ଅରୁଚିକର ମନ୍ତବ୍ୟ ଦେବା ପରେ ଲଜ୍ଜା ଓ ଆତ୍ମଗ୍ଲାନିରେ ଗୋଟିଏ ରୁମରେ ଦିନ କାଟୁଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ! ଘରୁ ବାହାରୁ ନାହାନ୍ତି କି କାହାର ଫୋନ୍ ଉଠାଇ ନାହାନ୍ତି

221

କନକ ବ୍ୟୁରୋ : ମହିଳାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇ ଅଡୁଆରେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା । ତଦନ୍ତ ସରିବା ଯାଏଁ ନିଲମ୍ବିତ ହୋଇଥିବା ଅଲରାଉଣ୍ଡର ପାଣ୍ଡ୍ୟା ଏବେ ଘୋର ମାନିସକ ବିଷାଦ ଦେଇ ଗତିକରୁଛନ୍ତି ।  ଅଷ୍ଟ୍ରେଲିଆ ଗସ୍ତରୁ ବାହାର କରିଦିଆଯିବା ପରେ ଲଜ୍ଜା , ଅପମାନ ଓ ଦୁଃଖରେ ସେ ନିଜକୁ ଗୋଟିଏ ଘରେ ବନ୍ଦ କରି ରଖିଛନ୍ତି ।  ସେ ଏବେ ଆଦୌ ଘରୁ ବାହାରୁନହାନ୍ତି । ଏପରିକି ସେ କାହା ସହିତ କଥା ବି ହେଉନାହାନ୍ତି ।   କାହା ଫୋନ ମଧ୍ୟ ଉଠାଉ ନାହାନ୍ତି। ସବୁବେଳେ ଘର ମଧ୍ୟରେ ନିଜକୁ ବନ୍ଦ କରି ଭୁଲ ପାଇଁ ଅନୁତାପ କରୁଛନ୍ତି । ହାର୍ଦ୍ଦିକଙ୍କ ବାପା ହିମାଂଶୁ ପାଣ୍ଡ୍ୟାଙ୍କ କହିବା ଅନୁସାରେ, ଏହି କ୍ରିକେଟ ଖେଳାଳି ଏବେ ଘରେ ବିଶ୍ରାମ ନେଉଛନ୍ତି । ମକର ସଂକ୍ରାନ୍ତିରେ ଗୁଜରାଟରେ  ଛୁଟି ଘୋଷଣା କରାଯାଇଥିଲା । ହାର୍ଦ୍ଦିକ ଗୁଡି ଉଡାଇବାକୁ ଭଲପାଆନ୍ତି । କିନ୍ତୁ ଏଥର ଘରେ ଥିଲେ ବି ହାର୍ଦ୍ଦିକ ଗୁଡି ଉଡାଇନଥିଲେ । ଏବେ ପରିବାର ଅପେକ୍ଷା କରିଛନ୍ତି ବିସିସିଆଇ ନିଷ୍ପତିକୁ । ହାର୍ଦ୍ଦିକଙ୍କ ବାବଦରେ  କଣ ନେଉଛି କ୍ରିକେଟ ବୋର୍ଡ ।

ସୂଚନାଯୋଗ୍ୟ କରନ ଜୋହରଙ୍କ ସହ ଟକ୍ ସୋ’ରେ ସାମିଲ କ୍ରିକେଟର କେ.ଏଲ ରାହୁଲ ଏବଂ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଆଉ ତାଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ କିଛି ପ୍ରଶ୍ନ କରିଥିଲେ କରନ୍ । ଫିଲ୍ମ ନିର୍ଦ୍ଦେଶକ କରଣ ଜୋହରଙ୍କ ଲୋକପ୍ରିୟ ଟେଲିଭିଜନ କାର୍ଯ୍ୟକ୍ରମ କଫି ୱିଥ୍ କରଣରେ ଯୋଗ ଦେଇଥିଲେ ପାଣ୍ଡ୍ୟା ଓ ରାହୁଲ । ତେବେ କାର୍ଯ୍ୟକ୍ରମ ସମୟରେ ମହିଳାଙ୍କ ପ୍ରତି ଆଶାଳୀନ ମନ୍ତବ୍ୟ ଦେଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ଯାହା ଫଳରେ ଉଭୟଙ୍କୁ ତୀବ୍ର ସମାଲୋଚନାର ଶିକାର  ହେବାକୁ ପଡିଥିଲା । କଫି ୱିଥ୍ କରଣ କାର୍ଯ୍ୟକ୍ରମରେ ପାଣ୍ଡ୍ୟା କହିଥିଲେ ଯେ ଅନେକ ନାରୀଙ୍କ ସହ ତାଙ୍କର ଶାରିରୀକ ସମ୍ପର୍କ ରହିଛି । ଏପରିକି ମହିଳାମାନେ କେବଳ ତାଙ୍କ ପାଇଁ ଉପଭୋଗ୍ୟର ବସ୍ତୁ । ଏହିଭଳି ନାରୀର ମର୍ଯ୍ୟାଦା ଓ ସମ୍ମାନ ହାନି କରିବା ଭଳି ଅନେକ ଅକୁହା କଥା କହିଥିଲେ ପାଣ୍ଡ୍ୟା । ଯାହାକୁ ନେଇ ବିବାଦ ଦେଖାଦେଇଥିଲା । ଅନ୍ୟଙ୍କ ସମାଲୋଚନାର ଶିକାର ହେବା ପରେ ପାଣ୍ଡ୍ୟ କ୍ଷମା ମାଗିଥିଲେ ।