ସାଙ୍ଗକୁ ମାରିବା ପାଇଁ ସାଙ୍ଗର ଷଡ଼ଯନ୍ତ୍ର । ବିହାରରୁ ଚୋରା ବନ୍ଧୁକ ଆଣି ମର୍ଡର ପ୍ଳଟ୍ ରଚିଥିଲେ ଦୁଇ ଇଂଜିନିୟରିଂ ଛାତ୍ର

ବନ୍ଧୁକୁ ହତ୍ୟା କରିବା ପାଇଁ ବନ୍ଧୁ କଲା ଷଡଯନ୍ତ୍ର

482

କନକ ବ୍ୟୁରୋ : ବନ୍ଧୁକୁ ହତ୍ୟା କରିବା ପାଇଁ ବନ୍ଧୁ କଲା ଷଡଯନ୍ତ୍ର । ଏହା ହେଉଛି ଭୁବନେଶ୍ୱର ଇନଫୋସିଟି ଥାନା ଅଂଚଳର ଘଟଣା । ସ୍ଥାନୀୟ ଏକ ଘରୋଇ ଇଂଜିନିଅରିଂ ଶିକ୍ଷାନୁଷ୍ଠାନର ହଷ୍ଟେଲରେ ରହୁଥିବା ଜଣେ ସାଙ୍ଗକୁ ହତ୍ୟା କରିବା ପାଇଁ ଦୁଇ ଜଣ ସାଙ୍ଗ ପହଂଚିଥିଲେ । କିନ୍ତୁ ପୋଲିସ କୌଣସି ସୂତ୍ରରୁ ଖବର ପାଇ ସେମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ତେବେ ଏହା ପଛର କାହାଣୀ ହେଉଛି ଏପରି – ଆର‌୍ୟନ୍ ସିଂହ ଓରଫ ମୋଲୁ ଏବଂ ଉତ୍ସବ ସିଂହ ଓରଫ ବାବୁ ଦୁଇ ଜଣ ସ୍ଥାନୀୟ ଏକ ଘରୋଇ ଇଂଜିନିଅରିଂ କଲେଜର ଛାତ୍ର ।

ତେବେ ସେମାନଙ୍କୁ କେତେକ ସଂଗୀନ ଅଭିଯୋଗ ଆଧାରରେ କର୍ତୃପକ୍ଷ ଶିକ୍ଷାନୁଷ୍ଠାନରୁ ବାହାର କରି ଦେଇଥିଲେ । ଏହା ସହ ସେମାନଙ୍କର ହଷ୍ଟେଲରେ ରହୁଥିବା ଜଣେ ସହପାଠୀଙ୍କ ସହ ଝଗଡା ହୋଇଥିଲା । ଏହାକୁ ନେଇ ବେଶ୍ କ୍ଷୁବ୍ଧଥିଲେ ଦୁଇ ସାଙ୍ଗ ମୋଲୁ ଓ ବାବୁ । ସେମାନଙ୍କ ମଧ୍ୟରୁ ବାବୁର ଘର ବିହାର ହୋଇଥିବା ବେଳେ ସେ ଗାଁକୁ ଯାଇ ସେଠାରୁ ଏକ ଚୋରା ବନ୍ଧୁକ ଆଣିଥିଲା ।

ତେବେ ନିଜ ଭିତରେ ସୃଷ୍ଟି ହୋଇଥିବା ବିବାଦକୁ ସବୁଦିନ ପାଇଁ ତୁଟାଇବାକୁ ହଷ୍ଟେଲ ପହଂଚିଥିଲେ ମୋଲୁ ଓ ବାବୁ । ନିଜ ସାଙ୍ଗକୁ ହତ୍ୟା କରିବା ନେଇ ପୂର୍ବ ପ୍ରସ୍ତୁତି କରି ପହଂଚିଥିଲେ । ତେବେ କୌଣସି ସୂତ୍ରରୁ ଖବର ପାଇ ହଷ୍ଟେଲ ନିକଟରେ ପୋଲିସ ପହଂଚି ଦୁଇ ଇଂଜିନିଅର ଛାତ୍ରଙ୍କୁ ଗିରଫ କରିଛି । ସେମାନଙ୍କ ପାଖରୁ ପୋଲିସ ୩ଟି ଗୁଳି ସମେତ ଏକ ବନ୍ଧୁକ ଜବତ କରିଛି । ଇନ୍ଫୋସିଟି ଥାନାରେ ଏନେଇ ଧାରା ୫୦୬ ଆଇପିଏସ, ବେଆଇନ ଅସ୍ତ୍ରଶସ୍ତ୍ର ଆଇନ ୨୫ ଓ ୨୭ ଧାରାରେ ମାମଲା ରୁଜୁ ହୋଇଛି ।