ସୁପ୍ରିମକୋର୍ଟ ବିବାଦ ! ପ୍ରଧାନ ବିଚାରପତିଙ୍କ ସହ ଜଜଙ୍କ ବୈଠକ, ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା

42

କନକ ବ୍ୟୁରୋ : ସୁପ୍ରିମକୋର୍ଟ ବିବାଦର ସମାଧାନ ପାଇଁ ଉଦ୍ୟମ ଜାରି ରହିଛି । ଆଜି ପ୍ରଧାନ ବିଚାରପତି ଦୀପକ ମିଶ୍ର ଅସନ୍ତୁଷ୍ଟ ୪ ଜଣ ବିଚାରପତିଙ୍କ ସହ ଆଲୋଚନା କରିଛନ୍ତି । ଦୀପକ ମିଶ୍ରଙ୍କ ସହ ଏହି ୪ଜଣ ବିଚାପତିଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି । ଗତ ଶୁକ୍ରବାରଦିନ ୪ ଜଣ ବରିଷ୍ଠ ବିଚାରପତି ସାମ୍ବାଦିକ ସମ୍ମିଳନୀ କରି କେଶ ଆବଂଟନକୁ ନେଇ ଆପତି କରିଥିଲେ । ଏହାକୁ ନେଇ ରାଜନୀତି ବି ହୋଇଥିଲା । ଗତକାଲି ସୁପ୍ରିମକୋର୍ଟ ବାର ଆସୋସିଏସନ ମାମଲାର ଆଂବଟନ ପାଇଁ ଏକ ସ୍ୱତନ୍ତ୍ର ପ୍ରକ୍ରିୟା କରିବାକୁ ପରାମର୍ଶ ଦେଇଥିଲା । ଏହା ପରେ ସିଜେଆଇଙ୍କ ସହ ବିଚାରପତିଙ୍କ ବୈଠକକୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି ।

ସୂଚନାଯୋଗ୍ୟ ଚାରି ଜଣ ବରିଷ୍ଠ ବିଚାରପତିଙ୍କ ବିଦ୍ରୋହକୁ କେନ୍ଦ୍ର କରି ସର୍ବୋଚ୍ଚ ଅଦାଲତରେ ସୃଷ୍ଟି ହୋଇଥିବା ବିବାଦ ର ସମାଧାନ ହୋଇପାରେ । ଦୁଇଦିନ ପୂର୍ବରୁ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଅସନ୍ତୁଷ୍ଟ ବିଚାରପତିମାନଙ୍କୁ ଭେଟି ଆଲୋଚନା କରିବା ପରେ ବିବାଦର ଅବସାନ ଘଟିଲା ବୋଲି ଆଟର୍ଣ୍ଣି ଜେନେରାଲ ବେଣୁଗୋପାଳ ସୂଚନା ଦେବାର କିଛି ସମୟ ପରେ ପୁଣି ନୂଆ ବିବାଦ ମୁଣ୍ଡ ଟେକିଥିଲା । ପ୍ରଧାନ ବିଚାରପତି ଜଷ୍ଟିସ୍ ମିଶ୍ର କେତେକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ପାଇଁ ଗଠନ କରିଥିବା ପାଞ୍ଚ ଜଣିଆ ସମ୍ବିଧାନ ପୀଠରେ ଏହି ବିଦ୍ରୋହୀ ବିଚାରପତିମାନଙ୍କୁ ସ୍ଥାନ ମିଳିନଥିଲା । ଫଳରେ ବିବାଦ ଥମିବା ବଦଳରେ ପୁଣି ବଢ଼ିଥିଲା । ଏହାକୁ ଦୃଷ୍ଟିରେ ରଖି ପ୍ରଧାନ ବିଚାରପତି ଆଜି ପୁଣି ଏହି ବିଚାରପତିମାନଙ୍କୁ ଭେଟିଥିଲେ । କିନ୍ତୁ କିଛି ସମାଧାନ ହୋଇପାରି ନଥିଲା ।