ଭୁବନେଶ୍ୱର ବିମାନବନ୍ଦରରେ ଜବତ ହେଲା ୩୩ଟି ସୁନା ଖାଡି : ଚତୁରତାର ସହ ସ୍କ୍ରୁଡ୍ରାଇଭରରେ ଲୁଚାଇ ଆଣିଥିଲେ ତାମିଲନାଡୁର ଯାତ୍ରୀ

35

କନକ ବ୍ୟୁରୋ :  କେମିତି ହୁଏ ସୁନା ସ୍ମଗଲିଂ । ତାର ଚିତ୍ର ସାମ୍ନାକୁ ଆସିଛି । ସୁନା ବାର ଚୋରା ଚାଲାଣବେଳେ ଭୁବନେଶ୍ୱର ବିଜୁପଟ୍ଟନାୟକ ବିମାନ ବନ୍ଦରରୁ ଜବତ ହୋଇଛି । ତେବେ ଅତି ଚତୁରତାର ସହିତ ଏଗୁଡିକୁ ସ୍କ୍ରୁ ଡ୍ରାଇଭର ଭିତରେ ଲୁଚାଇ ଆଣିଥିଲେ ଚାଲାଣକାରୀ । ୩୩ଟି ଗୋଲ୍ଡ ବାର ବା ସୁନା ଖାଡି ସହ ଏକ ସୁନା ବିସ୍କୁଟକୁ ମଧ୍ୟ ଜବତ କରାଯାଇଛି । ସୁନା ବିସ୍କୁଟଟିକୁ ନିଜ ମଳଦ୍ୱାରରେ ଏକ ବ୍ଲାକଟେପ୍ ସାହାଯ୍ୟରେ ଗୁଡାଇ ରଖିଥିଲେ ଯାତ୍ରୀ ଜଣକ ।

ପ୍ରାୟ ୬ଶହ ୬୨ ଗ୍ରାମର ଏହି ସୁନାର ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ । ତାମିଲନାଡୁ ରାମନାଥପୁରମର ଜଣେ ଯାତ୍ରୀ ଏଗୁଡିକୁ ଏୟାର ଏସିଆ ଫ୍ଲାଇଟରେକ୍ୱାଲାଲମପୁରରୁ ଆଣିଥିବାବେଳେ ଧରିଛି ଏୟାର ଇଂଟେଲିଜେନ୍ସ ୟୁନିଟ । ଏକ ଟୁଲବକ୍ସରେ ସ୍କ୍ରୁଡ୍ରାଇଭର ରଖି ତା ଭିତରେ ସୁନା ବାରଗୁଡିକୁ ଲୁଚାଇ ରଖିଥିଲେ ଯାତ୍ରୀ ଜଣକ । ସୁନା ଚୋରା ଚାଲାଣ ପାଇଁ ସ୍ୱତନ୍ତ୍ର ଭାବେ ଏହି ସ୍କ୍ରୁଡ୍ରାଇଭରଗୁଡିକୁ ତିଆରି କରାଯାଇଥିଲା । ଗତ ୧୩ ତାରିଖରେ ଯାତ୍ରୀଙ୍କୁ କାବୁ କରିଥିଲା ବିମାନବନ୍ଦରର କଷ୍ଟମ ବିଭାଗ ।