ଗାନ୍ଧୀଙ୍କ ହତ୍ୟା ଜନିତ ଭୁଲ ଲେଖାକୁ ନେଇ ରୁଲିଂ ଦେଲେ ବାଚସ୍ପତି: ଆସନ୍ତାକାଲି ଗୃହରେ ଉତ୍ତର ରଖିବେ ବିଭାଗୀୟ ମନ୍ତ୍ରୀ

ସେପଟେ ଗାନ୍ଧୀଙ୍କ ହତ୍ୟା ଜନିତ ଭୁଲ ଲେଖାକୁ ନେଇ ବିଧାନସଭାରେ ଉଦବେଗ ପ୍ରକାଶ କଲେ ସୌମ୍ୟରଂଜନ ଓ ନରସିଂହ

332

କନକ ବ୍ୟୁରୋ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁକୁ ନେଇ ଭୁଲ ତଥ୍ୟ ପ୍ରସଙ୍ଗରେ ବିଧାନସଭା ସରଗରମ । ପାଠ୍ୟ ପୁସ୍ତକରେ ଭୁଲ ତଥ୍ୟ ପ୍ରସଙ୍ଗକୁ ନେଇ ବାଚସ୍ପତି ରୁଲିଂ ଦେଇଛନ୍ତି । ବିଭାଗୀୟ ମନ୍ତ୍ରୀଙ୍କୁ ଆସନ୍ତାକାଲି ଗୃହରେ ଉତର ରଖିବାକୁ ବାଚସ୍ପତି ରୁଲିଂ ଦେଇଛନ୍ତି । ପ୍ରଶ୍ନ ଉତର ସମୟରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଉଠାଇଥିଲେ ନଥୁରାମ ଗଡସେ ପ୍ରସଙ୍ଗ । ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ଅବସରରେ ଓଡିଶା ସରକାର ଛାପିଥିବା ପୁସ୍ତକରେ ଗାନ୍ଧୀଙ୍କ ମୃତ୍ୟୁ ଏକ ଆକସ୍ମିକ ଘଟଣାରେ ହୋଇଥିବା ଉଲ୍ଲେଖ ଥିବାରୁ, ସରକାରଙ୍କ ଉପରେ ବର୍ଷିଛନ୍ତି ନରସିଂହ ।

ସେପଟେ ଶୂନ୍ୟକାଳରେ ଗାନ୍ଧୀଙ୍କ ହତ୍ୟା ଜନିତ ଭୁଲ ଲେଖାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ । କହିଛନ୍ତି, ଜାତିର ପିତାଙ୍କ ହତ୍ୟା ଘଟଣା ବେଶ ଗମ୍ଭୀର । ଏହା ଦୁର୍ଘଟଣା ଜନିତ ବୋଲି କି ସେ ପ୍ରଶ୍ନ କରିଛନ୍ତି । ଏହାକୁ ଇତହାସର କ୍ୟାପସୁଲ କୁହାଯାଏ । ୧୦୦ ବର୍ଷ ପରର ଯଦି ଏହି ପତ୍ର ପତ୍ରିିକା ପ୍ରକାଶ ପାଏ, ସେଥିରୁ ଦୁର୍ଘଟଣା ଜନିତ ବୋଲି ହିଁ ରହିବ । ସମେସ୍ତ ଏହାକୁ ନିନ୍ଦା କରିବା ଉଚିତ ବୋଲି ସୌମ୍ୟରଂଜନ କହିଛନ୍ତି ।

ସେପଟେ ବିଧାନସଭା ଆରମ୍ଭରୁ ମୁହଁରେ କଳାପଟି ବାନ୍ଧି ବିଜେପି ସଦସ୍ୟ ପ୍ରତିବାଦ କରିଥିଲେ । ବିଭିନ୍ନ ପ୍ରସଙ୍ଗ ଉଠାଇ ବିରୋଧୀ ହୋହାଲ୍ଲା କରିବାରୁ ଗୃହକୁ ଅଧଘଂଟା ଯାଏଁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି । ତାସହ ବିଧାନସଭାର ଗୃହକାର୍ଯ୍ୟ କେମିତି ସୁରୁଖୁରୁରେ ଚାଲି ପାରିବ ସେଥିପାଇଁ ଏକ ସର୍ବଦଳୀୟ ବୈଠକ ଡାକିଥିଲେ ମଧ୍ୟ ବିଜେପି ବୈଠକରେ ଯୋଗଦେଇନଥିଲା ।

ସ୍ମିତାରାଣୀ ମୃତ୍ୟୁ ମାମଲାରେ କହିବାକୁ ସୁଯୋଗ ମିଳିଲାନି । ସମିତି ସଭ୍ୟ, ଜିଲ୍ଲା ପରିଷଦ ଓ ରାମକୋ ସିମେଂଟ ଅଧିକାରୀଙ୍କ ବିରୋଧରେ ୩୬୦ ଦଫା ଲଗାଯାଇ ଗିରଫ ଓ ଏସପିଙ୍କୁ ବହିଷ୍କାର କରାଯାଉ । ସିବିଆଇ ତଦନ୍ତ ନହେବା ଯାଏ ଏଭଳି ବିରୋଧ ଜାରି ରହିବ । ଗତ ୩ ଦିନ ଧରି ବାଚସ୍ପତି କହିବାକୁ ସୁଯୋଗ ନଦେବାରୁ ସର୍ବଦଳୀୟ ବୈଠକକୁ ଗଲେନି ବୋଲି କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ।