ସ୍ୱାଧୀନତା ପରର ପ୍ରଥମ ସାଧାରଣ ନିର୍ବାଚନ । ‘ଯୋଡି ବଳଦ’କୁ ଘାଇଲା କଲା ‘ଧନୁ ଓ ତୀର’ ।

59

କନକ ବ୍ୟୁରୋ : (ସ୍ୱରାଜ ମିଶ୍ର) : ଓଡ଼ିଶାର ନିର୍ବାଚନ ରାଜନୀତିରେ ଆଞ୍ଚଳିକ ଦଳର ପ୍ରଭାବ ଅନୁଭୂତ ହୋଇଛି ଆରମ୍ଭରୁ । ସ୍ୱାଧୀନତା ପରର ପ୍ରଥମ ସାଧାରଣ ନିର୍ବାଚନ ୧୯୫୧-୫୨ରେ ଓଡ଼ିଶାରେ କଂଗ୍ରେସ ଦଳକୁ ଯଦି ସବୁଠାରୁ ବେଶୀ କ୍ଷତି କିଏ ପହଞ୍ଚାଇଥିଲା, ତାହା ହେଲା ନବଗଠିତ ଆଞ୍ଚଳିକ ଦଳ ‘ଗଣତନ୍ତ୍ର ପରିଷଦ’ । ସେହି ନିର୍ବାଚନରେ ‘ଧନୁ ଓ ତୀର’ ଚିହ୍ନରେ ଲଢ଼ୁଥିବା ଗଣତନ୍ତ୍ର ପରିଷଦର ପ୍ରାର୍ଥୀମାନେ ‘ଯୋଡ଼ି ବଳଦ’ ଚିହ୍ନରେ ଲଢ଼ୁଥିବା କଂଗ୍ରେସ ପ୍ରାର୍ଥୀମାନଙ୍କୁ ଅସ୍ତବ୍ୟସ୍ତ କରିପକାଇଥିଲେ ।

୧୯୫୧-୫୨ ସାଧାରଣ ନିର୍ବାଚନର ବିଶେଷତ୍ୱ ଥିଲା ଯେ ଏଥିରେ ପ୍ରଥମଥର ପାଇଁ ସାମ୍ବିଧାନିକ ବିଧି ଅନୁସାରେ ସାବାଳକ ଭୋଟ ପ୍ରଥା ଲାଗୁ ହୋଇଥିଲା ଏବଂ ଓଡ଼ିଶା ସହ ମିଶିଥିବା ସମସ୍ତ ଗଡ଼ଜାତ ରାଜ୍ୟର ନାଗରିକମାନେ ପ୍ରଥମ ଥର ପାଇଁ ଭୋଟ ଅଧିକାର ସାବ୍ୟସ୍ତ କରିଥିଲେ । ଏହି ସମୟରେ କଂଗ୍ରେସ ଦଳକୁ ଟକ୍କର ଦେବାପାଇଁ ପାଟଣା ମହାରାଜା ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ନେତୃତ୍ୱରେ ଗଠିତ ହୋଇଥିଲା ଗଣତନ୍ତ୍ର ପରିଷଦ ଦଳ । ଏଥିରେ ବିଭିନ୍ନ ଗଡ଼ଜାତ ଅଞ୍ଚଳର ରାଜା, ଜମିଦାରଙ୍କ ସମେତ ଅନେକ କଂଗ୍ରେସ ବିରୋଧୀ ବୁଦ୍ଧିଜୀବୀ ସାମିଲ ହୋଇଥିଲେ । ପଶ୍ଚିମ ଓଡ଼ିଶାର କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାରେ ତତ୍କାଳୀନ ରାଜାମାନଙ୍କର ଜନପ୍ରିୟତା କାରଣରୁ ସେଠାରେ ଗଣତନ୍ତ୍ର ପରିଷଦର ପ୍ରଭାବ ରହିବା ସ୍ୱାଭାବିକ ଥିଲା । ମାତ୍ର ସମ୍ବଲପୁର ଓ କୋରାପୁଟ ଭଳି ଜିଲ୍ଲାରେ କଂଗ୍ରେସ ଦଳର ଦୃଢ଼ ସଂଗଠନ ଥିବାବେଳେ ସେଠାରେ ସେହି ଦଳ ଭଲ ପ୍ରଦର୍ଶନ କରିବା ସମସ୍ତଙ୍କୁ ବିସ୍ମିତ କରିଥିଲା । କଂଗ୍ରେସ ଦଳ ମୋଟ ୧୩୫ଟି ଆସନରେ ଲଢ଼ି ୬୭ଟି ଜିଣିଥିବା ସମୟରେ ଗଣତନ୍ତ୍ର ପରିଷଦ ମାତ୍ର ୫୮ଟି ଆସନ ଲଢ଼ି ୩୧ଟି ଆସନରେ ଜୟଯୁକ୍ତ ହୋଇଥିଲା । ସେତେବେଳକୁ ହୀରାକୁଦ ବନ୍ଧ ବିରୋଧୀ ଆନ୍ଦୋଳନ ପ୍ରବଳ ରୂପ ଧାରଣ କରିଥିଲା, ଯାହାକି କ୍ଷମତାସୀନ କଂଗ୍ରେସ ଦଳ ବିରୋଧରେ ପ୍ରବଳ ଜନଅସନ୍ତୋଷ ସୃଷ୍ଟି କରିଥିଲା। ଶ୍ରଦ୍ଧାକର ସୂପକାରଙ୍କ ଭଳି ବିଦ୍ୱାନ ଓ ପ୍ରଭାବଶାଳୀ ନେତାମାନେ ଏହି ଜନ ଅସନ୍ତୋଷକୁ ପୁଞ୍ଜିକରି ଗଣତନ୍ତ୍ର ପରିଷଦ ପାଇଁ ପଶ୍ଚିମ ଓଡ଼ିଶାରେ ଉଲ୍ଲେଖନୀୟ ସଫଳତା ଆଣିଦେଇଥିଲେ ।

ଦୀର୍ଘ ଦିନର ସଂଗ୍ରାମ ପରେ ଦେଶକୁ ସ୍ୱାଧୀନତା ଆଣିଦେଇଥିବାରୁ କଂଗ୍ରେସ ଦଳ ଦେଶ ସାରା ଭଲ ପ୍ରଦର୍ଶନ କରୁଥିଲାବେଳେ ଓଡ଼ିଶାରେ ସଂଖ୍ୟା ଗରିଷ୍ଠତା ପାଇନଥିଲା । ୧୪୦ ଆସନ ବିଶିଷ୍ଟ ଓଡ଼ିଶା ବିଧାନସଭାରେ କଂଗ୍ରେସ ୬୭ଟି ଆସନ ପାଇଥିଲାବେଳେ ଗଣତନ୍ତ୍ର ପରିଷଦ ୩୧ଟି, ସ୍ୱାଧୀନ ପ୍ରାର୍ଥୀମାନେ ୨୪ଟି ଏବଂ ଅନ୍ୟ ଦଳମାନେ ମିଶି ୧୮ଟି ଆସନ ପାଇଥିଲେ । କଂଗ୍ରେସ ଦଳ ୭ଜଣ ସ୍ୱାଧୀନ ସଦସ୍ୟଙ୍କ ସମର୍ଥନ ନେଇ ସରକାର ଗଢ଼ିଥିଲା ଏବଂ ବିଧାନସଭାରେ ଗଣତନ୍ତ୍ର ପରିଷଦର ନେତା ଶ୍ରଦ୍ଧାକର ସୂପକାର ବିରୋଧୀ ଦଳ ନେତାର ମାନ୍ୟତା ପାଇଥିଲେ ।

୧୯୧୫ ଏପ୍ରିଲ ୮ ତାରିଖରେ ସମ୍ବଲପୁର ସହରର ଝାଡ଼ୁଆପଡ଼ାଠାରେ ଜନ୍ମଗ୍ରହଣ କରିଥିବା ଶ୍ରୀ ସୂପକାର ଥିଲେ ଜଣେ ସଫଳ ଆଇନଜୀବୀ, ପ୍ରବୀଣ ଶିକ୍ଷାବିତ୍, ସାହିତ୍ୟିକ ଓ ଦକ୍ଷ ରାଜନେତା । ୧୯୫୨ ମସିହା ନିର୍ବାଚନରେ ସମ୍ବଲପୁର-ରେଢ଼ାଖୋଲ ଯୁଗ୍ମ ନିର୍ବାଚନ ମଣ୍ଡଳୀରୁ ଗଣତନ୍ତ୍ର ପରିଷଦ ପ୍ରାର୍ଥୀ ଭାବରେ ସେ ଓ ଭିକାରୀ ଘାସି, କଂଗ୍ରେସ ଦଳର ରତ୍ନାକର ବେହେରା ଓ ହରିଜନ ନେତା ଜଗତରାମ ବାବାଜୀଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ । ଇଂରାଜୀରେ ଏମ୍.ଏ. ଓ ସଂସ୍କୃତରେ ‘ସାହିତ୍ୟାଚାର‌୍ୟ୍ୟ’ ଡିଗ୍ରି ହାସଲ କରିଥିବା ଶ୍ରୀ ସୂପକାର ଜଣେ ବିଦ୍ୱାନ, ସଚ୍ଚୋଟ ଓ ସୁଦକ୍ଷ ରାଜନେତା ହିସାବରେ ସୁନାମ ଅର୍ଜନ କରିଥିଲେ ।

ଶ୍ରୀ ସୂପକାର ନିଜର ଆତ୍ମଜୀବନୀ ପୁସ୍ତକ ‘ମଧ୍ୟମ ପୁରୁଷ’ରେ ଲେଖିଛନ୍ତି ‘‘କଂଗ୍ରେସ ପାଇଁ ପୂର୍ବେ ହଳଦିଆ ବାକ୍ସ ରଖାଯାଉଥିଲା । ଏବଂ କଂଗ୍ରେସର ନିର୍ବାଚନ ସଙ୍କେତ ହେଲା ଯୋଡ଼ିବଳଦ । ଧନୁ ଓ ତୀର ଆଦିବାସୀମାନଙ୍କର ଅତି ପ୍ରିୟ ଅସ୍ତ୍ର । ଗଣତନ୍ତ୍ର ପରିଷଦ ଏହି ନିର୍ବାଚନ ସଙ୍କେତ ବାଛିନେଇଥିଲା ।’’ ସେହି ପୁସ୍ତକରେ ସେ ଅନ୍ୟତ୍ର ସୂଚାଇଛନ୍ତି- ‘‘ସେତେବେଳେ ବିରୋଧୀ ଦଳ ବେଞ୍ଚରେ ମୋ ସହ ଥିଲେ ପ୍ରତାପ କେଶରୀ ଦେଓ, ନନ୍ଦ କିଶୋର ମିଶ୍ର, ପଣ୍ଡିତ ନୀଳକଂଠ ଦାସ, ଗୋଦାବରୀଶ ମିଶ୍ର ଓ ଡକ୍ଟର ପ୍ରାଣକୃଷ୍ଣ ପରିଜାଙ୍କ ଭଳି ତହୁଁ ବଳି ତହୁଁ ବଳି ନେତା । ସେ ସମସ୍ତଙ୍କ ହାତରେ ଥିଲା ତୀକ୍ଷ୍ଣ ଓ ତଥ୍ୟନିଷ୍ଠ ପ୍ରଶ୍ନର ଧନୁ ଓ ତୀର, ଯାହାକି ବିଧାନସଭା ଭିତରେ ଆମ ସଂଗ୍ରାମକୁ ଆହୁରି ଶାଣିତ ଓ ପ୍ରଭାବଶାଳୀ କରିଥିଲା।’’

Comments are closed.