ସମସ୍ୟା ଓ ସଂଘର୍ଷର କରୁଣ ଚିତ୍ର ! ଦାରିଦ୍ର୍ୟର କଷାଘାତରେ ସଢୁଛି ଆଦିବାସୀଙ୍କ ଜୀବନ । 

45

ଚାଲିବା ପାଇଁ ରାସ୍ତା ନାହିଁ, ଅନ୍ଧାର ହଟେଇବା ପାଇଁ ଆଲୁଅର ଦେଖା ନାହିଁ । ଶୋଷ ମେଂଟାଇବାର ଶେଷ ଠିକଣା ଗାଁ ଗଡିଆ । ଚାରିଆଡେ ଦାରିଦ୍ର୍ୟର କରୁଣ ଚିତ୍ର । ଏହାରି ଭିତରେ ବଂଚୁଛି ଆଦିବାସୀ ଜୀବନ । ଶିକ୍ଷା, ସ୍ୱାସ୍ଥ୍ୟ କଥା ଭାବିବା ବି ଅନୁଚିତ । କାରଣ ଯେଉଁଠି ବଂଚିବା ପାଇଁ ସଂଘର୍ଷ କରୁଛି ମଣିଷ ସେଠି ଶିକ୍ଷା କଥା ବୁଝୁଛି କିଏ । ଏହି ଘଟଣା ହେଉଛି ସର୍ବାଧିକ ରାଜସ୍ୱ ଦେଉଥିବା ଖଣି ଅଂଚଳ ଯୋଡା ବ୍ଲକ ଗୟଳମରା ଗାଁର ।

କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକର ଉଚ୍ଚବାଲି ଗୟଳମରା ସାହି । ୫୦ରୁ ଅଧିକ ଆଦିବାସୀ ପରିବାର ରହୁଥିବା ଏ ସାହି ହେଉଛି ସମସ୍ୟାର ଗନ୍ତାଘର । ଚାରିଆଡେ ଦାରିଦ୍ର୍ୟର କଷାଘାତରେ ସଢୁଛି ଜୀବନ । ଏଠି ଶିଶୁଙ୍କ ଖାଦ୍ୟ କହିଲେ ପଖାଳ ସାଙ୍ଗକୁ ଖଟା । କୁନି କୁନି ଶିଶୁଙ୍କ ଫୁଙ୍ଗୁଳା ଦେହ ସମସ୍ୟା ଓ ସଂଘର୍ଷ କାହାଣୀ କହୁଛି ।

 

 

ଖଣି ଅଂଚଳରେ ଥିବା ଗାଁକୁ ରାସ୍ତା ନାହିିଁ । ରେଲୱେ ବ୍ରିଜ ତଳେ ପଶି ଯା’ ଆସ କରନ୍ତି ଗୟଳମରାର ମଣିଷ । ଖାଲି ଯେ, ରାସ୍ତା ନାହିଁ ତାହା ନୁହେଁ, ଏଠାକାର ଆଦିବାସୀ ଜୀବନ କେବଳ ନାହିଁ ନାହିଁରେ ହିଁ ଚାଲିଛି । ନଳକୂଅ ନଥିବାରୁ ଲୋକଙ୍କ ଶୋଷ ମେଂଟାଉଛି ଗାଁ ଗଡିଆର ଗୋଳିଆ ପାଣି ।

ରାଜ୍ୟକୁ ସର୍ବାଧିକ ରାଜସ୍ୱ ଦେଉଥିବା ଯୋଡାର ଗୟଳମରା ଆଜି ବି ଅନ୍ଧାରରେ । ବିଦ୍ୟୁତ ସଂଯୋଗ ହୋଇନଥିବାରୁ ରାତି ହେଲେ ହାତୀ ଭୟରେ ତାଟି କବାଟ ପଡୁଥିବା ଗାଁରେ ଡିବିରି ଆଲୁଅ ଅନ୍ଧାର ଦୂର କରୁଛି । ଏଭଳି ସ୍ଥିତିରେ ଶିକ୍ଷା ଓ ସ୍ୱାସ୍ଥ୍ୟ କଥା ନକହିବା ଭଲ । ନିଜର ସମସ୍ୟା ବାବଦରେ ପ୍ରଶାସନିକ ବାବୁଙ୍କୁ ସ୍ଥାନୀୟ ବାସିନ୍ଦା ଅନେକ ଥର ଗୁହାରି କରିଛନ୍ତି । ହେଲେ ଫଳ ଶୂନ । ଅନ୍ୟପଟେ ଏଠାକାର ସମସ୍ୟା ସମାଧାନ ପାଇଁ ବିଡିଓଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରକଳ୍ପ ନିର୍ଦେଶକ କହିଛନ୍ତି ।

ଖଣି ଅଂଚଳରେ ପ୍ରଭାବିତ ବିକାଶ ପାଇଁ ଡିଏମଏଫ ପାଣ୍ଠିରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ହେଲେ ପ୍ରକୃତ ହିତାଧିକାରୀ ଏବେ ବି ମୌଳିକ ସୁବିଧାରୁ ବଂଚିତ ହୋଇ ରହିଛନ୍ତି ।