ସମ୍ମାନ ପଛର ସତ ! ୩ ହଜାର ଧାର୍ କରି ରାଜଭବନ ଆସିଥିଲେ ସଂଗ୍ରାମୀ ପରିବାର

64

କନକ ବ୍ୟୁରୋ : ସମ୍ମାନ ପାଇବାକୁ ଭୁବନେଶ୍ୱର ଆସି ହଟହଟା ହୋଇଛନ୍ତି ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର । ସ୍ୱାଧୀନତା ସଂଗ୍ରାମୀ ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କ ପୁଅ ଓ ବୋହୂ ପ୍ରଧାନମନ୍ତ୍ରୀଙ୍କଠାରୁ ସମ୍ମାନ ଗ୍ରହଣ କରିବା ପରେ ବାଟ ହୁଡି ଅଲଗା ଅଲଗା ଟ୍ରେନରେ ପଳାଇଛନ୍ତି । ଏପରିକି ଲକ୍ଷ୍ମୀଙ୍କ ବୋହୂ ଅସହାୟ ଅବସ୍ଥାରେ ଆତ୍ମହତ୍ୟା ଉଦ୍ୟମ ବି କରିଛନ୍ତି । ଧାର କରଜ କରି ଭୁବନେଶ୍ୱର ଆସିବା ପରେ ସ୍ୱାଧୀନତା ସଂଗ୍ରାମୀଙ୍କ ଦାୟାଦ ହଟହଟା ହେବା ଏବେ ଚର୍ଚାର ବିଷୟ ପାଲଟିଛି ।

ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଅବସରରେ ସ୍ୱାଧୀନତା ସଂଗ୍ରାମୀ ଇନ୍ଦିରା ପଣ୍ଡାଙ୍କ ପୁଅ ରାଜେନ୍ଦ୍ର ପଣ୍ଡା ଓ ବୋହୂ ସୁଜାତା ପଣ୍ଡାଙ୍କୁ ରାଜଭବନରେ ସମ୍ମାନିତ କରିଥିଲେ ପ୍ରଧାନମନ୍ତ୍ରୀ । କିନ୍ତୁ ସମ୍ମାନ ପାଇବା ପରେ ଯାହା ହେଲା ତାହା କୌଣସି ସିନେମା ଷ୍ଟୋରୀ ଠାରୁ କମ ନୁହେଁ ।

ଉଭୟ ନିଜ ଘର ଜୟପୁରକୁ ଆସିବାକୁୁ ଭୁବନେଶ୍ୱର ଷ୍ଟେସନ ଆସିଲେ । କିନ୍ତୁ ଷ୍ଟେସନରେ ଅଲଗା ଅଲଗା ହୋଇଗଲେ । ଭୁଲରେ ସୁଜାତା ଉତ୍କଳ ଏକ୍ସପ୍ରେସରେ ଚଢିଥିବାବେଳେ ରାଜେନ୍ଦ୍ର ହୀରାଖଣ୍ଡ ଏକ୍ସପ୍ରେସରେ ଚଢିଗଲେ । ଟ୍ରେନରେ ବାଟବଣା ହେବା ପରେ ଅତିମାତ୍ରାରେ ବିବ୍ରତ ହୋଇ ପଡିଥିଲେ ସୁଜାତା ପଣ୍ଡା । ସ୍ୱାମୀ ଓ ସଂପର୍କୀୟଙ୍କୁ ପାଖରେ ନପାଇ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିବା କହିଛନ୍ତି ସୁଜାତଙ୍କ ସହ ଟ୍ରେନରେ ଥିବା ଯାତ୍ରୀ ।

ସୁଜାତା ପଣ୍ଡାଙ୍କ ଅସହାୟ ଅବସ୍ଥା ଦେଖି କିଛି ଯାତ୍ରୀ ସହାୟତା ପାଇଁ ଆଗେଇ ଆସିଥିଲେ । ଗତ ରାତି ପ୍ରାୟ ୩ଟାରେ ସୁଜାତାଙ୍କୁ ବାଲେଶ୍ୱର ଜିଆରପିକୁ ଜିମା ଦିଆଯାଇଥିଲା । ସୁଜାତାଙ୍କ ନିକଟରୁ ମୋଦିଙ୍କ ଠାରୁ ମିଳିଥିବା ମାନପତ୍ର, ପରିଚୟ ପତ୍ର ମିଳିଛି ।

ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତବେଳେ ସାରା ଦେଶରେ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର ସଂପର୍କରେ ଆଲୋଚନା ହେଲା । ଗଣମାଧ୍ୟମରେ ସମ୍ମାନ ନେଇ ଜୋରଦାର ଚର୍ଚା ବି ହେଲା । କିନ୍ତୁ ସମ୍ମାନିତ କରିବା ପରେ ସମସ୍ତେ ଯେମିତି ନିଜ ଦାୟିତ୍ୱ ଭୁଲିଗଲେ । ସେମାନେ କିପର ଆସିବେ ଓ କିପରି ଭଲଭାବେ ଫେରିଯିବେ ତାହା ଚିନ୍ତା କରିବାକୁ ପ୍ରଶାସନ ଉଚିତ ମଣିଲାନି ।