ତିତଲିକୁ ମୁକାବିଲା କରିବାକୁ ସରକାର ପ୍ରସ୍ତୁତ! ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ବର୍ଷା, ପବନକୁ ଆଖିରେ ରଖି ୫ ଜିଲ୍ଲାକୁ ରେଡ୍ ଓାର୍ଣ୍ଣିଂ

38

କନକ ବ୍ୟୁରୋ : ସମ୍ଭାବ୍ୟ ବାତ୍ୟା ଓ ବର୍ଷାର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ପ୍ରଶାସନ । ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନଡିଆରଏଫ୍ ଓ ଓଡ୍ରାଫ ଟିମକୁ ସଜାଗ ରଖାଯାଇଛି । ସେପଟେ ସଚିିବାଳୟରେ ସମ୍ଭାବ୍ୟ ବାତ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ସରକାର । ପ୍ରଥମ ପର୍ଯ୍ୟାୟରେ ଗଂଜାମ, ଗଜପତି, ଜଗତସିଂହପୁର ଓ ପୁରୀରେ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ଘୋଷଣା କରାଯାଇଛି । ପରିସ୍ଥିତି ଦେଖି ଅନ୍ୟ ଜିଲ୍ଲା ସର୍ମ୍ପକରେ ନିଷ୍ପତି ନିଆଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଅଣ୍ଟା ଭିଡିଛି ପ୍ରଶାସନ । ପାଣିପାଗ ବିଭାଗର ଆକଳନ ଓ ବାତ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ବି ଅଧିକାରୀ ଜିଲ୍ଲା ମୁଖ୍ୟାଳୟ ନଛାଡିବାକୁ କୁହାଯାଇଛି । ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଜିଲ୍ଲା କଂଟ୍ରୋଲ ରୁମକୁ ୨୪ଘଂଟା ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।

ବାତ୍ୟାର ମୁକାବିଲା ପାଇଁ ୨୦ଟି ଓଡ୍ରାଫ ଟିମ ଓ ୧୧ଟି ଏନଡିଆରଏଫ ଟିମ୍ ପ୍ରସ୍ତୁତ ରଖାଯାଇଛି । ମଙ୍ଗଳବାର ୬ଟି ଏନଡିଆରଏଫ ଟିମକୁ ସମସ୍ତ ଯାନ୍ତ୍ରିକ ଉପକରଣ ସହ ପୁରୀ, କେନ୍ଦ୍ରାପଡା, ଯାଜପୁର, ଗଜପତି, ଭଦ୍ରକ ଓ ନୟାଗଡକୁ ପଠାଯାଇଛି । ୟେଲୋ ଓ ରେଡ୍ ୱାଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡିକ ଉପରେ ସ୍ୱନ୍ତ୍ରନ୍ତ୍ର ଦୃଷ୍ଟି ରଖିଛନ୍ତି ସରକାର ।

ଏହାସହ ୧୩ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସ୍ୱାସ୍ଥ୍ୟ ସଚିବ ଚିଠି ଲେଖିଛନ୍ତି । ଜଗତସିଂହପୁର, ଗଞ୍ଜାମ, ପୁରୀ, ଗଜପତି, କେନ୍ଦ୍ରାପଡା, କନ୍ଧମାଳ, ବାଲେଶ୍ୱର, ଖୋର୍ଦ୍ଧା, ନୟାଗଡ, କଟକ, ଯାଜପୁର, ଭଦ୍ରକ ଓ ବୌଦ୍ଧ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ସଚିବ । ଏହାସହ ଜିଲ୍ଲା ଓ ବ୍ଲକସ୍ତରରେ କଣ୍ଟ୍ରୋଲରୁମ ଖୋଲିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକୀୟ ସ୍ଥଳେ ଜେନେରେଟର ଓ ଔଷଧ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଗର୍ଭବତୀ ମହିଳା ମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରିବାକୁ ଜିଲ୍ଲାପାଳଙ୍କୁୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ।

୧୦ ଓ ୧୧ ତାରିଖ, ଦୁଇ ଦିନ ଧରି ବର୍ଷାର ପରିମାଣ ବଢିବ । ରାଜ୍ୟର କିଛି ଅଂଚଳରେ ୧୩ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି । ସେପଟେ ସମସ୍ତ ବନ୍ଦରରେ ୧ ନମ୍ବର ବିପଦ ସଂକେତ ଜାରି କରାଯାଇଛି । ଏହାଛଡା ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରିତ କରିବାକୁ ମଧ୍ୟ ପ୍ରଶାସନ ପ୍ରସ୍ତୁତ ରହିଛି ।