ଗୁଜରାଟ ଉପ-ମୁଖ୍ୟମନ୍ତ୍ରୀଙ୍କୁ ହାର୍ଦ୍ଦିକ ପଟେଲଙ୍କ ମନଲୋଭା ଅଫର ! ୧୦ ବିଜେପି ବିଧାୟକଙ୍କୁ କଂଗ୍ରେସରେ ସାମିଲ କର, ମିଳିବ ମନମୁତାବକ ପଦବୀ

36

ଗୁଜରାଟରେ ବିଜେପି ପାଇଁ ପୁଣି ଏକ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ରୂପାନି ସରକାରରୁ ଇସ୍ତଫା ଦେଇପାରନ୍ତି ଉପ-ମୁଖ୍ୟମନ୍ତ୍ରୀ ନୀତିନ ପଟେଲ । ଏନେଇ ଗୁଜରାଟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି । ବିଭାଗ ବଣ୍ଟନକୁ ନେଇ ନାରାଜ ଅଛନ୍ତି ନୀତିନ । ଅର୍ଥ ଓ ରାଜସ୍ୱ ବିଭାଗ ମିଳିନଥିବାରୁ ତାଙ୍କୁ ମିଳିଥିବା ଅନ୍ୟ ବିଭାଗର କାର୍ଯ୍ୟଭାର ମଧ୍ୟ ସମ୍ଭାଳିନାହାନ୍ତି ନୀତିନ । ଏହାର ଝଲକ ମଧ୍ୟ ଗୁରୁବାର ହୋଇଥିବା କ୍ୟାବିନେଟ ବୈଠକରେ ଦେଖିବାକୁ ମିଳିଛି । ୫ଟାରେ ଆରମ୍ଭ ହେବାକୁ ଥିବା ବୈଠକ ରାତି ୯ଟାରେ ହୋଇଥିଲା । ଏପରିକି ଏହି ବୈଠକରେ ଯୋଗ ଦେବା ପାଇଁ ନୀତିନଙ୍କୁ ବୁଝାଇବାକୁ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ତାଙ୍କ ଘରକୁ ଯାଇଥିଲେ । ତେବେ ସୁତ୍ର ଅନୁଯାୟୀ, ଅର୍ଥ ବିଭାଗ ନ ମିଳିଲେ ନୀତିନ ପଟେଲ ସରକାରରୁ ଇସ୍ତଫା ଦେଇପାରନ୍ତି । କାରଣ ପୂର୍ବ ସରକାରରେ ତାଙ୍କ ପାଖରେ ଅର୍ଥ, ରାଜସ୍ୱ ବିଭାଗ ଭଳି ଦମଦାର ବିଭାଗ ଥିଲା । କିନ୍ତୁ ନୂଆ ସରକାରରେ ତାଙ୍କ ଠାରୁ ଏହି ବିଭାଗକୁ କାଢି ନିଆଯାଇଛି ।

rupani-patel-gujarat-759ବିଜୟ-ନୀତିନଙ୍କ ଭିତରେ ଦେଖାଦେଇଥିବା ଫାଟର ଫାଇଦା ନେବାକୁ ଚେଷ୍ଟା କରିଛନ୍ତି ପଟିଦାର ନେତା ହାର୍ଦ୍ଦିକ ପଟେଲ । ନୀତିନ ପଟେଲଙ୍କୁ ମନଲୋଭା ଅଫର ଦେଇଛନ୍ତି ହାର୍ଦ୍ଦିକ । ଏପରିକି ବିଜେପି ଛାଡି କଂଗ୍ରେସରେ ସାମିଲ ହେବାକୁ ନୀତିନଙ୍କୁ ଅଫର ଦେଇଛନ୍ତି ହାର୍ଦ୍ଦିକ । ସେ କହିଛନ୍ତି ଯଦି ନୀତିନଙ୍କୁ ଯଦି ବିଜେପି ସମ୍ମାନ ଦେଉନି ତାହେଲେ ସେ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇପାରିବେ । ହାର୍ଦିକ ଆହୁରି କହିଛନ୍ତି ନୀତିନ ଯଦି ୧୦ଜଣ ବିଧାୟକଙ୍କ ସହ ବିଜେପି ଛାଡିବା ପାଇଁ ପ୍ରସ୍ତୁତ ହେବେ ତେବେ ତାଙ୍କୁ କଂଗ୍ରେସରେ ଉପଯୁକ୍ତ ସ୍ଥାନ ଦେବା ପାଇଁ ଦଳ ସହ କଥାବାର୍ତା କରିବେ ।

ଗୁଜରାଟରେ ସରକାର ଗଢିବାର ମାତ୍ର ତିନି ଦିନ ପରେ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଓ ଉପ-ମୁଖ୍ୟମନ୍ତ୍ରୀ ନୀତିନ ପଟେଲଙ୍କ ମଧ୍ୟରେ ବିଭାଗ ବଣ୍ଟନକୁ ନେଇ ମତଭେଦ ଦେଖା ଦେଇଥିଲା । ଏପରିକି କିଛି ବିଧାୟକ ମଧ୍ୟ ନୀତିନଙ୍କ ସମର୍ଥନରେ ବାହାରିଥିଲେ । ୬ଷ୍ଠ ଥର ପାଇଁ ଗୁଜରାଟରେ ସରକାର ଗଢିଥିବା ବିଜେପି ପାଇଁ ଶୀର୍ଷ ସ୍ତରର ଦୁଇ ନେତାଙ୍କ ମଧ୍ୟରେ ଦେଖାଦେଇଥିବା ମତଭେଦ ଏବେ ଚିନ୍ତାର କାରଣ ପାଲଟିଛି । କେବଳ ଉପ-ମୁଖ୍ୟମନ୍ତ୍ରୀ ନୀତିନ ନୁହଁନ୍ତି ବଡୋଦରାର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ତ୍ରିବେଦୀ ମଧ୍ୟ ବିଭାଗ ବଣ୍ଟନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ବଡୋଦରାର କୌଣସି ବିଧାୟକଙ୍କୁ କ୍ୟାବିନେଟରେ ସାମିଲ କରିନଥିବାରୁ ନାରାଜ ଅଛନ୍ତି ରାଜେନ୍ଦ୍ର । ତାଙ୍କ କଥା ବିଚାରକୁ ନିଆ ନଗଲେ ୧୦ ବିଧାୟକଙ୍କ ସହ ପାର୍ଟି ଛାଡିବାକୁ ଧମକ ଦେଇଛନ୍ତି ରାଜେନ୍ଦ୍ର । ଯାହା ଏବେ ବିଜେପିକୁ ବ୍ୟାକଫୁଟକୁ ଠେଲିଦେଇଛି ।