ପୂର୍ବତଟ ରେଳପଥର ବଡ ସଫଳତା ! ମାତ୍ର ୨ ଘଣ୍ଟାରେ ନିର୍ମାଣ ହେଲା ଫୁଟ୍ ଓଭରବ୍ରିଜ୍ ।

30

କନକ ବ୍ୟୁରୋ : ମାତ୍ର ୨ ଘଣ୍ଟାରେ ନିର୍ମାଣ ହେଲା ଫୁଟ୍ ଓଭରବ୍ରିଜ୍ । ଏକଥା ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ ଏହା ସତ । ପୂର୍ବତଟ ରେଳବାଇ ମାତ୍ର ୨ ଘଣ୍ଟାରେ ଏକ ଫୁଟ୍ ଓଭରବ୍ରିଜ୍ ତିଆରି କରିପାରିଛି । ଆଉ ଏହା ସହ ଯାତ୍ରୀମାନଙ୍କୁ ସୁବିଧା ଯୋଗାଇଦେବାରେ ପୂର୍ବତଟ ରେଳପଥ ଆଉ ଏକ ସଫଳତା ହାସଲ କରିଛି ।

ସୂଚନା ଅନୁଯାୟୀ, ଜଖପୁରା-ଜରୋଲି ରେଳ ସେକ୍ସନ ଅନ୍ତର୍ଗତ କେନ୍ଦୁଝରଗଡ ଓ ନୟାଗଡ ରେଳ ଷ୍ଟେସନ ମଧ୍ୟରେ ଥିବା ପରଜନପୁର ରେଳ ଷ୍ଟେସନରେ ଏହି ଫୁଟ୍ ଓଭରବ୍ରିଜ୍ ନିର୍ମାଣ କରାଯାଇଛି । ତେବେ ସବୁଠାରୁ ବଡ କଥା ହେଉଛି, ମାତ୍ର ୨ ଘଣ୍ଟାରେ ଏହି ବ୍ରଜ୍ର ନିର୍ମାଣ କାମ ଶେଷ ହୋଇଛି । ଅପରାହ୍ନ ୫ଟା୩୦ ମିନିଟରୁ କାମ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୭ଟା୩୦ ମିନିଟରେ ବ୍ରିଜର ନିର୍ମାଣ କାମ ଶେଷ ହୋଇଥିଲା ।

ଏହି ଷ୍ଟେସନରେ ଗୋଟିଏ ପ୍ଲାଟଫର୍ମରୁ ଅନ୍ୟ ପ୍ଲାଟଫର୍ମକୁ ଯିବା ଆସିବା କରିବାରେ ପୂର୍ବରୁ ବହୁ ଅସୁବିଧା ହେଉଥିଲା । ଏହାକୁ ଦୃଷ୍ଟିରେ ରଖି ଏହି ଫୁଟ୍ ଓଭରବ୍ରିଜ୍ ନିର୍ମାଣ କରାଯାଇଥିବା ପୂର୍ବତଟ ରେଳପଥ ଅଧିକାରୀ ସୂଚନା ଦେଇଛନ୍ତି । ଏହି ଫୁଟ୍ ଓଭରବ୍ରିଜକୁ ପୂର୍ବତଟ ରେଳପଥର ସିଭିଲ୍ ଇଞ୍ଜିନିୟରିଂ ବିଭାଗ, ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗ ଏବଂ ଇଲେକ୍ଟ୍ରିକାଲ୍ ବିଭାଗ ମିଳିତ ଭାବେ ନିର୍ମାଣ କରିଥିବା ସୂଚନା ରହିଛି । ତେବେ ଏହି ବ୍ରିଜର ନିର୍ମାଣ ସମୟରେ ସମସ୍ତ ପ୍ରକାରର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଏହା ସହ ଯାତ୍ରୀମାନଙ୍କ ଯିବା ଆସିବାରେ କୌଣସି ବାଧା ସୃଷ୍ଟି ହୋଇନଥିଲା ।