ନିଦ ହଜାଇଲା ନାଗାବଳୀ ! ପାଣିରେ ଘେରରେ ୨୦ଟି ଗାଁ

38

କନକ ବ୍ୟୁରୋ : ନିଦ ହଜାଇ ଦେଇଛି ନାଗାବଳୀ । ଆଉ କଲବଲ କରୁଛି କଲ୍ୟାଣୀ ନଦୀ । ଲଗାଣବର୍ଷା ଯୋଗୁଁ ପାଣି ଘେରରେ ରହିଛି କଲ୍ୟାଣସିଂହପୁର ବ୍ଲକର ପ୍ରାୟ ୨୦ଟି ଗାଁ । ଜଳବନ୍ଦୀ ହୋଇରହିଛନ୍ତି ପ୍ରାୟ ୧୦ ହଜାର ଲୋକ । ନିୟମଗିରି ପାହାଡରୁ ବାହାରିଥିବା ନାଗାବଳୀ ଏବଂ କଲ୍ୟାଣ ନଦୀର ଉପରମୁଣ୍ଡରେ ଏବେ ବି ଲଗାଣ ବର୍ଷା ଜାରି ରହିଛି । ଆଉ ଏଥିପାଇଁ କଲ୍ୟାଣସିଂପୁର ବ୍ଲକ୍ ଏବେ ସଂପୂର୍ଣ୍ଣ ଜଳବନ୍ଦୀ ହୋଇ ରହିଛି । ଚାରିଆଡୁ ଯୋଗଯୋଗ ବିଚ୍ଛିନ୍ନ ହୋଇଛି । ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ଜୋରଦାର କରିଛି ପ୍ରୟାସ । ଆଉ ଏହାରି ଭିତରେ କନକ ନ୍ୟୁଜ୍ କଏଦ୍ କରିଥିଲା କଲ୍ୟାଣସିଂହପୁର ବନ୍ୟାର କିଛି କରୁଣ ଚିତ୍ର ।

ବନ୍ୟାଜଳରେ ଭାସିଲା ୫ଟି ବ୍ରିଜ୍ : 
ବନ୍ୟା ଧୋଇ ନେଇଛି ପୋଲ । କେଉଁଠି ପୋଲ ଭାଙ୍ଗି ଯାଇଛି, ତ ଆଉ କେଉଁଠି ପୋଲ ସଂପୂର୍ଣ୍ଣ ଭାସି ଯାଇଛି । କଲ୍ୟାଣୀ ବ୍ରିଜ୍, କୁମାରଗୁଡ଼ା ପୋଲ, ଗୁଣ୍ଡିଗୁଡ଼ା ବ୍ରିଜ୍, ନାଗାବଳୀ ବ୍ରିଜ୍ ଏବଂ ବିନିସପୁର ଝୁଲା ପୋଲ, ପ୍ରବଳ ବର୍ଷା ଯୋଗୁଁ ଭାଙ୍ଗି ଯାଇଛି । କ୍ରମାଗତ ଭାବରେ ନଦୀରେ ବଢୁଛି ଜଳ ପତନ । ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ବିପତସଂକୁଳ ଉଦ୍ଧ୍ୱର୍ରେ ପ୍ରବାହିତ ହେଉଛି ନାଗାବଳୀ ଏବଂ କଲ୍ୟାଣୀ ନଦୀ । ଏମିତିକି ବିଦ୍ୟୁତ ସରବରାହ ଏବଂ ଯୋଗାଯୋଗ ସଂପୂର୍ଣ୍ଣ ଠପ୍ ହୋଇଯାଇଛି । ରାୟଗଡ଼ା-ଭବାନୀପାଟଣାକୁ ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି । ଫଳରେ ପାଣି ଘେରରେ ଫଶି ରହିଛି ଜୀବନ ।

ପାଣି ଘେରରେ କଲ୍ୟାଣସିଂହପୁର : 
ଜନବସତି ଆଡକୁ ମୁହଁଇଛି ବନ୍ୟାଜଳ । ଗାଁ ମଝିରେ ପ୍ରବାହିତ ହେଉଛି ୧୦ରୁ ୧୨ ଫୁଟ୍ ଉଚ୍ଚର ପାଣି । କଲ୍ୟାଣସିଂହପୁର ସହର ଉପକଣ୍ଠରେ ବଡ ବ୍ରାହ୍ମଣସାହି, ସାନବ୍ରାହ୍ମଣ ସାହି, କାମ୍ପସାହି ଅଂଚଳ ସଂପୂର୍ଣ୍ଣ ଭାବରେ ଜଳମଗ୍ନ ହୋଇରହିଛି । କଲ୍ୟାଣସିଂହପୁର ବ୍ଲକର ୬ଟି ଗାଁ ବନ୍ୟାରେ ସଂପୂର୍ଣ୍ଣ ଭାବରେ ପ୍ରଭାବିତ ହୋଇଥିବା ବେଳେ ୨୦ରୁ ଅଧିକ ଗାଁ ଆଂଶିକ ଭାବରେ ପ୍ରଭାବିତ ହୋଇଛି । ପାଣି ଘେରରେ ଥିବା ଲୋକଙ୍କୁ ଉଚ୍ଚାସ୍ଥାନକୁ ଅଣାଯାଇ ଏବେ ସେମାନଙ୍କ ଥଇଥାନର ବ୍ୟବସ୍ଥା କରାଯାଉଛି । ପ୍ରାୟ ୧୦ ହଜାର ଲୋକ ଏହି ବନ୍ୟାରେ ପ୍ରଭାବିତ ହୋଇଛନ୍ତି ।

ଜୋରଦାର ହେଲା ବନ୍ୟା ମୁକାବିଲା : 
ରାୟଗଡ଼ା ଜିଲ୍ଲାର ବନ୍ୟା ସ୍ଥିତିର ମୁକାବିଲା ପାଇଁ ଘଟଣାସ୍ଥଳରେ ପହଂଚିଛି ଓଡ୍ରାଫ୍ ଟିମ୍, ଅଗ୍ନିଶମ କର୍ମଚାରୀ ଏବଂ ସିଆରପିଏଫ୍ ଟିମ୍ । ଏହା ସହ ସେନା ଓ ବାୟୁସେନାର ହେଲିକପ୍ଟର ଘଟଣାସ୍ଥଳକୁ ପଠାଇବା ନେଇ ଅନୁରୋଧ କରାଯାଇଛି । ସ୍ଥିତିର ମୁକାବିଲା ପାଇଁ ଜିଲ୍ଲାପାଳଙ୍କୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଚିନ୍ତା ବଢ଼ାଇଲା ପାଣିପାଗ ବିଭାଗର ପୂର୍ବାନୁମାନ : 

କଲ୍ୟାଣସିଂପୁରର ବନ୍ୟା ଯୋଗୁଁ ଲୋକେ ପାଣି ଘେରରେ ଥିବା ବେଳେ ଚିନ୍ତା ବଢ଼ାଇ ଦେଇଛି ପାଣିପାଗ ବିଭାଗର ଆକଳନ । କାଲିଠୁ ୧୮ ତାରିଖ ଯାଏଁ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏମିତିକି ୨୦ ତାରିଖ ଯାଏଁ ବର୍ଷା ଲାଗି ରହିବାର ସଂଭାବନା ରହିଛି । ଯାହା ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ଅଂଚଳର ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି ।

କଳାହାଣ୍ଡିକୁ ବୁଡାଇଲା ହାତୀ ନଦୀ : 

ସେପଟେ କଳାହାଣ୍ଡି ଜିଲ୍ଲାରେ ଲଗାଣ ବର୍ଷା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଲୋକଙ୍କ ନିଦ ହଜାଇ ଦେଇଛି ହାତୀ ନଦୀ । କଲାହାଣ୍ଡି ଜିଲ୍ଲା ଜୁନାଗଡଠାରେ ହାତୀ ନଦୀରେ ପ୍ରବଳ ବନ୍ୟାଜଳ ପ୍ରବାହିତ ହେଉଛି । ଏଠାରେ ୨ ଫୁଟ ଉଚ୍ଚରେ ବନ୍ୟାପାଣି ପ୍ରବାହିତ ହେଉଥିବାରୁ ପୋଲ ଉପରେ ପାଣି ଚାଲିଛି । ଫଳରେ ଆଖପାଖ ଗାଁର ଲୋକେ ଭୟଭିତ ହୋଇ ରହିଛନ୍ତି ।

ହାତୀନଦୀକୁ ଲାଗିରହିଥିବା କଲମପୁର ବ୍ଲକର ୧୬ଟି ଗାଁ ଓ ଜୁନାଗଡ ବ୍ଲକର ୮ଟି ଗାଁରେ କୋକୁଆ ଭୟ ସୃଷ୍ଟି ହୋଇଛି । ଗତ ୨୪ ଘଂଟା ମଧ୍ୟରେ ୪ଶହ ୪ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ତୁହାକୁ ତୁହା ବର୍ଷା ଜାରି ରହିଥିବାବେଳେ, ଆଗକୁ ଆହୁରି ବର୍ଷିବ ବୋଲି ପାଣିପାଗ ବିଭାଗର ପୂର୍ବାନୁମାନ କରିଛି । ଫଳରେ ଏସବୁ ଅଂଚଳ ଜଳମଗ୍ନ ହେବା ଆଶଙ୍କା କରାଯାଉଛି । ଲୋକଙ୍କ ଘର ଭିତରେ ବର୍ଷାପାଣି ପ୍ରବେଶ କରିଛି ।

ବନ୍ୟା ପରିସ୍ଥିତି ଉପରେ ସତର୍କ ନଜର ରଖିଛି ଜିଲ୍ଲା ପ୍ରଶାସନ । ବିଡିଓମାନଙ୍କୁ ଆଲର୍ଟ ରହିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି କଳାହାଣ୍ଡି ଜିଲ୍ଲାପାଳ । ହାତୀ ନଦୀ ଆଖପାଖ ଅଂଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ସତର୍କ କରାଯାଇଛି । ସେପଟେ ଗତ ୨୪ ଘଂଟା ମଧ୍ୟରେ ପ୍ରବଳ ବର୍ଷା, ପବନ ଫଳରେ ଅଧିକ ପ୍ରଭାବିତ ହୋଇଛି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ । ପାହାଡରୁ ଅତଡା ଖସି ଓ ଗଛ ଉପୁଡି କଲମପୁର ଓ ଭବାନୀପାଟଣାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ଅନ୍ୟପଟେ ଚୁଲିବାଡି ଗାଁରେ ଅତଡା ଖସିବା ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ବଡବଡ ପଥର ଖଣ୍ଡ ଖସି ଗୋଟିଏ ଘର ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବାବେଳେ ଉଦ୍ଧାର କରିବାକୁ ଯାଇଥିବା ସନ୍ତୋଷ ନାୟକ ନାମକ ଜଣେ ଯୁବକ ପ୍ରାଣ ହରାଇଛନ୍ତି । ରାସ୍ତା ଅବରୋଧ ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାରୁ ତାଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇନାହିଁ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଯାଇଥିବା ଓଡ୍ରାଫ ଟିମ ଉଦ୍ଧାର କାମ ଆରମ୍ଭ କରିପାରି ନାହିଁ ।