ବନ୍ୟା ପରେ ଜଳବନ୍ଦୀ ଜୀବନ ! ରେଙ୍ଗାଳି ଡ୍ୟାମ ଖୋଲିବା ପରେ ପାଲଲହଡାର ୧୨ଟି ଗାଁ ଜଳବନ୍ଦୀ

63

କନକ ବ୍ୟୁରୋ: ଗାଲୁଡିହି ଡ୍ୟାମରୁ ୯ଟି ଗେଟ୍ ଖୋଲିବା ପରେ ଫୁଲୁଛି ସୁବର୍ଣ୍ଣରେଖା । ବନ୍ୟାଜଳ ଆସିବାରୁ ବସ୍ତା, ଜଳେଶ୍ୱର ଓ ଭୋଗରାଇର ବହୁ ଗାଁ ଜଳବନ୍ଦୀ ହୋଇ ରହିଛି । ହଜାର ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ଜଳେଶ୍ୱରର ବିଭିନ୍ନ ଗାଁରେ ଲୋକେ ଏବେବି ଜଳନ୍ଦୀ ହୋଇ ରହିଛନ୍ତି । ପାଣିରେ ବୁଡି ରହିଛି ଘରଦ୍ୱାର । ରାସ୍ତା ଉପରେ ବନ୍ୟାଜଳର ସୁଅ ପଡିଛି । ଚନ୍ଦନେଶ୍ୱରର ୫୭ ନମ୍ବର ଜାତୀୟ ରାଜପଥ ଉପରେ ୩ ଫୁଟର ପାଣି ବହୁଛି ।

ସେପଟେ ଅନୁଗୁଳ ଜିଲ୍ଲାରେ ମଧ୍ୟ ବନ୍ୟା ପରିସ୍ଥିତି ଉପୁଜିଛି । ରେଙ୍ଗାଳି ଡ୍ୟାମ ଖୋଲିବା ପରେ ତଳିଆ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କଣିହାଁ ବ୍ଲକର ୧୨ଟି ଗାଁରେ ପାଣି ପଶି ଯାଇଛି । ପବିତ୍ରନଗରରୁ ସିପୁର ୧୪୯ ନମ୍ବର ଜାତୀୟ ରାଜପଥ ଉପରେ ୪ ଫୁଟର ବନ୍ୟାପାଣି ଜମି ରହିଛି । ଫଳରେ ତାଳଚେର-ପାଲଲହଡାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଏବେ ରେଙ୍ଗାଳି ଡ୍ୟାମର ୧୦ଟି ଗେଟ୍ ଦେଇ ବନ୍ୟାଜଳ ଛଡାଯାଉଛି ।

ସେହିପରି ବୈତରଣୀ ନଦୀରେ ବନ୍ୟାଜଳ ଛାଡ଼ି ଯାଇଥିଲେ ମଧ୍ୟ ଏବେ ବି ଲୋକଙ୍କ ମନରୁ ଲିଭିନି ବନ୍ୟା ସମୟର କରାଳ ଚିତ୍ର । ଏବେ ମଧ୍ୟ ଲୋକେ ପାଣି ଘେରରେ ଜୀବନ ବିତାଉଛନ୍ତି । ବନ୍ୟା ପରିସ୍ଥିତି ଉଜାଡ଼ିଦେଇଛି ଲୋକଙ୍କ ସାଧାରଣ ଜୀବନ ଯାତ୍ରା । କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକର ପ୍ରାୟ ୪୩ଟି ଗାଁ ବନ୍ୟାରେ ପ୍ରଭାବିତ ହୋଇଛି । ସେପଟେ ନିମ୍ନମାନର ନଦୀବନ୍ଧ ଯୋଗୁଁ ଲୋକେ ଜଳବନ୍ଦୀ ହୋଇଥିବା ଅଭିଯୋଗ ହୋଇଛି । ମୁକୁଳା ପଡ଼ିଥିବା ଦୁର୍ବଳ ନଦୀବନ୍ଧ ଯୋଗୁଁ ଗାଁ ବୈତରଣୀ ନଦୀ ଗର୍ଭରେ ଲିନ ହୋଇଯିବ ବୋଲି ଲୋକେ ଆଶଙ୍କା କରୁଛନ୍ତି ।

ଅନ୍ୟପଟେ, ସୁନ୍ଦରଗଡ଼ରେ ବନ୍ୟା ପରିସ୍ଥିତିରେ ସୁଧାର ଆସିଛି । ଇବ୍ ନଦୀରେ ଜଳସ୍ତର ଧିରେ ଧିରେ କମୁଛି । ଏବେ ନଦୀରେ ଜଳସ୍ତର ବିପଦ ସଂକେତ ତଳେ ପ୍ରବାହିତ ହେଉଛି । ସହର ଓ ନଇକୁଳିଆ ଅଂଚଳରୁ ପାଣି ଛାଡି ଯାଇଛି । ତେବେ ଗତକାଲି ପିଇବା ପାଣି ପାଇଁ ଲୋକେ ହଇରାଣ ହେଉଥିବା ବେଳେ ଲୋକଙ୍କୁ ପିଏଚଡି ପକ୍ଷରୁ ପାନୀୟ ଜଳ ଯୋଗାଇ ଦିଆଯାଉଛି ।

ଉପରମୁଣ୍ଡରେ ବର୍ଷା କମି ଯିବାରୁ ବନ୍ୟା ପରିସ୍ଥିତିରେ ସୁଦ୍ଧାର ଆସିଛି । ହେଲେ ଏବେ ବି ପାଗ ମେଘୁଆ ରହିଛିି । ଲଗାଣ ବର୍ଷା ଯୋଗୁଁ ଇବ୍ ନଦୀରେ ବନ୍ୟା ଆସି ସୁନ୍ଦରଗଡ଼ ସହରର ରାଣୀବଗିଚା ଓ ମହାଦେବପଡ଼ା ଅଂଚଳ ଜଳମଗ୍ନ ହେବା ସହ ତଳିଆ ଅଂଚଳରେ ପାଣି ପଶିଥିଲା । ରାସ୍ତାଘାଟରେ ପାଣି ଜମିଥିବା ବେଳେ ଘରେ ମଧ୍ୟ ପାଣି ପଶିଛି । ତଳିଆ ଅଂଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା ।