୩୬ ବର୍ଷ ପରେ ପାକିସ୍ତାନ ଜେଲରୁ ମୁକ୍ତ ହେଲେ ସ୍ୱାମୀ । ପତ୍ନୀଙ୍କୁ ପାରିଲେନି ଚିହ୍ନି, ଡାକିଲେ ମା’

88

ଜେଲରୁ ମୁକ୍ତ ହେବା ପରେ ମଧ୍ୟ ବନ୍ଦୀ ଭଳି ଜୀବନ କାଟୁଛନ୍ତି ଗଜାନନ୍ଦ ଶର୍ମା । ଭାରତୀୟ ନାଗରିକ ଗଜାନନ୍ଦ ଶର୍ମା ଗତ ସୋମବାର ୩୬ବର୍ଷ ପରେ ନିଜ ଜନ୍ମସ୍ଥାନ ଜୟପୁରର ନାହରଗଢ଼ର ଫତେହରାମ ଟିବାକୁ ଫେରିଛନ୍ତି। ପାକିସ୍ତାନ ଜେଲରୁ ମୁକୁଳିବା ପରେ ସେ ଅଟ୍ରି-ଓ୍ଵାଘା ବର୍ଡରେ ପହଞ୍ଚିଥିଲେ। ଗଜାନନ୍ଦ ଗତ ୩୬ବର୍ଷ ହେବ ପାକିସ୍ତାନ ଲାହୋର ଜେଲରେ ବନ୍ଦୀ ଥିଲେ। ଗଜାନନ୍ଦଙ୍କୁ କେବଳ ଦୁଇମାସର ଦଣ୍ଡ ମିଳିଥିଲା,କିନ୍ତୁ କାଉନସଲର ଆକସେସ୍ ନହେବାରୁ ତାଙ୍କ ୩୬ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡ଼ିଥିଲା।

ଜେଲରୁ ମୁକୁଳିବା ପରେ ବି ଗଜାନନ୍ଦ ଶର୍ମା ଅନ୍ଧାର ଘରେ ରହୁଛନ୍ତି, କାରଣ ସେ ଆଲୋକ ଓ ଖରା ଦେଖିଲେ ଭୟ କରୁଛନ୍ତି। କେବଳ ଏତିକି ନୁହେଁ ପରିବାରଲୋକଙ୍କ ସହ କଥାବାର୍ତ୍ତା ହେବାକୁ ଭୟ କରୁଛନ୍ତି। କେହି କିଛି ପଚାରିଲେ ଉତ୍ତର ଦେବା ତ ଦୂରର କଥା ନିଜ ପତ୍ନୀକୁ ବି ଚିହ୍ନି ପାରୁ ନାହାନ୍ତି, ପତ୍ନୀ ମଖନି ଦେବୀଙ୍କୁ ମା’ ବୋଲି ଡାକୁଛନ୍ତି ।

ଗଜାନନ୍ଦଙ୍କ କନ୍ୟାଙ୍କ କହିବାନୁସାରେ, ପାକିସ୍ତାନ ଜେଲରୁ ବନ୍ଦୀ ଜୀବନ କାଟି ଫେରିବା ପରେ ବାପା ସମ୍ପୂର୍ଣ୍ଣ ଭାବେ ଅସ୍ୱଭାବିକ ବ୍ୟବହାର କରୁଛନ୍ତି। ପଦେପଦେ କଥାରେ ବିରକ୍ତ ହୋଇ ଯାଉଛନ୍ତି। ମା’ ତାଙ୍କୁ ସବୁକଥା ମନେ ପକାଇବାକୁ ଚେଷ୍ଟା କରୁଛନ୍ତି। ମୁଖ୍ୟମନ୍ତ୍ରୀ ବାପାଙ୍କୁ ଏକଲକ୍ଷ ଟଙ୍କା ଦେବାକୁ ପାଇଁ ଘୋଷଣା କରିଥିଲେ ଯାହାକି ଏଯାବତ୍ ମିଳିନାହିଁ।