ଶାଣିତ ନୁହେଁ, ସ୍ୱର ନରମିଲା । ଗୋଶାଳାରେ କମ୍ ଗର୍ଜିଲେ ଅଧିକ ସ୍ୱପ୍ନ ଦେଖାଇଲେ ପ୍ରଧାନମନ୍ତ୍ରୀ ।

ନରେନ୍ଦ୍ର ମୋଦି ତାଙ୍କ ଅଭିଭାଷଣରେ ଚିଟଫଣ୍ଡ ପ୍ରସଙ୍ଗ ସହ ପିସିର ଶଦ୍ଦକୁ ବ୍ୟବହାର କଲେ । କିନ୍ତୁ ପିସିକୁ ନେଇ ଯେଉଁ କଡା ଆଭିମୁଖ୍ୟ ଅତୀତରେ ଦେଖାଇଥିଲେ, ତାର ଆଜି ବ୍ୟତିକ୍ରମ ଦେଖିବାକୁ ମିଳିଥିଲା ।

253

୩୪ ମିନିଟ ୩୪ ସେକେଣ୍ଡ ଥିଲା ଗୋଶାଳାରେ ନରେନ୍ଦ୍ର ମୋଦିଙ୍କ ରାଜନୈତିକ ଭାଷଣ । ୨୦୧୯ ନିର୍ବାଚନର ବିଗୁଲ ମୋଦି ବଜାଇବେ ବୋଲି ଦଳୀୟ କର୍ମୀ ଓ ନେତା ସମସ୍ତେ ଅନାଇ ବସିଥିଲେ । ରାଜ୍ୟ ସରକାରଙ୍କର ଦୁର୍ନୀତି ଠାରୁ ଆରମ୍ଭ କରି ତମାମ ବିଫଳତାର ହିସାବ ମାଗିବା ସହ ବିଜେପି କର୍ମୀଙ୍କ ମନରେ ନୂତନ ଉର୍ଜ୍ଜା ଭରିବାର ଯେଉଁ ସୁଯୋଗ ଦଳ ତରଫରୁ ସୃଷ୍ଟି କରାଯାଇଥିଲା ତାର ଏକ ଭିନ୍ନ ବାର୍ତ୍ତା ଆଜି ସାମ୍ନାକୁ ଆସିଥିଲା ।

ଠିକ ୩ ମାସ ତଳେ ଦୁଇଟି ସରକାରୀ କାର୍ଯ୍ୟକ୍ରମରେ ନରେନ୍ଦ୍ର ମୋଦି ସାମିଲ ହେବାକୁ ଓଡିଶା ଆସିଥିଲେ । ଏହି ଅବସରରେ ଦଳ ତରଫରୁ ଆୟୋଜିତ ସଭାରେ ମଧ୍ୟ ସେ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ନେବାଠାରୁ ଆରମ୍ଭ କରି ସରକାରଙ୍କ ପିସି କାରବାରରେ ଜନତା କିଭଳି ପେଶି ହୋଇଯାଉଛନ୍ତି, ତାର ହିସାବ କିତାବ ମୋଦି କରିଥିଲେ ।

ହେଲେ ୩ ମାସ ପରେ କଣ ହୋଇଗଲା କେଜାଣି, ଆଜି ନରେନ୍ଦ୍ର ମୋଦିଙ୍କ ଅଭିଭାଷଣରେ ସେହି ଉର୍ଜ୍ଜା ବା ସେହି ଗର୍ଜନ ନଥିଲା, ଯାହା ତାଳଚେର ଓ ଝାରସୁଗୁଡାରେ ଦେଖିବାକୁ ମିଳିଥିଲା । ଅବଶ୍ୟ ମୋଦି ଗୋଶାଳାର କାର୍ଯ୍ୟକ୍ରମରେ ଉଭୟ ଚିଟଫଣ୍ଡ ଓ ପିସି କାରବାର କଥା ଉଠାଇଲେ, ହେଲେ ଆକ୍ରମଣ ଶାଣିତ ନଥିଲା । ଏକଥା ତାଳଚେର ଓ ଝାରସୁଗୁଡା ଭାଷଣ ସହ ତୁଳନା କଲେ ସ୍ପଷ୍ଟ ବୁଝାପଡିବ ।


ସ୍ୱାଭାବିକ ଭାବରେ ଏହି ୩ ମାସ ଭିତରେ ରାଜନୈତିକ ଦୃଶ୍ୟପଟ୍ଟରେ ଅନେକ କିଛି ପରିବର୍ତ୍ତନ ଆସିଛି । ଆଉ ଏହାକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାପିଚୁପି ମନ୍ତବ୍ୟ ଦେଇଥିବା ଅନୁମାନ କରାଯାଉଛି । ନିକଟରେ ସରିଥିବା ୫ ରାଜ୍ୟର ନିର୍ବାଚନରେ ବିଜେପିକୁ ବଡ ଝଟକା ଲାଗିଥିଲା । ୩ଟି ରାଜ୍ୟରେ ଦଳ କ୍ଷମତାବଜାୟ ରଖିବାରେ ବିଫଳ ହୋଇଥିଲା । କୁହାଯାଉଛି, ଏହି ଝଟକା ହିଁ ମୋଦିଙ୍କୁ ବାଧ୍ୟ କରିଥିଲା, ନିଜର ଶାଣିତ ଆକ୍ରମଣର ଅନ୍ଦାଜରୁ କ୍ଷାନ୍ତ ରହିବା ପାଇଁ ।

ନରେନ୍ଦ୍ର ମୋଦି ତାଙ୍କ ଅଭିଭାଷଣରେ ଚିଟଫଣ୍ଡ ପ୍ରସଙ୍ଗ ସହ ପିସିର ଶଦ୍ଦକୁ ବ୍ୟବହାର କଲେ । କିନ୍ତୁ ପିସିକୁ ନେଇ ଯେଉଁ କଡା ଆଭିମୁଖ୍ୟ ଅତୀତରେ ଦେଖାଇଥିଲେ, ତାର ଆଜି ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ଭ୍ରଷ୍ଟାଚାରର ଦାନବ ଓଡିଶାରେ କିଭଳି ଶକ୍ତିଶାଳୀ ହୋଇଛି ତାର ପ୍ରଶ୍ନ ମୋଦି ଉଠାଇଥିଲେ । ପଚାରିଥିଲେ ସେ କିଏ, ଯିଏ ଏହି ଦାନବକୁ ଦାନା-ପାଣି ଦେଇ ଶକ୍ତିଶାଳୀ କରାଉଛି?

ଏହି କିଛି ଶଦ୍ଦକୁ ଛାଡିଦେଲେ ମୋଦିଙ୍କ ଭାଷଣରେ ସେହି ଚିରାଚରିତ ଦିଗ ଗୁଡିକ ସାମ୍ନାକୁ ଆସିଥିଲା । ସ୍ୱଛତାରେ କିଭଳି ଓଡିଶା ପଛରେ ପଡିଛି, ଆୟୁଷ୍ମାନ ଯୋଜନାରେ ଓଡିଶା ସାମିଲ ନହେବାକୁ କିଭଳି ଲୋକ ସ୍ୱାସ୍ଥ୍ୟସେବାରୁ ବଂଚିତ ହେଉଛନ୍ତି, ଶିକ୍ଷ ଦରମା ପାଇଁ କିଭଳି ଧାରଣା ଦେଉଛନ୍ତି, କୃଷକ କିଭଳି ଜମିକୁ ପାଣି ପାଉନାହିଁ କିମ୍ବା ଉତ୍ପାଦିତ ଦ୍ରବ୍ୟର ମୂଲ୍ୟ ପାଉନାହିଁ, ପିଇବାକୁ ବିଶୁଦ୍ଧ ପାଣି ମିଳୁନାହିଁ । ଏମିତି ଅନେକ ପ୍ରସଙ୍ଗ ମୋଦି ଉଠାଇ ବାର୍ତ୍ତା ଦେବାକୁ ଚାହିଁଥିଲେ, ପ୍ରସଙ୍ଗ ଭିତ୍ତିକ ଲଢେଇ ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ନ’ନେଇ ନରେନ୍ଦ୍ର ମୋଦି ରଖିଥିବା ଅଭିଭାଷଣ ପଛରେ ଏକ ବଡ ଉଦ୍ଦେଶ୍ୟ ରହିଥିବା ଅନୁମାନ କରାଯାଉଛି । ୨୦୧୯ ନିର୍ବାଚନକୁ ଆଉ କେଇଟା ମାସ ବାକିଥିବା ବେଳେ କେନ୍ଦ୍ରରେ କ୍ଷମତାକୁ ଆସିବା ମୋଦି ସରକାରଙ୍କ ପାଇଁ ଆହ୍ୱାନ ପାଲଟିଥିବା ରାଜନୈତିକ ସମୀକ୍ଷକ ମତ ରଖୁଛନ୍ତି । ଖାସକରି ଛତିଶଗଡ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଦଳ କ୍ଷମତାକୁ ଯିବା ପରେ ଏହାର ପ୍ରଭାବ ୨୦୧୯ରେ ଦିଲ୍ଲୀ ଦରବାରରେ ଦେଖିବାକୁ ମିଳିପାରେ ବୋଲି କୁହାଯାଉଛି ।

ଆଉ ଖାସ୍ ଏହି ଦିଗକୁ ଆଖି ଆଗରେ ରଖି ବିଜେଡି ଭଳି ରାଜନୈତିକ ଦଳକୁ ଅସନ୍ତୁଷ୍ଟ କରିବାକୁ ମୋଦି ଚାହୁଁନଥିବା କୁହାଯାଉଛି । ଆବଶ୍ୟକ ସ୍ଥଳେ ବିଜେଡି ସହ ନିର୍ବାଚନ ପରବର୍ତ୍ତୀ ମେଂଟ କରି କ୍ଷମତାର ଧାରାକୁ ବଜାୟ ରଖିବାକୁ ମୋଦି ଚେଷ୍ଟା କରିପାରନ୍ତି ବୋଲି ଅନୁମାନ କରାଯାଉଛି । ଏନଡିଏରୁ ରାଜନୈତିକ ଦଳ ଦୂରେଇବା ଉଭୟ ମୋଦି-ଶାହା ଯୋଡିଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।

କୁହାଯାଉଛି, ଏହି କାରଣ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସଂପୂର୍ଣ୍ଣ ସମାଲୋଚନା କରିବାକୁ ମୋଦି ପଛଘୁଂଚା ଦେଲେ । ୨୦୧୯ରେ ନିର୍ବାଚନ ପାଣିପାଗକୁ ଆଖି ଆଗରେ ରଖି ଏଭଳି କିଛି ନିଷ୍ପତ୍ତି ହୋଇପାରେ, ଯାହା ଉଭୟ ବିଜେଡି ଓ ବିଜେପି ପାଇଁ ଫାଇଦା ଆଣିପାରେ । ଅତୀତରେ ମଧ୍ୟ ବିଜେଡି ନିର୍ଦ୍ଦିଷ୍ଟ କିଛି ପ୍ରସଙ୍ଗରେ ଏନଡିଏକୁ ସମର୍ଥନ ଜଣାଇଥିଲା । ତେଣୁ ଆବଶ୍ୟକ ସ୍ଥଳରେ ବିଜେପି-ବିଜେଡି ଭିତରେ ଏହି ସଂପର୍କର ସେତୁ ବାନ୍ଧୀହୁଏ । ତେଣୁ ଭାବିଚିନ୍ତି ମୋଦି ସମାଲୋଚନାର ଧାରାରୁ ଦୂରେଇ ରହି ମାପିଚୁପି ମନ୍ତବ୍ୟ ଦେଇଥିବା ଅନୁମାନ କରାଯାଉଛି ।

ପ୍ରଶ୍ନ ଉଠିବ, ଓଡିଶା ରାଜନୀତିରେ ଖାସ କରି ବିଜେପି ଏଥିରୁ ଫାଇଦା ପାଇବ ନା ଏଭଳି ମାପିଚୁପ୍ତି ମନ୍ତବ୍ୟ ଦେଇଥିବାରୁ ଦଳ ପ୍ରଭାବିତ ହେବ । ବିଜେପି ଆଶା କରୁଥିଲା, ହୁଏତ ମୋଦିଙ୍କ କିଛି ଶାଣିତ ଆକ୍ରମଣ ରାଜନୈତିକ ପାଣିପାଗକୁ ଗରମ କରିବା ସହ କର୍ମୀଙ୍କ ମନରେ ଆଗ୍ରହ ଭରିବ । ହେଲେ ସେଭଳି କିଛି ନହେବାକୁ ଦଳ କେମିତି ଅନୁଶୀଳନ କରି ଆଗାମୀ ରଣନୀତି ତିଆରି କରିବ, ତାର ଗୁରୁତ୍ୱ ଯଥେଷ୍ଟ ରହୁଛି ।

ମିଶନ ୧୨୦କୁ ନେଇ ଦଳ ଆଗକୁ ଓଡିଶାରେ ବଢୁଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କହୁଛନ୍ତି, ଓଡିଶାରେ ଦଳ ଭଲ ପ୍ରଦର୍ଶନ କରିବ, କିନ୍ତୁ କୈାଣସି ନା କୈାଣସି ଜାଗାରେ ବିଜେଡିର ସମର୍ଥନ ଆଉ ସଂପର୍କ ଦିଲ୍ଲୀରେ ଆବଶ୍ୟକ ବୋଲି ନେତା ଅନୁଭବ କରିଥିବା ଅନୁମାନ କରାଯାଉଛି । ଏହି ପରିପ୍ରେକ୍ଷୀରେ ନବୀନ-କେସିଆର ଭେଟର ମହତ୍ତ୍ୱ ଯଥେଷ୍ଟ ଅଧିକ ରହୁଛି । ଫେଡେରାଲ ଫ୍ରଂଟ ଆଧାରରେ ବିକଳ୍ପ କଥା ଚିନ୍ତା କରାଯାଉଥିବା ବେଳେ ସମର୍ଥନ ପାଇଁ ଏହା ସଂପର୍କର ସେତୁ ସାଜିପାରେ ବୋଲି କୁହାଯାଉଛି ।

ତେବେ ମୋଦିଙ୍କ ଶେଷ କେଇ ପଦ ଉକ୍ତିକୁ ଧରି ଦଳୀୟ କର୍ମୀମାନେ ପ୍ରକୃତରେ ଗାଁ ଗହଳିକୁ ଯାଇ ଏକ ବିରାଟ ପରିବର୍ତ୍ତନ ଆଣିବାକୁ ସକ୍ଷମ ହେବେ କି, ତାହା ଏକ ବଡ ପ୍ରଶ୍ନ । ନିଜ ଅଭିଭାଷଣର ଶେଷ କେଇପଦରେ ମୋଦି କହିଥିଲେ, ଆଗାମୀ ଦିନରେ ଭବିଷ୍ୟତ କଣ ହେବ ଦେଖାଯାଉଛି । ଗାଁ ଗାଁକୁ ପହଁଚିବା ସହ ଯୁବକ, କୃଷକ, ସମସ୍ତଙ୍କୁ ଯୋଡିବା ପାଇଁ ମୋଦି ଆହ୍ୱାନ ଦେଇଛନ୍ତି । ହେଲେ ମୂଳ ପ୍ରଶ୍ନ ଆସି ଅଟକିଯିବ, ଏହି ଆହ୍ୱାନ କଣ ସେଇ ଉର୍ଜ୍ଜା କର୍ମୀଙ୍କ ମନରେ ଭରିବ, ଯାହା ବିଜେପିର ମିଶନ ୧୨୦ ସ୍ୱପ୍ନକୁ ପୂରଣ କରିବ?