କଂଗ୍ରେସ ଛାଡ଼ିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ ! ରାହୁଲ ଓ ପ୍ରସାଦଂକ ନିକଟକୁ ପଠାଇଲେ ଇସ୍ତଫାପତ୍ର । ବିଜେଡିରେ ଯୋଗଦେବା ନେଇ ଚର୍ଚ୍ଚା

72

କନକ ବ୍ୟୁରୋ: କଂଗ୍ରେସ ଛାଡିଲେ ଚନ୍ଦ୍ରଶେଖର । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ ତଥା କଂଗ୍ରେସ ଦଳର ବରିଷ୍ଠ ନେତା ଦଳରୁ ଇସ୍ତଫା ଦେଇଛନ୍ତି । ତାଙ୍କ ସହ ଏଆଇସିସି ସଦସ୍ୟ ତଥା ପିସିସି ସାଧାରଣ ସମ୍ପାଦକ ବିକ୍ରମ ପଣ୍ଡା ଓ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ଭଗବାନ ଗନ୍ତାୟତ ମଧ୍ୟ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି ଏହି ତିନି ଜଣ ବରିଷ୍ଠ କଂଗ୍ରେସ ନେତା ।

ଦଳର ଆଭ୍ୟନ୍ତରୀଣ ସ୍ଥିତି ଓ ସାଙ୍ଗଠନିକ ନିଷ୍କ୍ରିୟତା ଯୋଗୁ ସେ ଇସ୍ତଫା ଦେଇଥିବା କହିଛନ୍ତି ଚନ୍ଦ୍ରଶେଖର । ଏ ନେଇ ଅନେକ ଥର ଆଲୋଚନା କରିଥିଲେ ମଧ୍ୟ ସୁଫଳ ନମିଳିବାରୁ ବାଧ୍ୟ ହୋଇ ଦଳ ଛାଡିଥିବା ସେ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି । ଦୀର୍ଘ ୪୦ ବର୍ଷ ଧରି କଂଗ୍ରେସରେ ରହି ଆସିଥିବା ଚନ୍ଦ୍ରଶେଖର ସାହୁଙ୍କର ଜଣେ ଦୃଢ ସଙ୍ଗଠକ ଭାବେ ପରିଚୟ ରହିଛି । ଏଆଇସିସି ସଦସ୍ୟ ସହ ପିସିସି କାର୍ଯ୍ୟକାରୀ ସଭାପତି ଭାବେ ମଧ୍ୟ ସେ ଦାୟିତ୍ୱ ତୁଲାଇଛନ୍ତି । ତେଣୁ ଚନ୍ଦ୍ରଶେଖରଙ୍କ ଇସ୍ତଫା ସହ ଗଞ୍ଜାମ ଜିଲ୍ଲା କଂଗ୍ରେସର ଏକ ବଡ ଗୋଷ୍ଠୀ ଦଳ ଛାଡିବା ରାଜ୍ୟ କଂଗ୍ରେସ ପାଇଁ ଏକ ବଡ ଝଟକା ବୋଲି ଚର୍ଚ୍ଚା ହେଉଛି ।

ଉଲ୍ଲେଖା ଥାଉକି, ଚନ୍ଦ୍ରଶେଖର ସାହୁ । ପୂର୍ବତନ କେନ୍ଦ୍ରମନ୍ତ୍ରୀ । ୟୁପିଏ ସରକାର ଅମଳରେ ୪ ବର୍ଷ ଧରି କେନ୍ଦ୍ରମନ୍ତ୍ରୀ ଥିଲେ ଚନ୍ଦ୍ରଶେଖର । ମିଳିଥିଲା ଗ୍ରାମ୍ୟ ଉନ୍ନୟନ ବିଭାଗର ରାଷ୍ଟ୍ରମନ୍ତ୍ରୀ ପାହ୍ୟା । ଦକ୍ଷିଣ ଓଡିଶାର ଜଣେ ଟାଣୁଆ ନେତା ଓ ଦକ୍ଷ ସଂଗଠକ ଭାବେ ଜଣାଶୁଣା ଚନ୍ଦ୍ରଶେଖର ସାହୁ । ଦୁଇ ଦୁଇ ଥରର ବ୍ରହ୍ମପୁର ମ୍ୟୁନିସିପାଲିଟି ଚେୟାରମ୍ୟାନ୍ । ଦଳ ଛାଡିବାକୁ ନିଷ୍ପତି ନେବା ପରେ ଚନ୍ଦ୍ରଶେଖର ସାହୁ ଖୋଲାଖୋଲି କଂଗ୍ରେସର କାର୍ଯ୍ୟଶୈଳୀ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।