କୋଲକାତା:ଗାଡ଼ି ଧକ୍କା କରି ପୁଲିସକୁ ଚୁମ୍ବନ ଦେଇଚାଲିଲେ ମହିଳା, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ମାମଲା ରୁଜ୍ଜୁୁ

56

ନିଶାସକ୍ତ ମହିଳାଙ୍କ ଗାଡ଼ିକୁ ଅଟକାଇବାକୁ ଯାଇ ଜଣେ ପୁଲିସକର୍ମୀ ଅପ୍ରତ୍ୟାଶିତ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି । ବେପରୁଆ ହୋଇ କାର୍‌ ଚଳାଉଥିବା ନିଶାସକ୍ତ ମହିଳାଙ୍କୁ ଅଟକାଇ ଗାଡ଼ିରୁ ବାହାର କରିବା ପାଇଁ ଚେଷ୍ଟା କରିଥିଲେ ପୁଲସି ବାବୁ, କିନ୍ତୁ ତା’ ପରେ ଯାହା ହେଲା ଯାହା ସେ କେବେ ସ୍ୱପ୍ନରେ ସୁଦ୍ଧା ଚିନ୍ତା କରିନଥିବେ । ଉକ୍ତ ମହିଳାଙ୍କୁ ଗାଡ଼ିରୁ ବାହାର କଲା ବେଳେ ପୁଲିସକୁ ସେ ଜୋରରେ ଆଲିଙ୍ଗନ କରି ଚୁମ୍ବନ ଦେଇଥିବା ପୁଲିସ ପ୍ରକାଶ କରିଛନ୍ତି । ଏପରି ଏକ ଅଭାବନୀୟ ଘଟଣା ଘଟିଛି କୋଲକାତାରେ ।

୩୦ରୁ ଉର୍ଦ୍ଧ୍ୱ ବୟସ ହୋଇଥିବା ଉକ୍ତ ଜଣକ ମହିଳା ବୁଧବାର-ଗୁରୁବାର ମଧ୍ୟ ରାତ୍ରୀରେ ଏକ ପାର୍ଟିରୁ ନିଶାସସ୍ତ ଅବସ୍ଥାରେ ଗାଡ଼ି ଚଳାଇ ଫେରୁଥିଲେ । ଏତେ ନିଶା ସେବନ କରିଥିଲେ ଯେ ନିୟନ୍ତ୍ରଣ ଭିତରେ ନଥିଲେ । ସଲ୍ଟ ଲେକ୍‌ ନିକଟବର୍ତ୍ତୀ ଇଷ୍ଟର୍ଣ୍ଣ ବାଇବାସ୍‌ ଅଞ୍ଚଳର ଚିଙ୍ଗରିହାଟ କ୍ରସିଙ୍ଗରେ ମହିଳା ଜଣକ ନିୟନ୍ତ୍ରଣ ହରାଇ ଏକ ଡିଭାଇଡରରେ ଗାଡ଼ିକୁ ପିଟି ଦେଇଥିଲେ । ଏଥିକିବେଳେ ଜଣେ ଟ୍ୟାକ୍ସି ଚାଳକ ଆସି ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିବାବେଳେ ମହିଳା ଜଣକ ତାଙ୍କୁ ଚାପୁଡ଼ା ମାରିଥିଲେ ।

ତା’ପରେ ଜଣେ କନେଷ୍ଟବଳ ମହିଳା ଏବଂ ନିଶାସକ୍ତ ଅବସ୍ଥାରେ ଥିବା ତାଙ୍କର ଦୁଇସାଥୀଙ୍କୁ ଗାଡ଼ିରୁ ବାହାର କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ, ତା’ପରେ ଏପରି ଘଟଣା ଘଟିଲା ଯାହାପାଇଁ ସେ ଅପ୍ରସ୍ତୁତ ହୋଇ ପଡ଼ିଥିଲେ । ମହିଳା ଜଣକ ତାଙ୍କୁ ନିଜ ଆଡ଼କୁ ଟାଣିନେଇ ଜୋରରେ ଆଲିଙ୍ଗନ କରିବା ସହ ତାଙ୍କ ଉପରେ ଚୁମ୍ବନ ବର୍ଷା କରିଥିଲେ ।

ସେଠାରେ ଉପସ୍ଥିତ ଅନ୍ୟ ପୁଲିସମାନେ ସେଠାରେ ଥିବା ଜଣେ ମହିଳାଙ୍କୁ ସାହାଯ୍ୟ ଭିକ୍ଷା ପାଇଁ ଚିତ୍କାର କରିଥିଲେ । ତା’ପରେ କନେଷ୍ଟବଳଙ୍କୁ ମହିଳାଙ୍କ କବଳରୁ ଉଦ୍ଧାର କରାଯାଇଥିଲା । ପରେ ଉକ୍ତ ମହିଳାଙ୍କୁ ଓ ତାଙ୍କ ୨ ସାଥୀଙ୍କୁ ବିଧାନନଗର ଦକ୍ଷିଣ ଥାନାକୁ ନିଆଯାଇଥିଲା । ନିଶା ସେବନ କରି ବେପରୁଆ ଗାଡ଼ି ଚାଳନା କରିବା ସହ କନେଷ୍ଟବଳଙ୍କୁ ଚୁମ୍ବନ ଦେଇଥିବାରୁ କାରଣରୁ ମହିଳାଙ୍କୁ ଗିରଫ କରାଯାଇ ତାଙ୍କ ବିରୋଧରେ ମାମଲା ରୁଜୁ ହେବ ବୋଲି ପୁଲିସ କହିଛନ୍ତି ।