ଲାଲଗଡରେ ଝଲସିଲା ଗୁରୁପ୍ରିୟା ସେତୁ : ବିଚ୍ଛିନ୍ନାଂଚଳର ସଂପର୍କ ସେତୁରେ ଜଳିଲା ଏଲଇଡି ଲାଇଟ୍

70

କନକ ବ୍ୟୁରୋ : ଝଲସୁଛି ଗୁରୁପ୍ରୀୟା । ବିଚ୍ଛିନ୍ନାଂଚଳର ଲାଇଫ ଲାଇନ କୁହାଯାଉ ଥିବା ଗୁରୁପ୍ରିୟା ସେତୁ ନିର୍ମାଣ ସରିବା ପରେ ସୁରକ୍ଷା ଦୃଷ୍ଟିରୁ ସେତୁକୁ ସମ୍ପୂର୍ଣ ଆଲୋକିତ କରାଯାଇଛି । ସେପଟେ ସି.ଆର.ଆର.ଆଇ ଟିମ ସେତୁର ମାନ ଯାଂଚ କରି ଫେରି ଥିବା ବେଳେ କେନ୍ଦ୍ର ଅନୁସନ୍ଧାନକାରୀ ଦଳ ସେତୁକୁ ସବୁଜ ସଙ୍କେତ ଦେଇଥିବା ସୂଚନା ମିଳିଛି । ତେବେ କେନ୍ଦ୍ରୀୟ ଟିମର ବିଧିବଦ୍ଧ ରିପୋର୍ଟ ଆସିବା ପରେ ସେତୁର ଉଦଘାଟନ ହେବ । ଉଦଘାଟନ କାର୍ଯ୍ୟକ୍ରମ ପୂର୍ବରୁ ଗୁରୁପ୍ରିୟାରେ ବିଭି୍ନ୍ନ ଆନୁସଙ୍ଗିକ ବ୍ୟବସ୍ଥାର ତଦାରଖ କରିଛନ୍ତି ମାଲକାନଗିରି ଜିଲ୍ଲାପାଳ ଓ ଦକ୍ଷୀଣାଂଚଳ ରାଜସ୍ୱ କମିଶନର ।

ଆଲୋକିତ ହୋଇଛି ଗୁରୁପ୍ରିୟା ସେତୁ । ଲାଲଗଡରେ ସୁରକ୍ଷା ଦୃଷ୍ଟିରୁ ମାଲକାନଗିରି ବିଚ୍ଛିନ୍ନାଂଚଳବାସୀଙ୍କ ଆଶାର ଗୁରୁପ୍ରୀୟା ସେତୁର ଉଭୟ ପଟରେ ଲଗାଯାଇଛି ୬୦ଟି ଏଲ.ଇ.ଡି ଲାଇଟ । ଏହାସହ ସେତୁର ଦୁଇ ମୁଣ୍ଡରେ ହାଇମାଷ୍ଟ ଲାଇଟ ଲାଗାଇଛି ପୂର୍ତ୍ତ ବିଭାଗ । ଏଥିପାଇଁ ୪୦ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି । ଏଲ.ଇ.ଡି ଲାଇଟ୍ ଓ ହାଇ ମାଷ୍ଟ ଲାଇଟ ଲାଗି ୱାଏରିଙ୍ଗ କାମ ଶେଷ ହୋଇଥିବା ବେଳେ ଏ ଯାଏଁ କିନ୍ତୁ ବିଦ୍ୟୁତ ସଂଯୋଗ ହୋଇପାରିନାହିଁ । ତେବେ ଏବେ ସେତୁର ସୁରକ୍ଷା ପାଇଁ ଅସ୍ଥାୟୀ ଭାବେ ରୟାଲ ଇନଫ୍ରା କମ୍ପାନୀର ଡିଜେଲ ଜେନେରେଟର ଯୋଗେ ସେତୁକୁ ଆଲୋକିତ କରାଯାଉଛି । ଏବଂ ରାତି ତମାମ ସେତୁରେ ପାଟ୍ରୋଲିଂ ସୁରକ୍ଷା ଯୋଗାଉଛନ୍ତି ବି.ଏସ.ଏଫ ଯବାନ । ଜୁନ୍ ୯ ତାରିଖ ସୁଧା ଗୁରୁପ୍ରୀୟା ସେତୁକୁ ବିଦ୍ୟୁତ ସଂଯୋଗୀକରଣ କାମ ଶେଷ ହେବ ବୋଲି କହିଛନ୍ତି ଲାଇଟିଙ୍ଗ କାମରେ ନିୟୋଜିତ କମ୍ପାନୀର କର୍ମକର୍ତ୍ତା ।

ବହୁ ବାଦ ବିବାଦ ଓ ବାଧା ବିଘ୍ନ ମଧ୍ୟରେ ଗୁରୁପ୍ରିୟା ସେତୁ ନିର୍ମାଣ କାମ ସମ୍ପନ୍ନ ହୋଇ ଥିବା ବେଳେ ଏହାର ମାନକୁ ନେଇ ପ୍ରଶ୍ନ ଉଠିଥିଲା । ତେବେ ସେତୁର ସ୍ଥାୟତ୍ୱ ଓ ମାନ ଯାଂଚ କରି ଫେରିଛନ୍ତି କେନ୍ଦ୍ରର ସି.ଆର.ଆର.ଆଇ ଗବେଷଣା ପ୍ରତିଷ୍ଠାନର ପ୍ରତିନିଧି ଦଳ । ସେତୁର ମାନକୁ ନେଇ ସି.ଆର.ଆର.ଆଇ ରିପୋର୍ଟକୁ ଅପେକ୍ଷା କରିଛି ପୁର୍ତ୍ତ ବିଭାଗ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲାଲଗଡରେ ଏହି ବହୁପ୍ରତିକ୍ଷୀତ ପୋଲକୁ ଲୋକାର୍ପିତ କରିବାର କାର୍ଯ୍ୟକ୍ରମ ଥିବାରୁ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରଓାଲ ଓ ଦକ୍ଷିଣାଂଚଳ ରାଜସ୍ୱ କମିଶନର ତିମ୍ ଜେମ୍ ଆପାଙ୍ଗ ଆଓ ଗୁରୁପ୍ରିୟାରେ ପହଁଞ୍ଚି ସେତୁ ନିକଟରେ ଆନୁସାଙ୍ଗିକ ବ୍ୟବସ୍ଥାର ଯାଂଚ କରିଛନ୍ତି । ୫ ଦଶନ୍ଦି ଧରି ବିଚ୍ଛିନ୍ନାଞ୍ଚଳର ୧୫୧ଟି ଗାଁର ଲୋକ ଜଳବନ୍ଦୀ ଜୀବନ ବିତାଉଛନ୍ତି । ଆଉ ଦିନ କେଇଟାର ଅପେକ୍ଷା, ଆନ୍ଧାରୀ ମୁଲକରେ ବିକାଶର ଆଲୋକ ଦେଖାଇବ ଗୁରୁପ୍ରିୟା ।