ସରିଫଙ୍କୁ ସଜା ! ଦୁର୍ନିତୀ ଅଭିଯୋଗରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ୧୦ ବର୍ଷ ଜେଲ ଓ ୭୩ କୋଟି ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଲେ କୋର୍ଟ

25

ପାକିସ୍ତାନ ସାଧାରଣ ନିର୍ବାଚନ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଲାଗିଛି ଜବରଦସ୍ତ ଝଟକା । ପାକିସ୍ତାନର ଆକାଉଣ୍ଟାବିଲିଟି କୋର୍ଟ ଭଷ୍ଟ୍ରାଚର ଅଭିଯୋଗରେ ନୱାଜଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ସେହିଭଳି ତାଙ୍କ ଝିଅ ମରିୟମ ସରିଫଙ୍କୁ ମଧ୍ୟ ୭ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଏପରିକି ନୱାଜଙ୍କ ଜ୍ୱାଇଁଙ୍କୁ ମଧ୍ୟ ଏକବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଏହାସହ ନୱାଜଙ୍କ ଉପରେ କୋର୍ଟ ୭୩ କୋଟି ଟଙ୍କାର ଜରିମାନା ଲଗାଇଛନ୍ତି । ସେହିଭଳି ଝିଅ ମରିୟମଙ୍କ ଉପରେ ୧୮ କୋଟି ଟଙ୍କା ଜରିମାନା ଲଗାଇଛନ୍ତି । ପାକିସ୍ତାନ ସାଧାରଣ ନିର୍ବାଚନ ପୂର୍ବରୁ କୋର୍ଟ ଏଭଳି ରାୟ ଦେଇଛନ୍ତି ।

କୋର୍ଟଙ୍କ ଏହି ରାୟ ପରେ ପାକିସ୍ତାନ ରାଜନୀତି ସରଗରମ ହୋଇଛି । ପୂର୍ବବର୍ଷ ପାନାମା ପେପର ଲିକ ହେବା ପରେ ନୱାଜଙ୍କ ଦୁର୍ନୀତିର ପେଡି ଖୋଲିଥିଲା । ଲଣ୍ଡନରେ କଳାଧନକୁ ଧଳା କରୁଥିବା ଅଭିଯୋଗ ଆସିଥିଲା । ଯାହାକୁ ନେଇ ସରିଫଙ୍କ ବିରୋଧରେ ମାମଲା ଚାଲିଥିଲା । କୋର୍ଟଙ୍କ ରାୟ ଆସିବା ପରେ ଏବେ ସରିଫଙ୍କ ପରିବାର ଉପରକୁ ବିପଦ ମାଡି ଆସିଛି । କାରଣ ପୂର୍ବରୁ ନୱାଜ ସରିଫଙ୍କ ନିର୍ବାଚନ ଲଢ଼ିବା ଉପରେ ପ୍ରତିବନ୍ଧକ ଲଗାଇଥିଲେ କୋର୍ଟ । ଆଉ ଏବେ ଝିଅ ମରିୟମଙ୍କୁ ଜେଲ ଦଣ୍ଡାଦେଶ ହେବା ପରେ ତାଙ୍କ ନିର୍ବାଚନ ଲଢିବା ଉପରେ ମଧ୍ୟ ପ୍ରତିବନ୍ଧକ ଲାଗିପାରେ । ଏବେ ସରିଫଙ୍କ ପୂରା ପରିବାର ଲଣ୍ଡନରେ ବାସ କରୁଛନ୍ତି ।