ମହିଳାଙ୍କ ଗିରଫଦାରି ପାଇଁ ନିର୍ଦ୍ଦେଶନାମା: ଥାନାରେ ମହିଳାଙ୍କୁ ମିଳିବ ସ୍ବତନ୍ତ୍ର ସୁରକ୍ଷା, ସୂର୍ଯ୍ୟାସ୍ତ ପରେ ଗିରଫ ଉପରେ କଟକଣା

173

କନକ ବ୍ୟୁରୋ: ଥାନାରେ ମହିଳା ଅଭିଯୁକ୍ତ/ଅଭିଯୋଗକାରିଣୀଙ୍କୁ ପୁଲିସ ଅଫିସର ଦୁର୍ବ୍ୟବହାର କରୁଛନ୍ତି। ବ୍ୟକ୍ତିଗତ ଖାନତଲାସି ଆଳରେ ଫାଇଦା ଉଠାଉଛନ୍ତି ପୁଲିସ ଅଫିସର। ବହୁବାର ପୁଲିସ ମୁଖ୍ୟାଳୟର ଅଭିଯୋଗ ପ୍ରକୋଷ୍ଠରେ ସିଧାସଳଖ ପୁଲିସ ଅଫିସରଙ୍କ ବିରୋଧରେ ଏ ପ୍ରକାର ଅଭିଯୋଗ ଆସୁଛି। ମହିଳାଙ୍କ ମର୍ଯ୍ୟାଦା କ୍ଷୁଣ୍ଣ ହେଉଥିବାରୁ ଥାନାରେ ମହିଳାଙ୍କୁ ଅଟକ, ପଚରାଉଚରା କିମ୍ବା ବ୍ୟକ୍ତିଗତ ଯାଞ୍ଚ ଏଣିକି କେବଳ ମହିଳା ଅଫିସର ହିଁ କରିବେ। ଏହି ସମୟରେ ସମ୍ପୃକ୍ତ ମହିଳାଙ୍କ ସମ୍ପର୍କୀୟ ସେଠାରେ ଉପସ୍ଥିତି ରହିବାକୁ ପୁଲିସ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏମିତିକି ଥାନା କିମ୍ବା କୋର୍ଟକୁ ଯିବା ସମୟରେ ପୁଲିସ ଏସ୍କର୍ଟ ସହିତ ପରିବାର ଲୋକେ ବି ରହିବେ। ଯଦିଓ ସିଆରପିସିରେ ଏସବୁର ବ୍ୟବସ୍ଥା ରହିଛି, ପୁଲିସ ଅଫିସରମାନେ ଏହାକୁ ପାଳନ କରୁନଥିବାରୁ ମୁଖ୍ୟାଳୟ ପକ୍ଷରୁ ନୂଆ ନିର୍ଦ୍ଦେଶାବଳୀ ଜାରି କରାଯାଇଛି।

ପୁଲିସ ଅଫିସରଙ୍କ ଦ୍ବାରା ବିଭିନ୍ନ ସମୟରେ ମହିଳା ଦୁର୍ବ୍ୟବହାରର ଶିକାର ହେଉଥିବା ଘଟଣା ରାଜ୍ୟ ମାନବାଧିକାର କମିସନ, ମାନବାଧିକାର ସୁରକ୍ଷା ସେଲ୍, ମହିଳା କମିସନ ଏବ˚ ପୁଲିସ ଡିଜିଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏକାଧିକ ବାର ଅଭିଯୋଗ ହୋଇଛି। ମୁଖ୍ୟତଃ ଦୁଷ୍କର୍ମ ଏବ˚ ଅସଦାଚରଣର ଶିକାର ମହିଳାଙ୍କୁ ପୁଲିସ ଥାନାରେ ପଚରାଉଚରା, ଘର ଖାନତଲାସି ଆଳରେ ଅସଦାଚରଣ କରୁଥିବା ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ବିଭାଗ କଠୋର ପଦକ୍ଷେପ ନେଇଛି।

ସିଆରପିସିର ଧାରା ୧୬୦(ଆଇ) ଅନୁଯାୟୀ, ଜଣେ ମହିଳାଙ୍କୁ ତାଙ୍କ ଘରେ ପଚରାଉଚରା କରାଯାଉଥିବା ବେଳେ ସମ୍ପୃକ୍ତ ମହିଳାଙ୍କ ସହିତ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ପାଖରେ ରହିବାର ଅନୁମତି ଦିଆଯିବ। ସେ ମହିଳାଙ୍କ ବୟାନ ରେକର୍ଡ ପର୍ଯ୍ୟନ୍ତ ଉପସ୍ଥିତ ରହିବେ। ମହିଳା ଜଣକ ଗର୍ଭବତୀ ହୋଇଥିଲେ ତାଙ୍କ ପ୍ରତି ତଦନ୍ତକାରୀ ଅଧିକାରୀ ସ୍ବତନ୍ତ୍ର ଧ୍ୟାନ ଦେବେ। ମହିଳାଙ୍କ ବ୍ୟକ୍ତିଗତ ଖାନତଲାସ ସମୟରେ ସିଆରପିସିର ଧାରା ୫୧(୨) ଏବ˚ ୧୦୦(୩) ଅନୁଯାୟୀ, ଜଣେ ମହିଳା ପୁଲିସ ଅଫିସରଙ୍କ ଦ୍ବାରା କରାଯିବ। ମହିଳା କିମ୍ବା ତାଙ୍କ ଆଖପାଖରେ ପୁଲିସର ଖାନତଲାସ ସମୟରେ ସ୍ଥାନୀୟ ଅଞ୍ଚଳର ଦୁଇ ଜଣ ନିରପେକ୍ଷ ସାକ୍ଷୀ ଉପସ୍ଥିତ ରହିବା ବାଧ୍ୟତାମୂଳକ। ସୂର୍ଯ୍ୟୋଦୟ ପୂର୍ବରୁ କିମ୍ବା ସୂର୍ଯ୍ୟାସ୍ତ ପରେ ମହିଳାଙ୍କୁ ଗିରଫ କରାଯିବ ନାହିଁ। ଏହି ସମୟରେ ଯଦି ଗିରଫ କରାଯାଉଛି, ତେବେ ତଦନ୍ତକାରୀ ଅଧିକାରୀ ଷ୍ଟେସନ ଡାଏରୀରେ ନିର୍ଦ୍ଦିଷ୍ଟ କାରଣ ଦର୍ଶାଇବା ବାଧ୍ୟତାମୂଳକ।

ଏ ସ˚କ୍ରାନ୍ତରେ ଉପରିସ୍ଥ ଅଧିକାରୀଙ୍କୁ ତୁରନ୍ତ ଅବଗତ କରାଯିବା ଜରୁରି। ଯେତେବେଳେ ମହିଳା ଅଭିଯୁକ୍ତଙ୍କୁ କୋର୍ଟରୁ ଜେଲ କିମ୍ବା ଗିରଫ ସ୍ଥଳରୁ ଥାନାକୁ ଅଣାଯାଏ, ସେହି ସମୟରେ ଏସକର୍ଟ ପାର୍ଟିଙ୍କ ସହିତ ସମ୍ପୃକ୍ତ ମହିଳାଙ୍କ ସମ୍ପର୍କୀୟ ରହିବେ। ମହିଳା ହୋମଗାର୍ଡ କିମ୍ବା ମହିଳା ପୁଲିସ କର୍ମଚାରୀ ଏସକର୍ଟ ପାର୍ଟିରେ ନିୟୋଜିତ ହେବ। ମହିଳାଙ୍କୁ ଥାନାରେ କେବଳ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ହାଜତରେ ଅଟକ ରଖାଯିବ। ଯଦି ମହିଳା ହାଜତ ନାହିଁ, ତେବେ ସ୍ବତନ୍ତ୍ର କୋଠରିରେ ରଖାଯିବ। ମହିଳା ହୋମଗାର୍ଡ ତାଙ୍କୁ ସୁରକ୍ଷା ଯୋଗାଇବେ। ପୁରୁଷ ହାଜତରେ କୌଣସି ପରିସ୍ଥିତିରେ ରଖାଯିବ ନାହିଁ। ଥାନାରେ ଅଟକ ଥିବା ସମୟରେ ମହିଳାଙ୍କ ସମ୍ପର୍କୀୟଙ୍କୁ ଥାନାରେ ରହିବାକୁ ଅନୁମତି ପୁଲିସ ଦେବାକୁ ବାଧ୍ୟ। ତଦନ୍ତକାରୀ ଅଧିକାରୀ ମହିଳା ଅଭିଯୁକ୍ତଙ୍କୁ ପୁଲିସ ରିମାଣ୍ତରେ ଆଣିବା ପୂର୍ବରୁ ଜଣେ ଗେଜେଟେଡ୍ ପୁଲିସ ଅଫିସର ଥାନାରେ ମହିଳାଙ୍କ ସୁରକ୍ଷା ବନ୍ଦୋବସ୍ତ ବାବଦରେ ସୁନିଶ୍ଚିତ ହେବା ଜରୁରୀ। ଏଭଳି ନିର୍ଦ୍ଦେଶନାମା ପାଳନ ପାଇଁ ପୁଲିସ ବିଭାଗ ପକ୍ଷରୁ ରାଜ୍ୟର ଜିଲ୍ଲା ଏସପି/ଡିସିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦେଶନାମା ପାଳନ ହେଉଛି ନା ନାହିଁ, ସେଥିପାଇଁ ଏସପି କିମ୍ବା ଏସଡିପିଓ ବିଭିନ୍ନ ସମୟରେ ଥାନାରେ ଅତର୍କିତ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି।