ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ ! ସୁବର୍ଣ୍ଣପୁର ଆକାଶରୁ ବର୍ଷୁଛି ନିଆଁ ।

34

କନକ ବ୍ୟୁରୋ: ସୁବର୍ଣ୍ଣପୁର ଆକାଶରୁ ବର୍ଷୁଛି ନିଆଁ । ଅସହ୍ୟ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ତିନି ଦିନ ହେଲାଣି ସୁବର୍ଣ୍ଣପୁର ସହରରେ ଦିନ ବେଳା ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ରାତିରେ ପାରଦ ୨୪ ତଳକୁ ଖସୁନି । ପରିସ୍ଥିିତ ଏପରି ହୋଇଛି ଯେ, ଦିନ ୧୦ଟା ପରେ ଘରୁ ବାହାରିବାକୁ ଲୋକେ ଭୟ କରୁଛନ୍ତି ।

୪୦ ଡିଗ୍ରୀ ତାପମାତ୍ରାରେ ଜଳୁଛି ସାରା ସୁବର୍ଣ୍ଣପୁର । ସକାଳ ୧୦ଟା ପରେ ରାସ୍ତା ଘାଟ ଖାଁ ଖାଁ ହେଇଯାଉଛି । ଦୋକାନ ବଜାର ମଧ୍ୟ ବନ୍ଦ ରହୁଛି । ଯଦି କେହି କୌଣସି କାମରେ ସୁବର୍ଣ୍ଣପୁର ସହରକୁ ଆସୁଛନ୍ତି ତେବେ ମୁଣ୍ଡରେ ଗାମୁଛା, ଟୋପି, ଆଖିରେ ଚଷମା ଓ ସାଥିରେ ପାଣି ବୋତଲ ଧରି ଆସୁଥିବା ଦେଖିବାକୁ ମିଳୁଛି । ମୁଣ୍ଡ ଫଟା ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି । ଗ୍ରୀଷ୍ମର ମୁକାବିଲା ପାଇଁ ପ୍ରଶାସନ ନେଇଥିବା ନିଷ୍ପତି କାର୍ଯ୍ୟକାରୀ କରୁନଥିବା ଅଭିଯୋଗ ହୋଇଛି ।

ପ୍ରବଳ ଖରାରେ ସୁବର୍ଣ୍ଣପୁରର ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଛି ଥଣ୍ଡା ପାନୀୟ ଓ ଦହିବରା ଆଳୁଦମ ଭଳି ଖାଦ୍ୟ । ଏହାରି ଭିତରେ କିନ୍ତୁ ପିଇବା ପାଣି ପାଇଁ ସହରରେ ନୟାନ୍ତ ହେବାକୁ ପଡୁଥିବା ଅଭିଯୋଗ ହୋଇଛି । ସହରରେ ପୌର ପରିଷଦ ପକ୍ଷରୁ ତିଆରି ହୋଇାଥିବା ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇ ପଡିଛି । ଅନ୍ୟପଟେ ପୌର ପରିଷଦ ସହରରେ ଜଳ ଯୋଗାଣ ସହ ବିଶ୍ରାମଗାରର ବ୍ୟବସ୍ଥା କରାଯାଉଥିବା ସୁବର୍ଣ୍ଣପୁର ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଛନ୍ତି । ମାର୍ଚ୍ଚ ଶେଷ ଭାଗରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁ ସାରିଥିବା ବେଳେ ଆଗକୁ ସ୍ଥିତି କଣ ହେବ ତାକୁ ନେଇ ଏବେ ଚିନ୍ତାରେ ସୁବର୍ଣ୍ଣପୁର ବାସିନ୍ଦା ।