ଓଡିଶାରେ ହେଲା ରେକର୍ଡ ବର୍ଷା ! ପ୍ରତିକୂଳ ପରିସ୍ଥିତିର ପ୍ରଭାବୀ ମୁକାବିଲା ନେଇ ଚର୍ଚ୍ଚା ।

40

୩୬ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା । ବର୍ଷାରେ ବେହାଲ ହୋଇଯାଇଛି ସାରା ଓଡିଶା । ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ଗତ ୨୪ ଘଣ୍ଟାରେ କିଛି ସ୍ଥାନରେ ରେକର୍ଡ କରାଯାଇଥିବା ବର୍ଷା ପରିମାଣ ସମସ୍ତ ରେକର୍ଡ କାଟି ଦେଇଛି । ବର୍ଷାର ପରିମାଣ ନେଇ ଏସଆରସି ସୂଚନା ଦେଇଛନ୍ତି ।

ଗତ ୨୪ ଘଣ୍ଟାରେ ଓଡିଶାର ୬ଟି ଜିଲ୍ଲାରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି । ସେହିପରି ୧୪ଟି ବ୍ଲକରେ ୨୦୦ମିଲିମିଟରରୁ ଅଧିକ ବର୍ଷା ହୋଇଛି । ବରଗଡ, ସମ୍ବଲପୁର, ସୋନପୁର, ବୌଦ୍ଧ, ଅନୁଗୁଳ, କନ୍ଧମାଳ ଆଦି ଜିଲ୍ଲାରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ବୁର୍ଲା ଠାରେ ସବୁଠାରୁ ଅଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ବୁର୍ଲା ଟାଉନରେ ୬୨୨ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।

ରାଜ୍ୟର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଏଥିରେ ଅନେକ ସ୍ଥାନ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅନେକ ଲୋକ ପ୍ରଭାବିତ ହୋଇଛନ୍ତି । ତେବେ ସମ୍ବଲପୁର ଠାରେ ସବୁଠାରୁ ଅଧିକ ବର୍ଷା ହୋଇଥିବା ଏସଆରସି ସୂଚନା ଦେଇଛନ୍ତି । ସମ୍ବଲପୁରର ୧୨ଟି ୱାର୍ଡ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏଥିରେ ୧.୨୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଲଗାଣ ବର୍ଷା ହେତୁ ୭୨୬ଟି ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । କିଛି ଲୋକଙ୍କୁ ଉଦ୍ଧାର କରାଯାଇ ରିଲିଫ୍ କ୍ୟାମ୍ପରେ ରଖାଯାଇଛି । ଗତକାଲି ପ୍ରଭାବିତ ହୋଇଥିବା ଲୋକମାନଙ୍କୁ ଶୁଖିଲା ଖାଦ୍ୟ ଦିଆଯାଇଥିବା ବେଳେ ଆଜି ସେମାନଙ୍କ ପାଇଁ ରନ୍ଧାଖାଦ୍ୟର ବ୍ୟବସ୍ଥା କରାଯାଇଛି । ସେହିପରି ସୋନପୁରରେ ମଧ୍ୟ ପ୍ରବଳ ବର୍ଷା ହୋଇଥିବା ରେକର୍ଡ କରାଯାଇଥିବା ବେଳେ ତେଲ ନଦୀର ଜଳସ୍ଥର ବୃଦ୍ଧି ପାଇଛି । କେତେକ ସ୍ଥାନରେ ରାସ୍ତା ବିଚ୍ଛେଦ ହୋଇଯାଇଥିବା ବେଳେ ସେଗୁଡିକର ମରାମତି କାମ ମଧ୍ୟ ଆରମ୍ଭ ହୋଇଛି । ସେହିପରି ସାପ କାମୁଡାରେ ଜଣେ ବ୍ୟକ୍ତିଙ୍କର ଜୀବନ ଚାଲିଯାଇଛି ।

ତେବେ ବର୍ଷା କିମ୍ବା ବନ୍ୟା ସମୟରେ ସବୁବେଳେ ସରକାରଙ୍କ ଅପାରଗତା ଏବଂ ପାରିବା ପଣିଆ ନେଇ ଚର୍ଚ୍ଚା ହେଉଥିବା ବେଳେ ରାଜ୍ୟ ସରକାର ବେସ୍ ସଫଳତାର ସହ ଏଗୁଡିକୁ ସମାଧାନ କରିଛନ୍ତି । ୧୯୯୨ ମସିହା ଅଗଷ୍ଟ ୧୯ ତାରିଖରେ ସମ୍ବଲପୁରରେ ୫୮୧.୯ ମିମି ବର୍ଷା ରେକର୍ଡ କରାଯାଇଥିଲା । ତେବେ ଆଜି ବୁର୍ଲା ଠାରେ ବର୍ଷାର ପରିମାଣ ସମସ୍ତ ରେକର୍ଡକୁ କାଟି ଦେଇଛି । ଲଗାଣ ବର୍ଷା ଯୋଗୁଁ ଜନଜୀବନ ବ୍ୟାହତ ହୋଇଥିବା ବେଳେ ପ୍ରଭାବିତ ଲୋକମାନଙ୍କ ପାଇଁ ସରକାରଙ୍କ ଅନେକ ବ୍ୟବସ୍ଥା କରିଛନ୍ତି । ସାରା ଓଡିଶାରେ ଫାୟାର ସର୍ଭିସ ଟିମ୍ ଠାରୁ ଆରମ୍ଭ କରି ଓଡ୍ରାଫ୍ ଟିମ୍ ଏବଂ ଉଦ୍ଧାରକାରୀ ଦଳ ନିୟୋଜିତ କରାଯାଇଛି । ତେବେ ଏହି ବର୍ଷା ଫଳରେ ରାଜ୍ୟରେ ସମ୍ଭାବ୍ୟ ମରୁଡି ପରିସ୍ଥିତି ସୁଧୁରିଛି । ମେଜର ନଦୀ ଗୁଡିକରେ ଜଳସ୍ଥର କମିଥିବାରୁ ବନ୍ୟାର ସମ୍ଭାବନା ନଥିବା ଏସଆରସି ସୂଚନା ଦେଇଛନ୍ତି । ତେବେ ପ୍ରଭାବିତ ଜିଲ୍ଲାଗୁଡିକରୁ କ୍ଷୟକ୍ଷତି ରିପୋର୍ଟ ଅଣାଯିବ । ଏବଂ ପ୍ରଭାବିତ ହୋଇଥିବା ଲୋକମାନଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ଏସଆରସି କହିଛନ୍ତି ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମହାବାତ୍ୟା ଏବଂ ଫାଇଲିନ୍ ସମୟରେ ଯେତିକି ପରିମାଣର ବର୍ଷା ହୋଇଥିଲା ତା ଠାରୁ ଅନେକ ପରିମାଣରେ ଅଧିକ ବର୍ଷା ଗତ ୨୪ ଘଣ୍ଟାରେ ହୋଇଛି । ତେବେ ଏହାକୁ ରାଜ୍ୟ ସରକାର ଦୃଢତାର ସହ ମୁକାବିଲା କରିପାରିଥିବା କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । ସେ କହିଛନ୍ତି, ରେକର୍ଡ ପରିମାଣର ବର୍ଷା ହୋଇଥିଲେ ମଧ୍ୟ କୌଣସି ସ୍ଥାନରେ ବିଦ୍ୟୁତ କାଟ କରାଯାଇନାହିଁ ।  ବିଗତ ଦିନ ମାନଙ୍କରେ ଯେଉଁ ଅସୁବିଧାର ରାଜ୍ୟ ସରକାର ସମ୍ମୁଖୀନ ହୋଇଛନ୍ତି ତାହାର ସମାଧାନ କରିବା ପାଇଁ ମଧ୍ୟ ସରକାର ଚିନ୍ତିତ ଅଛନ୍ତି ଏବଂ କାର୍ଯ୍ୟରତ ମଧ୍ୟ । ତେବେ ବିରୋଧୀ ଏହାକୁ ନେଇ ରାଜନୀତି କରିବା ନିନ୍ଦନୀୟ ବୋଲି ସେ କହିଛନ୍ତି । ଏହାକୁ ନେଇ ବିରୋଧୀ ଆରୋପ ପ୍ରତ୍ୟରୋପ କରିବା ପରିବର୍ତ୍ତେ ଏହାକୁ ସମର୍ଥନ କରିବା ଉଚିତ ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ।