ଦଲାଲର ଅର୍ଥ ଲାଳସା ! ସାମାନ୍ୟ ରୋଗ ଭଲ କରିବାକୁ ଯାଇ ଦୂରାରୋଗ୍ୟ ରୋଗରେ ଆକ୍ରାନ୍ତ ହେଲେ ଯୁବକ

44

କନକ ବ୍ୟୁରୋ : ରୋଗ ପ୍ରତ୍ୟକ ମଣିଷର ଜୀବନ ସହ ଅଙ୍ଗାଙ୍ଗୀଭାବେ ଜଡିତ । କିନ୍ତୁ ଏହି ରୋଗର ଯନ୍ତ୍ରଣା ଆହୁରି ବଢ଼ିଯାଏ, ଯେତେବେଳେ ରୋଗୀ କୌଣସି ଦଲାଲ ହାବୁଡରେ ପଡେ । ଦଲାଲଙ୍କ ଅର୍ଥଲାଳସା ସାଙ୍ଗକୁ ଅନଭିଜ୍ଞ ଡାକ୍ତରଙ୍କର ଅଧିକ ଟଙ୍କା ରୋଜଗାର କରିବାର ନିଶା ରୋଗୀକୁ ସର୍ବସ୍ୱାନ୍ତ କରିଦିଏ । ଅର୍ଥ ହରାଇବା ସହ, ରୋଗ ଭଲ ହେବା ବଦଳରେ ବଢ଼ିଯାଏ । ସେହି ସମୟରେ ରୋଗୀ ଓ ତାଙ୍କ ସମ୍ପର୍କୀୟ ଭାଙ୍ଗିପଡନ୍ତି । ସହାୟତା ପାଇଁ ବାରଦୁଆର ହେବା ସାର ହୁଏ ।

ଗୋଟିଏ ରୋଗ ଭଲ କରିବାକୁ ଯାଇ ଫଶିଗଲେ ନୀଳଗିରିର ଯୁବକ । ଦଲାଲ ହାବୁଡରେ ପଡି ସାମାନ୍ୟ ରୋଗ ଭଲ କରିବାକୁ ଯାଇ ଦୂରାରୋଗ୍ୟ ରୋଗରେ ଆକ୍ରାନ୍ତ ହୋଇଛନ୍ତି ଶଶିକାନ୍ତ ରାଉତ୍ । ୨୦୧୪ ରେ କୌଣସି କାରଣ ଯୋଗୁଁ ଶଶିକାନ୍ତଙ୍କର ଦାନ୍ତ ବିନ୍ଧା ହୋଇଥିଲା । ଏନେଇ ସେ କଟକ ଏସସିବି ଇଏନଟି ବିଭାଗର ପରାମର୍ଶ ପାଇଁ ଯାଇଥିଲେ । କିନ୍ତୁ ଦୁର୍ଭାଗ୍ୟବସତଃ ସେ ସେହି ମେଡିକାଲରେ କାର୍ଯ୍ୟରତ ଆଦିକନ୍ଦ ବେହେରା ନାମକ ଜଣେ ଦଲାଲ ହାବୁଡରେ ପଡିଯାଇଥିଲେ । ଦଲାଲର ପରାମର୍ଶ ଅନୁସାରେ ଘରର ସମସ୍ତ ଆସବାବ ପତ୍ର ବିକ୍ରି କରି ଜଗତପୁର ଅଂଚଳର ଏକ ନର୍ସିଂ ହୋମରେ ଚିକିତ୍ସିତ ହୋଇଥିଲେ । ଗାଲରୁ ମାଂସ କାଟି ଦାନ୍ତ ମାଢ଼ିରେ ପକାଇଥିଲେ ସର୍ଜରୀରେ ଅନଭିଜ୍ଞ ଥିବା ଡାକ୍ତର । ତାପରେ ଶଶିଙ୍କର ଦୁଃଖ ବଢ଼ିଯାଇଥିଲା । ପାଟି ଭିତରେ ଦାଢ଼ି ଉଠିବା ସହ ରକ୍ତ ବହିବା ଆରମ୍ଭ କରିଥିଲା । ସମ୍ପୃକ୍ତ ଡାକ୍ତର ୩ମାସ ପରେ ପୁନଶ୍ଚ ଅପରେସନ କରିଥିଲେ । ବର୍ତ୍ତମାନ ସୁଦ୍ଧା ୬ଥର ଅପରେସନ ହୋଇ ସାରିଛି । ଏହାପରେ ଶଶିଙ୍କ ମୁହଁ ବିକୃତ ହେବା ସହ ମୁଖ କର୍କଟକୁ ଗତି କରିଯାଇଛି ।

ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ରୋଗରେ ଆକ୍ରାନ୍ତ ହେବା ପରେ ଭାଙ୍ଗିପଡିଛି ସମ୍ପୂର୍ଣ୍ଣ ପରିବାର । ପୁଅର ପାଠପଢ଼ାରେ ଡୋର ବନ୍ଧା ହେବାକୁ ବସିଛି । ଆର୍ଥିକ ସହାୟତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖିଥିଲେ ଶଶିଙ୍କ ଆଠ ବର୍ଷର ପୁଅ ଦୀପଙ୍କର । ଏବଂ ଅର୍ଥ ପୈଠ ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଇଏସଆଇକୁ ନିର୍ଦ୍ଦେଶ ମଧ୍ୟ ଆସିଥିଲା । କିନ୍ତୁ ଏପର୍ଯ୍ୟନ୍ତ କୌଣସି ସହାୟତା ମିଳିନଥିବା ଜଣାପଡିଛି । ତେଣୁ କେନ୍ଦ୍ର ଓ ରାଜ୍ୟ ସରକାର ଶଶିଙ୍କ ପରିବାରକୁ ସହାୟତା ଦେବାକୁ ଦାବି କରିଛନ୍ତି ସମାଜସେବୀ । ଏହାସହିତ ଦଲାଲ ଓ ସମ୍ପୃକ୍ତ ନର୍ସିଂ ହୋମ ଉପରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।
ଆପଣମାନେ ଚିକିତ୍ସିତ ହେବାକୁ ଯାଉଥିଲେ ସତର୍କ ହୋଇଯାଅନ୍ତୁ । କାରଣ ଆପଣ ବି କେତେବେଳେ ପଡିପାରନ୍ତି ଦଲାଲଙ୍କ ହାବୁଡରେ ।