ଫୋନରେ ଆଧାର ହେଲପଲାଇନ ସେଭ୍ ପ୍ରସଙ୍ଗ ! ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପରେ ଭୁଲ ମାଗିଲା ଗୁଗୁଲ ।

28

ଭୁଲ ମାଗିଲା ଇଂଟରନେଟ ସର୍ଚ୍ଚ ଇଂଜିନ୍ ଗୁଗୁଲ । ଫୋନରେ ଲୋକଙ୍କ ଅଜାଣତରେ ଆଧାରର ହେଲପଲାଇନ ନମ୍ବର ସେଭ ହୋଇଛି । ଏହି ଭୁଲ ପାଇଁ ଗୁଗୁଲ ନିଜକୁ ଦାୟୀ କରିବା ସହ କ୍ଷମା ପ୍ରାର୍ଥନା କରିଛି । ଅଜାଣତରେ ଏହି ନଂବର ଆଣ୍ଡ୍ରଏଡର ସେଟଅପ ୱିଜାର୍ଡରେ ରହିଯାଇଥିଲା । ସେଇଥି ପାଇଁ ଏଭଳି ସମସ୍ୟା ହୋଇଥିବା ଗୁଗୁଲ କଂପାନୀ ତରଫରୁ ସଫେଇରେ କୁହାଯାଇଛି । ଆଗାମୀ ଦିନରେ ସେଟଅପ ୱିଜାର୍ଡରେ ଥିବା ଏହି ସମସ୍ୟାକୁ ସମାଧାନ କରାଯିବ ବୋଲି କହିଛି ଗୁଗୁଲ । ଏହାଛଡା ଗ୍ରାହକ ଚାହିଁଲେ ସେହି ନଂବରକୁ ନିଜ ଫୋନରୁ ଡିଲିଟ ମଧ୍ୟ କରିପାରିବେ ବୋଲି ଗୁଗୁଲ କହିଛି । ଅନ୍ୟପଟେ ବିବାଦ ବଢୁଥିବା ଦେଖି ସ୍ପଷ୍ଟୀକରଣ ଦେଇଛି ୟୁଆଇଡିଏଆଇ । ଫୋନରେ ସେଭ ଥିବା ନଂବର ପୁରୁଣା, ନୂଆ ନଂବର ହେଉଛି ୧୯୪୭ ଓ ଏହା ୨ ବର୍ଷ ହେଲାଣି କାମ କରୁଛି । ହ୍ୟାଣ୍ଡସେଟଗୁଡିକରେ ଡିଫଲଟ ଫୋନବୁକରେ କୌଣସି ନଂବର ସେଭ କରିବା ପାଇଁ କାହାକୁ କହିନାହୁଁ ବୋଲି କହିଛି ୟୁଆଇଡିଏଆଇ ।

ଫ୍ରାନ୍ସର ଜଣେ ନିରାପତା ଗବେଷକ ଏଲିଅଟ୍ ଆଲଡରସନ ୟୁଆଇଡିଏଆଇର ଟ୍ୱିଟର ହ୍ୟାଣ୍ଡଲରେ ଟ୍ୱିଟ୍ କରି ଏହାକୁ ଲୋକ ଲୋଚନକୁ ଆଣିଥିଲେ । ଲୋକଙ୍କ ଅଜାଣତରେ ଅଧାର ଟୋଲଫ୍ରି ନଂବର କିପରି ସେମାନଙ୍କ ଫୋନରେ ସେଭ ହୋଇଛି ସେନେଇ ପ୍ରଶ୍ନ କରିଥିଲେ । ଏହାପରେ ଅନେକ ଲୋକ ଆଧାର ଟୋଲ ଫ୍ରି ନଂବର ଥିବା ସ୍କ୍ରିନସଟକୁ ଟ୍ୱିଟରରେ ସେୟାର କରି ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ଏହାକୁ ବ୍ୟକ୍ତିଗତ ଗୋପନୀୟତାର ଉଲ୍ଲଂଘନ ସହିତ ମଧ୍ୟ ତୁଳନା କରାଯାଇଥିଲା ।