ଜୁନ ୧୨ରେ ଟ୍ରମ୍ପ ଓ କିମ୍ ଜଙ୍ଗଙ୍କ ସାକ୍ଷାତ : ଆମେରିକା ରାଷ୍ଟ୍ରପତିଙ୍କ ସୁରକ୍ଷା ସମ୍ଭାଳିବେ ସିଙ୍ଗାପୁର ପୁଲିସର ଗୋର୍ଖା ଗରିଲା

67

କନକ ବ୍ୟୁରୋ : ନର୍ଥ କୋରିଆ ରାଷ୍ଟ୍ରମୁଖ୍ୟ କିମ୍ ଜଙ୍ଗ୍ ଉନଙ୍କୁ ଭେଟିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ହ୍ୱାଇଟ୍ ହାଉସ୍ ସୂଚନା ଅନୁଯାୟୀ ଜୁନ ୧୨ ତାରିଖରେ ଉନଙ୍କୁ ଭେଟିବେ ଟ୍ରମ୍ପ୍ । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସିଙ୍ଗାପୁର ଗସ୍ତବେଳେ ଟ୍ରମ୍ପଙ୍କ ସୁରକ୍ଷାରେ ଛାଇ ପରି ରହିବେ ସ୍ଥାନୀୟ ପୁଲିସରେ କାମ କରୁଥିବା ନେପାଳର ଗୋର୍ଖା ଯବାନ । ଆସନ୍ତୁ ଜାଣିବା ଗୋର୍ଖା ଗରିଲା କିଭଳି ସୁରକ୍ଷା ଦେବେ ଟ୍ରମ୍ପଙ୍କୁ ।

ଜୁନ୍ ୧୨ ତାରିଖ ସିଙ୍ଗାପୁରରେ ଯେତେବେଳେ ହେଉଥିବ ବିଶ୍ୱର ବହୁପ୍ରତୀକ୍ଷିତ ଟ୍ରମ୍ପ-କିମଙ୍କ ଭେଟ ସେତେବେଳେ ଆମେରିକା ରାଷ୍ଟ୍ରପତିଙ୍କ ସୁରକ୍ଷାରେ ଛାଇ ପରି ରହିଥିବେ ବିଶ୍ୱର ଦୁର୍ଦ୍ଦର୍ଷ ଯୋଦ୍ଧା ଭାବେ ପରିଚିତ ନେପାଳର ଗୋର୍ଖା ଯବାନ୍ । ଯଦିଓ ଟ୍ରମ୍ପଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ମଧ୍ୟ ଥିବେ ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଏହି ସାହସୀ ଗୋର୍ଖା ଯବାନ୍ ପ୍ରମୁଖ ସ୍ଥାନରେ ମୁତୟନ ହୋଇଥିବେ । ସିଙ୍ଗାପୁର ପୁଲିସର ବଛା ବଛା ଗୋର୍ଖା ଯବାନ ପୂର୍ବରୁ ମୋଦିଙ୍କ ଗସ୍ତବେଳେ ବି ସୁରକ୍ଷାରେ ମୁତୟନ ହୋଇଥିଲେ । ତେବେ ରାଷ୍ଟ୍ରପତି ଟ୍ରମ୍ପ୍ଙ୍କ ସିଙ୍ଗାପୁର ଗସ୍ତବେଳେ ମଧ୍ୟ ଗୋର୍ଖା ଯବାନ ତୁଲାଇବେ ସୁରକ୍ଷା ଦାୟିତ୍ୱ ।

ଏବେ ଜାଣିବା ଏହି ଗୋର୍ଖା ଯବାନ ସିଙ୍ଗାପୁର ପୁଲିସ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ ?

୧. ଗୋର୍ଖା ଯବାନଙ୍କ ପାଖରେ ବେଲଜିୟମ୍ ପ୍ରସ୍ତୁତ ଏଫଏନ୍ ରାଇଫଲ୍ ଓ ପିସ୍ତଲ୍ ରହିବ । ଏହା ବ୍ୟତୀତ ଗୋର୍ଖା ମାନଙ୍କର ପାରମ୍ପରିକ ଖୁକରୀ ମଧ୍ୟ ସୁରକ୍ଷା ପାଇଁ ରଖାଯିବ ।

୨. ସ୍ୱତନ୍ତ୍ର ଅପରେସନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାରେ ମାହିର୍ ଗୋର୍ଖା ଯବାନଙ୍କୁ ପୂର୍ବରୁ ବ୍ରିଟିଶ୍, ଭାରତ, ନେପାଳ, ବ୍ରୁନେଇ ଓ ସିଙ୍ଗାପୁର ସେନା ସାମିଲ୍ କରିସାରିଛି ।

୩. ବର୍ତ୍ତମାନ ସିଙ୍ଗାପୁରର ପୁଲିସ ବାହିନୀ ଓ ୬ଟି ପାରା ମିଲିଟାରୀ ଫୋର୍ସରେ ପ୍ରାୟ ୧୮୦୦ ଗୋର୍ଖା ଯବାନ କାର୍ଯ୍ୟରତ ଅଛନ୍ତି ।

୪. ସିଙ୍ଗାପୁରରେ ସେବାରତ ଗୋର୍ଖା ଯବାନଙ୍କୁ ସହର ବାହାରେ ଥିବା ମାଉଁଟ ବର୍ଣ୍ଣାନ୍ କ୍ୟାମ୍ପରେ ରଖାଯାଇଥାଏ ଓ ସାଧାରଣ ନାଗରିକଙ୍କୁ ସେଠାକୁ ଯିବାକୁ ଅନୁମତି ନାହିଁ ।

୫. ସିଙ୍ଗାପୁର ସେନା ଗୋର୍ଖା ଯବାନଙ୍କୁ ସାହସୀ, ଶକ୍ତିଶାଳୀ ଓ ତୀକ୍ଷ୍ଣ ଭାବେ ବର୍ଣ୍ଣନା କରିଥାଏ ଓ ସୀମା ସୁରକ୍ଷା, ଦଙ୍ଗା ଭଳି ଗୁରୁତ୍ୱପୂର୍ଣ୍ଣ ମିସନରେ ମୁତୟନ କରିଥାଏ ।

ଜୁନ୍ ୧୨ ତାରିଖ, ସିଙ୍ଗାପୁର ସମୟ ଅନୁଯାୟୀ ସକାଳ ୯ଟାରେ ହେବ ଦଶକର ଅନ୍ୟତମ ବହୁଚର୍ଚ୍ଚିତ ସାକ୍ଷାତକାର । ଦୀର୍ଘ ଦିନର ଉତ୍ତେଜନା ପରେ ଟ୍ରମ୍ପ୍ ଭେଟିବେ କିମ୍ ଜଙ୍ଗ୍ ଉନଙ୍କୁ । ଏନେଇ ଆମେରିକୀୟ ଅଧିକାରୀ ପ୍ରାକ୍ ପ୍ରସ୍ତୁତି ଜୋରସୋରରେ ଚଲାଇଥିବା ବେଳେ ସାରା ବିଶ୍ୱ ଚାହିଁରହିଛି ଏହି ମୁହୂର୍ତ୍ତକୁ । ଏ ନେଇ ପ୍ରମୁଖ ବିଶ୍ୱନେତା ମଧ୍ୟ ଆଶାବାଦୀ ଅଛନ୍ତି । ପରମାଣୁ ନିରସ୍ତ୍ରୀକରଣ ଓ ଅଣୁ ଅସ୍ତ୍ରର ଅପ୍ରସାର ପାଇଁ ଏହି ସାକ୍ଷାତକାର ବିଶ୍ୱକୁ ଦେବ ନୂଆ ଦିଗ । ନର୍ଥ କୋରିଆ ଉପରେ ଜାତିସଂଘର ଆର୍ଥିକ ପ୍ରତିବନ୍ଧକ, ଚୀନ୍ ଉପରେ ଚାପ, ସହଯୋଗୀ ଦେଶଗୁଡ଼ିକର ଉଦ୍ୟମ ସୁଫଳ ଦେବା ଜଣାପଡ଼ିବ ଜୁନ୍ ୧୨ ଭେଟ ପରେ ।