କାଟୁ କରୁନି ପ୍ରଚାର, ସଚେତନତା, କଟକଣା : ବ୍ୟବହାର ହେଉନି ପାର୍ବଣ ଋତୁକୁ ଆଖି ଆଗରେ ରଖି ତିଆରି ହୋଇଥିବା ଅସ୍ଥାୟୀ ପୋଖରୀ

81

କନକ ବ୍ୟୁରୋ : ନଦୀକୁ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ପାର୍ବଣ ଋତୁ ଆରମ୍ଭରୁ ପଦକ୍ଷେପ ନିଆଗଲା । ୩ଟି ଅସ୍ଥାୟୀ ପୋଖରୀ ମଧ୍ୟ ଖୋଳାଗଲା । ହେଲେ ପ୍ରଚାର, ସଚେତନତା, କଟକଣା କିଛି ବି କାଟୁ କଲାନାହିଁ । ଅସ୍ଥାୟୀ ପୋଖରୀ ଥାଇ ବି ସେଥିରେ ବିସର୍ଜନ ନକରି ଅନେକ ସିଧା ନଦୀ ଭିତରେ ମୂର୍ତି ବିସର୍ଜନ କରୁଛନ୍ତି । ୧୯୭୪ ଜଳ ପ୍ରଦୂଷଣ ନିୟନ୍ତ୍ରଣ ଓ ନିରାକରଣ ନିୟମ ମୁତାବକ ଦଣ୍ଡ ବିଧାନ ପାଇଁ ଆଇନ ଥିଲେ ମଧ୍ୟ ଏହାକୁ ଯେମିତି ଅନେକଙ୍କର ଭ୍ରୂକ୍ଷେପ ନଥିଲା । ବିଏମ୍‌ସି ଡିଭିଜନ୍‌-୧ ପକ୍ଷରୁ ପାଣ୍ଡରା ନିକଟ କୁଆଖାଇ ନଦୀରେ ଗୋଟିଏ ପୋଖରୀ, ଡିଭିଜନ୍‌-୨ ପକ୍ଷରୁ କୁଆଖାଇ ଟଙ୍କପାଣି ରୋଡ୍‌ ପୋଲ ନିକଟ ଓ ଦୟା ନଦୀର ଲିଙ୍ଗିପୁରଠାରେ ଗୋଟିଏ ଲେଖାଏଁ ଅସ୍ଥାୟୀ ପୋଖରୀ ଖୋଳାଯାଇଛି । ପୋଖରୀଗୁଡ଼ିକ ଛୋଟ ଆକାରରେ ଖୋଳାଯାଇଥିଲା । କିନ୍ତୁ ଏଥର ଗଣେଶ ପୂଜାଠୁ ନେଇ ବିଶ୍ୱକର୍ମାଙ୍କ ଶହଶହ ମୂର୍ତି କୁଆଖାଇ ଓ ଦୟା ନଦୀରେ ବିସର୍ଜନ କରାଯାଇଛି ।

ଏମିତି ତ ଅନେକ ଅସ୍ଥାୟୀ ପୋଖରୀ ବ୍ୟବସ୍ଥାକୁ ମାନୁନାହାନ୍ତି । ଅସ୍ଥାୟୀ ପୋଖରୀ କିନ୍ତୁ ପ୍ରକୃତ ସମାଧାନ ନୁହେଁ ବୋଲି କହିଛନ୍ତି ପରିବେଶବିତ୍‌ ଜୟକୃଷ୍ଣ ପାଣିଗ୍ରାହୀ । ଉଚ୍ଚ ନ୍ୟାୟାଳୟ ଅସ୍ଥାୟୀ ପୋଖରୀ ପ୍ରସ୍ତୁତ କରିବାକୁ କହିଥିଲେ ହେଁ ବାସ୍ତବରେ ଯେଉଁମାନେ ପ୍ରାକୃତିକ ରଙ୍ଗ ବ୍ୟବହାର କରୁଛନ୍ତି ସେହି ଅନୁଷ୍ଠାନଗୁଡ଼ିକୁ ହିଁ ପୂଜା ପାଇଁ ଅନୁମତି ଦିଆଯିବା ଉଚିତ୍‌ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି । ତାଙ୍କ ସୂଚନା ମୁତାବକ, ନିର୍ମିତ ହୋଇଥିବା ଅସ୍ଥାୟୀ ପୋଖରୀରୁ ପରବର୍ତୀ ସମୟରେ ପ୍ରଦୂଷିତ ପାଣିକୁ ପମ୍ପରେ ସେଇ ନଦୀ ପାର୍ଶ୍ୱରେ ହିଁ ଛଡ଼ାଯିବ । ଯାହା ମୃତ୍ତିକାକୁ ପ୍ରଦୂଷିତ କରିବ ।

ପରବର୍ତୀ ସମୟରେ ବର୍ଷାରେ ସେଇ ସଂଶ୍ଳେଷିତ ରାସାୟନିକ ରଙ୍ଗ ଭାସି ପୁଣି ନଦୀ ଜଳରେ ମିଶିବ । ତେଣୁ ଅସ୍ଥାୟୀ ପୋଖରୀ ଖୋଳିଦେଲେ ପାଣି ହୁଏତ ପ୍ରଦୂଷିତ ହେବ ନାହିଁ। କିନ୍ତୁ ସମୟକ୍ରମେ ଏହା ନିଶ୍ଚିତ ନଦୀରେ ମିଶି ନଦୀ ଜଳକୁ ପ୍ରଦୂଷିତ କରିବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି । ଅସ୍ଥାୟୀ ପୋଖରୀରେ ଯେ ବିଲକୁଲ୍‌ ମୂର୍ତି ବିସର୍ଜନ ହୋଇନାହିଁ ସେକଥା ନୁହେଁ, କିନ୍ତୁ ଅସ୍ଥାୟୀ ପୋଖରୀ ଅପେକ୍ଷା ମୁଖ୍ୟ ନଦୀରେ ଅନେକ ମୂର୍ତି ବିସର୍ଜନ କରାଯାଇଛି । ନଦୀ ତଳ ପଠାକୁ ନଯାଇ ଅନେକ ଓଭରବ୍ରିଜ୍‌ ଉପରେ ଛିଡ଼ା ହୋଇ ସିଧାସଳଖ ମୂର୍ତିକୁ ନଦୀ ମଧ୍ୟକୁ ପକାଉଛନ୍ତି ।

ଉଚ୍ଚ ନ୍ୟାୟାଳୟ ନିର୍ଦେଶ ଦେବା ପରେ ବିଏମ୍‌ସି ପୋଖରୀ ଖୋଳିଲା । କିନ୍ତୁ ନଦୀ ମଧ୍ୟକୁ ମୂର୍ତି ନପକାଇ ଅସ୍ଥାୟୀ ପୋଖରୀରେ ମୂର୍ତିଗୁଡ଼ିକ କିଭଳି ବିସର୍ଜନ ହେବ ତାକୁ ତଦାରଖ କରିବାକୁ କେହି ନାହାନ୍ତି । ପୁଣି ଶାରଦୀୟ ଦୁର୍ଗାପୂଜାରେ ୧୭୮ ପୂଜା ମଣ୍ଡପରେ ପୂଜା ହେଉଥିବା ବେଳେ ପାର୍ଶ୍ୱ ଦେବତାଙ୍କୁ ହିସାବକୁ ନେଲେ ୫୦୦ ମୂର୍ତି ଅତିକ୍ରମ କରିବ। ଆସନ୍ତା ଦିନମାନଙ୍କରେ ଗଜଲକ୍ଷ୍ମୀ ପୂଜା, କାଳୀ ପୂଜା, କାର୍ତିକ ପୂଜା ଓ ସରସ୍ୱତୀ ପୂଜା ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ୧ହଜାରରୁ ଅଧିକ ମୂର୍ତି ବିସର୍ଜନ କରାଯିବ । ତେଣୁ ଲାଗୁ ହୋଇଥିବା କଟକଣାକୁ କଡ଼ାକଡ଼ି ନକଲେ ଅସ୍ଥାୟୀ ପୋଖରୀ ହୋଇ ବି କୌଣସି ସୁଫଳ ମିଳିପାରିବ ନାହିଁ ବୋଲି ପରିବେଶବିତ୍‌ମାନେ ମତ ଦେଇଛନ୍ତି ।