ଓଡିଶାରେ ଭ୍ରଷ୍ଟାଚାରର ଦାନବକୁ କିଏ ଦେଉଛି ଦାନାପାଣି ? ସ୍ୱଚ୍ଛତା, ଆୟୁଷ୍ମାନ ଠାରୁ କର୍ମୀଙ୍କୁ ଆହ୍ୱାନ ଯାଏଁ ମୋଦିଙ୍କ ଓଡିଶା ବାର୍ତ୍ତା ।

224

କନକ ବ୍ୟୁରୋ: ଦିନିକିଆ ଓଡିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ୧୪ ହଜାର ୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏଥସହିତ ହିଁ ଖୋର୍ଧା ଗୋଳାଶା ପଡିଆରେ ଆୟୋଜିତ ଜନସଭାରେ ସାମଲ ହୋଇଥିଲେ ମୋଦି । ତେବେ ଓଡିଶାରେ ଅନେକ ବିକାଶ ମୂଳକ ପ୍ରକଳ୍ପର ଉଦଘାଟନ ସହ ଶିଳାନ୍ୟାସ କରିବା ସହ ଓଡିଶା ଗସ୍ତର ପ୍ରକୃତ ଉଦ୍ଦେଶ୍ୟକୁ ଚରିତ୍ରାର୍ଥ କରିବାକୁ ଭୁଲି ନାହାଁନ୍ତି ମୋଦି । ଏହି ଅବସରରେ ମୋଦି ଦଳର ସଫଳତାକୁ ବଖାଣିବା ସହ ଓଡିଶା ସରକାରଙ୍କୁ ସମାଲୋଚନା କରିବାକୁ ଭୁଲି ନାହାଁନ୍ତି । ଆଉ ଏସବୁ ଭିତରେ ମୋଦିଙ୍କର ଓଡିଶା ପ୍ରତି ଥିବା ଚିନ୍ତା ବି ବେଶ ତାଙ୍କ ଭାଷଣରେ ପ୍ରତିଫଳିତ ହୋଇଛି ।

ମୋଦି କହିଛନ୍ତି କି,କେନ୍ଦ୍ର ସରକାରଙ୍କ ଯୋଜନାର ସୁଫଳ ଦେଶର ଅନ୍ୟ ରାଜ୍ୟଗୁଡ଼ିକ ପାଉଥିବାବେଳେ ଓଡ଼ିଶା ଏହା ହାସଲ କରିପାରିଲା ନାହିଁ । ମୋଟାମୋଟି ରାଜ୍ୟ ସରକାରଙ୍କ ବିଫଳତାକୁ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ଉପସ୍ଥାପିତ କରିଥିଲେ। ସେ କହିଥିଲେ ସ୍ୱଚ୍ଛତା ଅଭିଯାନରେ ଓଡ଼ିଶା ପଛରେ ରହିଛି। ଏଠାକାର ମହିଳା ଓ ଶିଶୁ କୁପୋଷଣର ଶିକାର ହେଉଥିବାବେଳେ ୫୦ ପ୍ରତିଶତ ଡାକ୍ତର ପଦବୀ ଖାଲି ପଡ଼ିଛି। ପୁଣି ଓଡ଼ିଶାରେ ବହୁ ଅଞ୍ଚଳରେ ବିଶୁଦ୍ଧ ପାଣି ମିଳୁ ନାହିଁ। ଶିକ୍ଷକମାନଙ୍କୁ ବେତନ ପାଇବା ଲାଗି ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ପଡ଼ୁଛି। ଚିଫ୍ ଫଣ୍ଡ ଦୁର୍ନୀତି ସହିତ ଓଡ଼ିଶାକୁ ମାଡ଼ି ବସିଛି ପିସି ସଂସ୍କୃତି। ଓଡ଼ିଶାରେ ଭ୍ରଷ୍ଟାଚାର ଦାନବ ଶକ୍ତିଶାଳୀ ହୋଇ ଚାଲିଛି। ପରୋକ୍ଷରେ ରାଜ୍ୟ ସରକାରଙ୍କୁ ଆକ୍ଷେପ କରି ସେ କହିଥିଲେ, ଦୁର୍ନୀତି ଦାନବକୁ ଦାନାପାଣି ଦେଉଛି କିଏ?

ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଓଡ଼ିଶାକୁ ସାମିଲ୍ କରି ନ ଥିବାରୁ କ୍ଷୋଭ ପ୍ରକାଶ କରିଥିଲେ। ସେ କହିଥିଲେ ଏହି ଯୋଜନା ଲାଗୁ ହେଲେ ଗରିବ ଲୋକମାନେ ଦେଶର ବଡ଼ ଡାକ୍ତରଖାନାରେ ଚିକିତ୍ସା ସୁବିଧା ପାଇପାରନ୍ତେ, କିନ୍ତୁ ଓଡ଼ିଶା ଏଥିରୁ ବଞ୍ଚତ ହୋଇଛି। ଏହି ଯୋଜନା କାର‌୍ୟ୍ୟକାରୀ ହେବାର ୧୦୦ ଦିନରେ ୬ ଳକ୍ଷ ଗରିବ ରୋଗୀ ଏହାର ସୁବିଧା ନେଇଥିବାବେଳେ ଜଣେ ହେଲେ ଓଡ଼ିଆ ଏହାର ଫାଇଦା ପାଇପାରିଲେ ନାହିଁ।

ମୋଦି ଆହୁରୀ ମଧ୍ୟ କହିଛନ୍ତି, ଓଡିଶାରେ ପଂଚଧାରା ନଦୀ ବହୁଛି । ଯାହାକି ଚାଷୀକୂଳ ପାଇଁ ବେଶ ଫଳପ୍ରଦ ହେବ । ଓଡିଶାରେ ବହୁ ଥିବା ନଦୀଗୁଡିକ ନା କେବଳ ଚାଷୀଙ୍କ ଜୀବନର ମୋଡ ବଦଳାଇଦେବ ଏଥିସହିତ ହିଁ ଏହିସବୁ ନଦୀମାନଙ୍କର ବ୍ୟବହାର ଟ୍ରାନ୍ସପର୍ଟ ପାଇଁ ବି ବ୍ୟବହାର କରିହେବ । ହେଲେ ଓଡିଶା ସରକାର ଏଥିପ୍ରତି ମନ ଦେଉନାହାଁନ୍ତି । ଯାହା ଫଳରେ ଆଜି ଓଡିଶାକୁ ଏଭଳି ଦିନ ଦେଖିବାକୁ ପଡୁଛି । କୃଷକଙ୍କୁ ଉତ୍ତମ ବ୍ୟବସ୍ଥା ନ ମିଳିପାରିବାରୁ ନିଜର ଝାଳବୁହା ଧନକୁ ଜୀବନ ବିକଳରେ ଦଲାଲଙ୍କ ହାତରେ ଟେକିଦେବାକୁ ବାଧ୍ୟ ହେଉଛନ୍ତି ।

ଆମେ ଆପଣଙ୍କ ସାଥିରେ ଅଛୁ , ବାସ୍ ଦରକାର ଖାଲି ଆପଣମାନଙ୍କର ଆଶୀର୍ବାଦ । ଯଦି ଆପଣମାନଙ୍କର ଆଶୀର୍ବାଦ ଆମ ଉପରେ ରହିବ ତେବେ ଆମେ ନିଶ୍ଚୟ ଓଡିଶାରେ ସରକାର ଗଢିବୁ । ଆଉ ଓଡିଶାର ପ୍ରତିଟି ଗଳି କନ୍ଦିରେ ବିକାଶର ଧାରା ବୋହିବ । ଘରେ ଘରେ ବିଳୁଜି ସଂଯୋଗ ହେବ, ମହିଳାଙ୍କୁ ଉପଯୁକ୍ତ ସମ୍ମାନ ମିଳିପାରିବ ଏବଂ କୌଣସି ବି ଶିଶୁ କୁପୋଷଣର ଶିକାର ହେବ ନାହିଁ । କି ଚିକିତ୍ସା ଅଭାବରେ କୌଣସି ବି ବ୍ୟକ୍ତିର ଅକାଳ ମୃତ୍ୟୁ ହେବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ମୋଦି ନିଜ ଭାଷଣରେ କହିଥିଲେ ।

ମୋଦି କହିଛନ୍ତି, ଆମେ ମିଶନ ଉପରେ ବାହାରିଥିବା ଲୋକ । ସବକା ସାଥ୍, ସବକା ବିକାଶ ଆହ୍ୱାନ ନେଇ ଆମେ କାମ କରିଚାଲିଛୁ । ଆଉ ଆମେ ଓଡିଶାର ବିକାଶ ବି ଚାହୁଁଛୁ । ଯଦି ଓଡିଶାବାସୀଙ୍କର ଆମ ଉପରେ ଆଶୀର୍ବାଦ ରହିବ ତେବେ ଆମେ ନିଶ୍ଚୟ ଓଡିଶାରେ ସରକାର ଗଢିବୁ । ଆଉ ଓଡିଶାର ପ୍ରତିଟି ଗଳି କନ୍ଦିରେ ବିକାଶର ଧାରା ବୋହିବ । କୌଣସି ବି ଶିଶୁ କୁପୋଷଣର ଶିକାର ହେବ ନାହିଁ । କି ଚିକିତ୍ସା ଅଭାବରେ କୌଣସି ବି ବ୍ୟକ୍ତିର ଅକାଳ ମୃତ୍ୟୁ ହେବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ମୋଦି ନିଜ ଭାଷଣରେ କହିଥିଲେ । ଭାଜପା ସରକାର ଆପଣଙ୍କର ଶକ୍ତି , ସାମର୍ଥ ଏବଂ ସ୍ୱପ୍ନକୁ ନିଶ୍ଚୟ ପୁରଣ କରିବ । ଜନତା ଜନାର୍ଦ୍ଦନ ହେଉଛନ୍ତି ଇଶ୍ୱରଙ୍କ ରୂପ । ତେଣୁ ଆମ ଭାଗ୍ୟ ଆପଣଙ୍କ ଉପରେ ରହିଛି ବୋଲି କହିବା ସହ ଜୟ ଜଗନ୍ନାଥ କହି ନିଜର ଅଭିଭାଷଣ ଶେଷ କରିଥିଲେ ମୋଦି ।