ଧର୍ମେନ୍ଦ୍ର ଦେଖାଇଲେ ସୁନେଲୀ ସ୍ୱପ୍ନ । ବିଜେପି ସରକାରକୁ ଆସିଲେ ୧ ଟଙ୍କାରେ ମିଳିବ ଡାଲି ଚାଉଳ ଓ ଲୁଣ, ୩.୨୬ କୋଟି ହିତାଧିକାରୀ ହେବେ ଉପକୃତ ।
କନକ ବ୍ୟୁରୋ : ୧ ଟଙ୍କାରେ ମିଳିବ ଲୁଣ, ଚାଉଳ ଓ ଡାଲି । ରାଜ୍ୟରେ ବିଜେପି ସରକାର ଆସିଲେ ୧ ଟଙ୍କାରେ ମିଳିବ ଖାଦ୍ୟ ସାମଗ୍ରୀ । ଏଭଳି ଏକ ବଡ ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ ନିର୍ବାଚନ ମାହୋଲ ଉଷ୍ମ ରହିଥିବା ବେଳେ ଧର୍ମେନ୍ଦ୍ରଙ୍କ ଏହି ଘୋଷଣାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।
Kanak News is now on WhatsApp
Join and get latest news updates delivered to you via WhatsApp
ଚୌଦାରର ଏକ ନିର୍ବାଚନୀ ସଭାରେ ଏଭଳି ଘୋଷଣା କରି ଭୋଟରଙ୍କ ମନ ଜିଣିବାକୁ ଜୋରଦାର ଉଦ୍ୟମ କରିଛନ୍ତି ଧର୍ମେନ୍ଦ୍ର । ଏହାପୂର୍ବରୁ ବିଭିନ୍ନ ଦଳ ଗୁଡିକ ତରଫରୁ ନିର୍ବାଚନ ପାଇଁ ପ୍ରତିଶୃତିର ପାହାଡ ଛିଡା କରାଯାଉଥିବା ବେଳେ ଧର୍ମେନ୍ଦ୍ର ଏହି ଘୋଷଣା କରି ମାଷ୍ଟରଷ୍ଟ୍ରୋକ ମାରିଛନ୍ତି । ବିଜେପି ସରକାର ଆସିଲେ ୧ ଟଙ୍କାରେ ୫ କିଲୋ ଚାଉଳ, ୫୦୦ ଗ୍ରାମ ଲେଖାଏଁ ଲୁଣ ଓ ଡାଲି ଦେବାକୁ ଧର୍ମେନ୍ଦ୍ର ଘୋଷଣା କରିଛନ୍ତି । ଖାଦ୍ୟ ସୁରକ୍ଷା ଯୋଜନାରେ ଅର୍ନ୍ତଭୁକ୍ତ ଥିବା ୩.୨୬ କୋଟି ହିତାଧିକାରୀ ଉପକୃତ ହେବେ ବୋଲି ଧର୍ମେନ୍ଦ୍ର କହିଛନ୍ତି ।
ଏହାଛଡା ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା ମାସକୁ ୩ ହଜାର ଟଙ୍କ, ସବୁ ମେଧାବୀ ପିଲାଙ୍କୁ ସ୍କୁଟି, ପ୍ରତି ସହରରେ ଯୁକ୍ତ ୩ କଲେଜ ଖୋଲାଯିବ ବୋଲି ଭୋଟରଙ୍କ ଆଗରେ ପ୍ରତିଶୃତିର ପାହାଡ ଛିଡା କରିଛନ୍ତି ଧର୍ମେନ୍ଦ୍ର । ଏସବୁ ବ୍ୟତୀତ ପ୍ରତି ଘରକୁ ୨୪ ଘଣ୍ଟା ବିଜୁଳି ଓ ପାନୀୟ ଜଳର ବ୍ୟବସ୍ଥା କରାଯିବ । ଅଙ୍ଗନବାଡି କର୍ମୀଙ୍କୁ ମାସିକ ଦରମା ୧୫ ହଜାର ଟଙ୍କା ଓ ସରକାରକୁ ଆସିବାର ୨ ବର୍ଷ ମଧ୍ୟରେ ଫାଙ୍କା ପଡିଥିବା ସମସ୍ତ ପଦବୀ ପୂରଣ କରାଯିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ।