ ମଧ୍ୟ ତୁଷାରପାତ ହୋଇଛି । ନୈନିତାଲ, ପିଥୋରାଗଡରେ ମଧ୍ୟ ସ୍ନୋ ଫଲ୍ ହୋଇଛି । ଆଗାମୀ ୩୬ଘଂଟାରେ ଉତ୍ତରକାଶୀ, ରୁଦ୍ରପ୍ରୟାଗ, ଚମୋଲି, ବାଗେଶ୍ୱର ଓ ପିଥୋରାଗଡରେ ପ୍ରବଳ ତୁଷାରପାତ ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।