ଘନ ଘନ ଚାପ ପରେ ଜିଏସଟି କାଉନସିଲର ବଡ଼ ନିଷ୍ପତ୍ତି : ୧୭୮ଟି ସାମଗ୍ରୀ ଉପରେ କମିଲା ଟିକସ

31

କନକ ବ୍ୟୁରୋ : ଘନ ଘନ ଚାପ ପରେ ନୂଆ ଟିକସ ବ୍ୟବସ୍ଥାରେ ଐତିହାସିକ ପରିବର୍ତ୍ତନ ଆଣିଛନ୍ତି କେନ୍ଦ୍ର ସରକାର । ଜିଏସଟି କାଉନସିଲ ବୈଠକରେ ବଡ଼ ନିଷ୍ପତ୍ତିି ନିଆଯାଇଛି । ୨୮ ପ୍ରତିଶତ ଟ୍ୟାକ୍ସ ସ୍ଲାବରେ ଥିବା ୧୭୮ଟି ସାମଗ୍ରୀ ଉପରେ ଟିକସ ହ୍ରାସ କରାଯାଇ ୧୮ ପ୍ରତିଶତ ରଖାଯାଇଛି । ନଭେମ୍ବର ୧୫ ତାରିଖରୁ ଏହି ନୂଆ ଟିକସ ହାର ଲାଗୁହେବ । ମାତ୍ର ୫୦ଟି ସାମଗ୍ରୀ ଉପରେ ଉଚ୍ଚ ଟିକସ ସ୍ଲାବ ରହିବ ।

ଆଗରୁ ମୋଟ ୨୨୮ ଟି ସାମଗ୍ରୀ ଉପରେ ୨୮ ପ୍ରତିଶତ ଟିକସ ଥିଲା । ତେବେ ନୂଆ ନିଷ୍ପତ୍ତିି ଅନୁସାରେ ରେଷ୍ଟ୍ରୁରାଂଟରେ ଖାଇବା ଶସ୍ତା ହୋଇଯିବ । ଷ୍ଟାର ହୋଟେଲକୁ ଛାଡିଦେଲେ ଅନ୍ୟ ହୋଟେଲରେ ଖାଇଲେ ୧୮ ପ୍ରତିଶତ ବଦଳରେ ୫ ପ୍ରତିଶତ ଟିକସ ଦେବାକୁ ହେବ । ସେହିପରି ଦୈନନ୍ଦିନ ବ୍ୟବହାର ହେଉଥିବା ଚକୋଲେଟ୍, ଚୁଇଙ୍ଗ ଗମ୍, ଫେସିଆଲ ମେକ୍ ଅପ୍ ସାମଗ୍ରୀ, ସେଭିଂ କ୍ରିମ୍, ଆଫ୍ଟର ସେଭ୍ ଲୋସନ, ସାମ୍ପୋ, ଡିଓଡୋରାଂଟ, ଟୁଥ ପେଷ୍ଟ, ପୁଷ୍ଟିକର ପାନୀୟ, ୱାସିଂ ପାଉଡର, ଗ୍ରାନାଇଟ୍ ଏବଂ ମାର୍ବଲ ଆଦି ସାମଗ୍ରୀ ଶସ୍ତା ହେବ । କାରଣ ଏହା ଉପରେ ଟିକସ ହ୍ରାସ କରାଯାଇଛି ।

ପୂର୍ବରୁ ଏହିସବୁ ସାମଗ୍ରୀ ଉପରେ ୨୮ ପ୍ରତିଶତ ଟିକସ ଧାର୍ଯ୍ୟ କରାଯାଇଥିଲା । ଆଜି ୨୩ ତମ ଜିଏସଟି କାଉନସିଲ ବୈଠକରେ ଦିନ ତମାମ ଆଲୋଚନା ପରେ ଏପରି ନିଷ୍ପତ୍ତିି ନିଆଯାଇଥିବା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ଅର୍ଥମନ୍ତ୍ରୀ ଆହୁରି ସୂଚନା ଦେଇ କହିଛନ୍ତି, ୧୩ଟି ସାମଗ୍ରୀ ଯାହା ପୂର୍ବରୁ ୧୮ ପ୍ରତିଶତ ଟିକସ ସ୍ଲାବରେ ଥିଲା, ସେଗୁଡିକୁ ୧୨ ପ୍ରତିଶତ ସ୍ଲାବରେ ରଖାଯାଇଛି ।

ସେହିପରି ୬ଟି ସାମଗ୍ରୀକୁ ୧୮ ପ୍ରତିଶତରୁ ୫ ପ୍ରତିଶତ , ୮ ଟି ସାମଗ୍ରୀକୁ ୧୨ରୁ ୫ ପ୍ରତିଶତ ଏବଂ ୬ଟି ଆଇଟମ, ଯାହା ପୂର୍ବରୁ ୫ ପ୍ରତିଶତ ଥିଲା, ତାକୁ ଟିକସ ମୁକ୍ତ କରାଯାଇଛି । ତେବେ ଜିଏସଟି ହାରରେ ଏହି ପରିବର୍ତ୍ତନ ପରେ ବାର୍ଷିକ ୨୦ ହଜାର ଟଙ୍କାର ରାଜସ୍ୱ କ୍ଷତି ଘଟିବ । ସେପଟେ ରଙ୍ଗ ଓ ସିମେଂଟ ଉପରେ ପୂର୍ବଭଳି ୨୮ ପ୍ରତିଶତ ଟିକସ କାଏମ୍ ରହିଛି । ସେହିପରି ୱାସିଂ ମେସିନ ଓ ଏୟାର କଣ୍ଡିସନର ଭଳି ବିଳାସ ସାମଗ୍ରୀ ଉପରେ ମଧ୍ୟ ଏହି ହାରରେ ଟିକସ ଦେବାକୁ ପଡିବ ।