ଆମ ପ୍ରତିନିଧିଙ୍କ ଆଖିରେ ବିଜେପୁର ଉପନିର୍ବାଚନ! କେଉଁ ଦଳର ସ୍ଥିତି କଣ , ଗ୍ରାଉଣ୍ଡ ଜିରୋ ରିପୋର୍ଟ

128

ବିଜେପୁର ଉପ-ନିର୍ବାଚନ ପାଇଁ ସରଗରମ ରାଜ୍ୟ ରାଜନୀତି । ତିନୋଟି ବ୍ଲକ ଓ ଦୁଇଟି ବିଜ୍ଞାପିତ ଅଂଚଳ ପରିଷଦକୁ ନେଇ ଚାଲିଥିବା ବ୍ୟାଟେଲ ଫିଲଡରେ ପ୍ରଚାର କମ୍ପୁଛି । ବିଶେଷ କରି ତିନୋଟି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସମ୍ମାନ ବଂଚାଇବା ପାଇଁ ଜୋରଦାର ପ୍ରୟାସ ଚଲାଇଛନ୍ତି । ରାଜନୈତିକ ମଇଦାନର ଯଦି ବିଶ୍ଲେଷଣ କରିବା, ତେବେ ଗତ ଏକ ବର୍ଷ ମଧ୍ୟରେ ବିଜେପୁରର ରାଜନୈତିକ ପାଣିପାଗରେ ଅନେକ ପରିବର୍ତ୍ତନ ଆସିଛି । ଖାସ୍ କରି ପଂଚାୟତ ଭୋଟ ପରେ ସ୍ଥିତି ସୁଧାରି ଆଗକୁ ବଢିବା ଏବେ ମୁଖ୍ୟ ଲକ୍ଷ୍ୟ ପାଲଟିଛି ।

ରାଜ୍ୟର ଶାସନ କ୍ଷମତାରେ ୧୮ ବର୍ଷ ଥିବା ବିଜୁ ଜନତା ଦଳ ଥରେ ମାତ୍ର ବିଜେପୁରରୁ ବିଜୟୀ ହୋଇଛି । ବର୍ତ୍ତମାନ ବିଜେପି ପ୍ରାର୍ଥୀ କରିଥିବା ଅଶୋକ ପାଣିଗ୍ରାହୀ ହିଁ ୨୦୦୦ ମସିହାରେ ବିଜେଡି ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ । ସେତେବେଳେ ଓଡିଶାରେ ମେଣ୍ଟ ଶାସନ ଚାଲିଥିଲା । ଗୋଟିଏ ଘାଟରେ ଥିଲେ ବିଜେପି-ବିଜେଡି । ହେଲେ ୨୦୦୪ ନିର୍ବାଚନରେ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କଠାରୁ ପରାଜିତ ହୋଇଥିଲେ ବିଜେଡି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ । ୨୦୦୯ରେ ପ୍ରଭାତ ଆଦିତ୍ୟ ମିଶ୍ର ଓ ୨୦୧୪ ନିର୍ବାଚନରେ ହେଭିୱେଟ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିବା ସତ୍ତେ୍ୱ, ସବୁଳ ସାହୁଙ୍କ ଆଗରେ ଚିତପଟାଙ୍ଗ୍ ହୋଇଥିଲା ନବୀନ ସେନା । ହେଲେ ୨୦୧୭ରେ ସୁବଳଙ୍କ ମୃତ୍ୟୁ ପରେ ଯେବେ ତାଙ୍କ ପତ୍ନୀ ରୀତା ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି, ଭିନ୍ନ ରାଜନୈତିକ ଅଙ୍କକଷା ଦେଖାଦେଇଛି । ସୁବଳଙ୍କ ପରିବାର ବିଜେଡିରେ ମିଶିବା ପରଠାରୁ ହିଁ ପ୍ରତି ପଂଚାୟତ ଜଗିଛି ବିଜେଡି । ଦଳର ତୃଣମୂଳ ନେତାଙ୍କ ଠାରୁ ଆରମ୍ଭ କରି ହେଭିୱେଟ୍ ନେତା ପର୍ଯ୍ୟବେକ୍ଷକ ଭାବେ ପଂଚାୟତ ଗୁଡିକରେ ଘର ଭଡା ନେଇ ଗାଁ ଗାଁରେ ଶକ୍ତି ପ୍ରଦର୍ଶନ କରୁଛନ୍ତି । ହେଲେ ପ୍ରଶ୍ନ ଉଠୁଛି, ସୁବଳଙ୍କ ସହ ଥିବା ସମସ୍ତ କଂଗ୍ରେସ ସମର୍ଥକ କଣ ରୀତାଙ୍କ ଶଂଖରେ ମୋହର ମାରିବେ ତ?

Bijepurଅନ୍ୟପଟେ ଗତ ପଂଚାୟତ ନିର୍ବାଚନରେ ବରଗଡରେ ବିଜେପି ଯେଉଁ ବିଜୟ ଲାଭ କରିଥିଲା , ସେଥିରୁ ପାଖାପାଖି ୯୨ ହଜାର ଭୋଟ ଥିଲା କେବଳ ବିଜେପୁରରୁ । ପଞ୍ଚାୟତ ସଫଳତା ଦୋହରାଇବା ଏବେ ବିଜେପି ପାଇଁ ବଡ ଚ୍ୟାଲେଞ୍ଜ । କାରଣ ତାହା ହିଁ ସ୍ପଷ୍ଟ କରିବ ରାଜ୍ୟରେ ପରିବର୍ତ୍ତନର ହାୱା । ହେଲେ ବିଜେପିରେ ଅଶୋକ ପାଣିଗ୍ରାହୀଙ୍କ ମିଶ୍ରଣ ପରେ ଯେଉଁ ବିବାଦ ଦେଖା ଦେଇଥିଲା, ତାହା କିଛିଟା ପ୍ରଭାବିତ କରିଛି ପ୍ରଚାର ମଇଦାନକୁ । ତାଙ୍କ ପ୍ରାର୍ଥୀତ୍ୱକୁ ନେଇ ତକ୍ରାଳୀନ ବରଗଡ ବିଜେପି ସଭାପତି ନାରାୟଣ ସାହୁ ଦଳ ଛାଡି ବିଜେଡିରେ ଯୋଗ ଦେଲେ । ଚର୍ଚ୍ଚା ହେଲା, ନାରାୟଣଙ୍କ ସହ ପୁଣି ଅଶୋକଙ୍କୁ ବିରୋଧ କରି ବିଜେପି ଏସସି ସେଲ ସଦସ୍ୟ ପ୍ରମୋଦ ଛତର ସ୍ୱାଧୀନ ଭାବେ ନାମାଙ୍କନ ଭରିବାରୁ ଦଳରୁ ବିଦା ହୋଇଛନ୍ତି । ପ୍ରମୋଦଙ୍କ ଏସସି ଭୋଟ ଓ ନାରାୟଣଙ୍କ କୁଲିତା ଭୋଟ ଅଶୋକଙ୍କ ଭୋଟ୍ ବ୍ୟାଙ୍କ ଉପରେ ପ୍ରଭାବ ପକାଇ ପାରେ ବୋଲି ଚର୍ଚ୍ଚା ହେଉଛି । ହୁଏତ ଏମିତି କିଛି କାରଣରୁ ପୋଷ୍ଟର ଓ ବ୍ୟାନରରେ ବି ପଛରେ ପଡି ଯାଇଛନ୍ତି ଅଶୋକ । ପୁଣି ଗଞ୍ଜାମର ମୂଳବାସିନ୍ଦା ହୋଇଥିବାରୁ, ଅଣ-ବିଜେପୁର ପ୍ରଭାବ ଚାଲିଛି ଅଶୋକଙ୍କ ବିରୋଧରେ । ହେଲେ ଯଦି ଏହି ଅଣ-ବିଜେପୁର ପ୍ରଚାରର ପ୍ରଭାବ ୨୦୦୦ ମସିହାରେ ପଡି ନଥିଲା, ତାହା ଏଥର ବି ପଡିବନି ବୋଲି ଅଶୋକ ଦାବି କରିଛନ୍ତି । ପୁଣି ଯେତେ ଥର ସ୍ୱାଧୀନ ଭାବେ ଲଢିଛନ୍ତି, ୧୮ ହାଜରରୁ ଅଧିକ ଭୋଟ ପାଇଛନ୍ତି ଅଶୋକ । ଅଶୋକଙ୍କ ଦୃଢୋକ୍ତି, ତାଙ୍କ ପକେଟ ଭୋଟ ସଂଖ୍ୟା ୩୦ ହଜାର ।

bijepurଅଶୋକ ଓ ରାତୀଙ୍କଠାରୁ ଭିନ୍ନ ରାଜନୀତିରେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ । ଏକ ମାତ୍ର ପ୍ରାର୍ଥୀ ଯିଏ କି ଦଳ ବଦଳ ରାଜନୀତିରେ ସାମିଲ ନାହାନ୍ତି । ପୂର୍ବତନ ମେଳଚ୍ଛାମୁଣ୍ଢା ବିଧାୟକ ବିରେନ୍ଦ୍ରନାଥ ସାହୁଙ୍କ ପୁଅ ପ୍ରଣୟ ବର୍ତ୍ତମାନ ଗାଏସିଲାଟ ବ୍ଲକ ଉପାଧ୍ୟକ୍ଷ ଅଛନ୍ତି । ଦେଢ ଦଶନ୍ଧିରୁ ଗାଏସିଲାଟ ପଂଚାୟତ ରାଜନୀତିରେ ସେ ସକ୍ରିୟ ଅଛନ୍ତି । ହେଲେ ସେଠାରେ ହିଁ ସୀମିତ ରହି ଯାଇଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେବେ କିଛି ଦିନ ତଳେ ବରପାଲ୍ଲୀରେ ବିରାଟ ଶକ୍ତି ପ୍ରଦର୍ଶନ କରିଥିଲେ ପ୍ରଣୟ । ଚର୍ଚ୍ଚା ହେଉଛି, ପ୍ରଣୟଙ୍କ ପଟୁଆରରେ କେବଳ ବରପାଲ୍ଲୀ ଲୋକେ ଥିଲା । ଯାହା ତାଙ୍କ ଭୋଟ ବ୍ୟାଙ୍କ ପାଇଁ ଏକ ବଡ ମାଇଲେଜ୍ । କିନ୍ତୁ ପ୍ରଭାବ ମଇଦାନରେ ପ୍ରଣୟ ଏକ । ହେଭିୱେଟ ନେତାଙ୍କ କଥା ତ ଦୂରର କଥା କୌଣସି କଂଗ୍ରେସ ନେତା ବି ପ୍ରଣୟଙ୍କ ସହ ପ୍ରଚାରରେ ଦେଖିବାକୁ ମିଳୁ ନାହାନ୍ତି । ତେବେ ଗାଏସିଲାଟ ବ୍ଲକ ପାଟଣାଗଡ ଓ ପଦମପୁରକୁ ପାଖ । ଯେଉଁଠି କନକବର୍ଦ୍ଧନ ସିଂହଦେଓ ଓ ପ୍ରଦୀପ ପୁରୋହିତଙ୍କ ପରି ବିଜେପିର ଦୁଇ ହେଭିୱେଟ ବିଧାୟକ ଅଛନ୍ତି । ସେମାନେ ପ୍ରତିଦିନ ପଦଯାତ୍ରା ଓ ସଭା କରିବାରେ ବ୍ୟସ୍ତ । ଅନ୍ୟପଟେ କୁଲିତା ସଂପ୍ରଦାୟର ହୋଇଥିବାରୁ ପ୍ରଣୟ ସ୍ଥାନୀୟ ଲୋକ ଓ ଚାଷୀଙ୍କୁ ନିଜ ଷ୍ଟାର କ୍ୟାମ୍ପନରର ଆଖ୍ୟା ଦେଇ ଜାତିଆଣ ରାଜନୀତିକୁ ସରଗରମ କରୁଛନ୍ତି ।

bijepur electionଗତକାଲି ବିଜେଡି ସଭାପତି ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତର ଯିବା ପୂର୍ବରୁ ପ୍ରଥମ ଥର ପାଇଁ ବିଜେଡିର ବୃହତ ବିଜୟ ଉପରେ ମୋହର ମାରିଛନ୍ତି । ସେପଟେ କେନ୍ଦ୍ର ମନ୍ତ୍ରୀମାନଙ୍କୁ ନେଇ ବିଜେପି ଜୋରଦାର ପ୍ରଚାର ଚଲାଇଛି । ଗାଁ ଗାଁ ବୁଲି ଚାଷୀ ଆତ୍ମହତ୍ୟା, ବୁଣାକାର ସମସ୍ୟା ସଂପର୍କରେ ବିଜେଡି ବିରୋଧରେ ନାରା ଦେଉଛନ୍ତି । ହେଲେ ବିଜେଡି ବି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଓ ପଶ୍ଚିମ ଓଡିଶାର ଲାଇଫଲାଇନ୍ ମହାନଦୀକୁୁ ଢାଲ କରି ବିଜେପୁରର ଗାଁ ଗାଁ ବୁଲୁଛି । ତିନି ତିନି ଥର ସୁବଳ ରକ୍ଷା କରିଥିବାର ବିଜେପୁର କଂଗ୍ରେସ ଗଡ ସମ୍ଭାଳିବା ପାଇଁ ପ୍ରଣୟ ବି ଗାଁ ଗାଁ ବୁଲୁଛନ୍ତି । କାହିଁକି ଦେଢ ଦଶନ୍ଧିରୁ ଉଭୟ ବିଜେଡି ଓ ବିଜେପିକୁ ବିଜେପୁରବାସୀ ପ୍ରତ୍ୟାଖ୍ୟାନ କରିଛନ୍ତି, ସେ ସଂପର୍କରେ ଲୋକଙ୍କୁ ଅବଗତ କରୁଛନ୍ତି ପ୍ରଣୟ । ଯାହାକୁ ଅତୁଟ ରଖି କଂଗ୍ରେସର ସେହି ପାରମ୍ପରିକ ଭୋଟ ବଂଚାଇବାକୁ ପ୍ରଣୟ ଉଦ୍ୟମ କରିବାରେ ବ୍ୟସ୍ତ । ଉଭୟ ଅଶୋକ ଓ ରୀତା ହେଉଛନ୍ତି ବରପାଲ୍ଲୀର ବାସିନ୍ଦା । ପ୍ରଣୟ ଗାଏସିଲାଟର ମୂଳବାସିନ୍ଦା । ତେବେ ପ୍ରଶ୍ନ ଉଠୁଛି, ଯେଉଁ ଅଂଚଳ ନାଁରେ ଏହି ନିର୍ବାଚନମଣ୍ଡଳୀକୁ ଲୋକେ ଚିହ୍ନନ୍ତି, ସେହି ବିଜେପୁରର ଉନ୍ନତି ନା ପଛୁଆ ରହିବା ପାଇଁ କାହାକୁ ଦାୟୀ କରିବେ ଭୋଟର? ତିନି ତିନି ଥର କଂଗ୍ରେସର ସବୁଳ ସାହୁ ରହିବେ ଉତ୍ତରଦାୟୀ ଯାହା କଂଗ୍ରେସକୁ ପ୍ରଭାବିତ କରିବ, ନା ତାଙ୍କ ପତ୍ନୀ ଯିଏ ଏବେ ବିଜେଡି ପ୍ରାର୍ଥୀ । ଅଂଚଳର ବିକାଶ କରିଥିଲେ ସୁବଳଙ୍କ କାର୍ଯ୍ୟଧାରା ପାଇଁ ରୀତାଙ୍କୁ ସମାନ ସମ୍ମାନ ମିଳୁଛି ନା ପଛୁଆ ପଡିଥିବା କାରଣରୁ ସୁବଳ ବିରୋଧୀ ହାୱା ରୀତା ଓ ବିଜେଡି ଉପରେ ପ୍ରଭାବ ପକାଉଛି? ହେଲେ ପଞ୍ଚାୟତର ପାଖାପାଖି ଲକ୍ଷେ ବିଜେପି ଭୋଟ ଯଦି ଅଶୋକ ଦଖଲ କରୁଛନ୍ତି, ତେବେ ଏହି ତ୍ରୀମୁଖି ଲଢେଇର ଗତି ବଦଳିଯିବ ।

(ବିଜେପୁରରୁ ଆମ ପ୍ରତିନିଧି ପ୍ରିୟ ପ୍ରୀତମ ମହାନ୍ତି ଦେଖିଥିବା ରାଜନୈତିକ ଦୃଶ୍ୟପଟ୍ଟର ସ୍ଥିତିକୁ ନେଇ ଏହି ରିପୋର୍ଟ)