ପାଠ ପଢିବାର ଝୁଙ୍କ…ଗମନାଗମନର ସୁବିଧା ନାହିଁ, ତଥାପି ମଉଳି ନାହିଁ ପାଠପଢିବାର ନିଶା…ଦୈନିକ ୪୦ କିମି ସାଇକେଲ ଯାତ୍ରା କରି କଲେଜ ଯାଉଛନ୍ତି ସୁଚିତ୍ରା

313

କନକ ବ୍ୟୁରୋ: ପାଠ ପଢିବାର ନିଶା ଦୁର୍ବାର..ଗମନାଗମନର ସୁବିଧା ନାହିଁ । ତଥାପି ପାଠପଢିବାକୁ ପ୍ରତିଦିନ ଅତିକ୍ରମ କରୁଛନ୍ତି ୪୦ କିଲୋମିଟର । ଅର୍ଥାତ୍ ଦିନକୁ ମୋଟ ୮୦ କିଲୋମିଟର କରୁଛନ୍ତି ଯାତ୍ରା । ସତେ ଯେମିତି ପ୍ରଧାନମନ୍ତ୍ରୀଙ୍କ ବେଟି ବଚାଓ, ବେଟି ପଢାଓ ନାରାକୁ ସେ କରୁଛନ୍ତି ସଫଳ । ଏହା ଜଣେ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରୀଙ୍କ କାହାଣୀ ।

ହରିଚନ୍ଦନପୁର ବ୍ଲକ ରାସୋଳ ପଂଚାୟତ ଆଳୁତୁମା ଗାଁର ସୁଚିତ୍ରା ଦେହୁରୀ । ଏବେ ରହିଚନ୍ଦନପୁର ବ୍ରଜବନ୍ଧୁ ମହାବିଦ୍ୟାଲୟରେ ଯୁକ୍ତ ୨ ବିଜ୍ଞାନରେ ପାଠ ପଢୁଛନ୍ତି । ତାଙ୍କ ଗାଁରୁ କଲେଜର ଦୂରତା ହେବ ୪୦ କିଲୋମିଟର । ତେବେ ଗାଁରୁ ସିଧାସଳଖ ଗାଡି ବ୍ୟବସ୍ଥା ନଥିବାରୁ ସୁଚିତ୍ରା ପ୍ରତିଦିନ ସକାଳ ୭ଟାରୁ ସାଇକେଲରେ ଘରୁ ବାହାରି ପଡନ୍ତି । ଏବଂ ୭ କିଲୋମିଟର ଦୂର ରାସୋଳ ଛକରେ ସାଇକଲ ରଖି ବସରେ ସେ ହରିଚନ୍ଦନପୁରକୁ ଯାଇଥାନ୍ତି । ସେହିଭଳି ରାସୋଳ ଛକରୁ ହରିଚନ୍ଦନପୁରର ଦୂରତା ୩୨ କିଲୋମିଟର ।

ହରିଚନ୍ଦନପୁରରେ ଓହ୍ଲାଇ ଏକ କିଲୋମିଟର ଚାଲି ଚାଲି କଲେଜକୁ ଯାଆନ୍ତି ସୁଚିତ୍ରା । ଆଉ କଲେଜରେ ପାଠପଢା ପରେ ପୁଣି ବସରେ ଫେରିଆସନ୍ତି ରାସୋଳକୁ । ସେଠାରୁ ସାଇକଲ ଧରି ଗାଁକୁ ମୁହାଇଥାନ୍ତି । ସକାଳ ସାତଟାରେ ଘରୁ ବାହାରି ପୁଣି ଘରେ ପହଂଚିଲା ବେଳକୁୁ ଅପରାହ୍ଣ ୫ଟା ହୋଇ ଯାଇଥାଏ । ଭଗାମୁଣ୍ଡା ସରକାରୀ ହାଇସ୍କୁଲରେ କୃତିତ୍ୱର ସହ ମାଟ୍ରିକ ପରୀକ୍ଷାରେ ଉତିର୍ଣ୍ଣ ହେଲା ପରେ ସୁଚିତ୍ରା ଚଳିତ ବର୍ଷ ବ୍ରଜବନ୍ଧୁ ମହାବିଦ୍ୟାଳୟରେ ନାଁ ଲେଖାଇଛନ୍ତି । ତେବେ ଭଲ ପାଠପଢି ଭବିଷ୍ୟତରେ ଜଣେ ଡାକ୍ତର ହେବାକୁ ଆଶା ରଖିଛନ୍ତି ବୋଲି ସୁଚିତ୍ରା କହିଛନ୍ତି ।