ସ୍ୱଳ୍ପ ସଂଚୟ ଯୋଜନାରେ ସୁଧ ହାର କମାଇଲା ଅର୍ଥ ମନ୍ତ୍ରାଳୟ  ।  ଗ୍ରାହକଙ୍କ  ଚିନ୍ତା ବଢାଇଲେ କେନ୍ଦ୍ର ସରକାର । 

46

କନକ ବ୍ୟୁରୋ : ଜାତୀୟ ସଞ୍ଚୟ ସାର୍ଟିଫିକେଟ (ଏନଏସସି) ଓ ପିପିଏଫ ଭଳି ସ୍ୱଳ୍ପ ସଞ୍ଚୟ ସ୍କିମର ସୁଧ ହାରରେ ୦.୨୦% ହ୍ରାସ କରାଯାଇଛି। ଜାନୁଆରି-ମାର୍ଚ ଅବଧି ପାଇଁ ସୁଧ ହାରରେ ସରକାର ଏହି ପରିବର୍ତନ ଆଣିଛନ୍ତି। ସେହି ସମୟରେ ପାଞ୍ଚ ବର୍ଷିଆ ବରିଷ୍ଠ ନାଗରିକ ସଞ୍ଚୟ ସ୍କିମର ସୁଧ ହାରକୁ ୮.୩%ରେ ଅପରିବର୍ତିତ ରଖାଯାଇଛି।

ଏହି ସ୍କିମରେ ସୁଧ ହାର ପ୍ରତି ତିନି ମାସରେ ଥରେ ଲେଖାଏଁ ପ୍ରଦାନ କରାଯାଉଛି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ଏନଏସସି, ସୁକନ୍ୟା ସମୃଦ୍ଧି ଆକାଉଣ୍ଟ, ପିପିଏଫ୍ ଏବଂ କିସାନ ବିକାଶ ପତ୍ର ଆଦି ଉପରେ ସୁଧ ହାର ହ୍ରାସ କରାଯାଇଛି। ମାତ୍ର ସଞ୍ଚୟ ଜମା ଉପରେ ସୁଧ ହାରକୁ ୪%ରେ ଅପରିବର୍ତିତ ରଖାଯାଇଛି। ଚଳିତ ବର୍ଷ ଏପ୍ରିଲ ପରଠାରୁ ପ୍ରତି ତିନି ମାସରେ ଥରେ ଲେଖାଏଁ ସ୍ୱଳ୍ପ ସଞ୍ଚୟ ସ୍କିମର ସୁଧ ହାରରେ ସଂଶୋଧନ କରାଯାଉଛି। ଆଗାମୀ ଦିନରେ ପିପିଏଫ ଉପରେ ୭.୬%, କେଭିପି ଉପରେ ୭.୩% ସୁଧ ମିଳିବ।

ସେହିପରି ସୁକନ୍ୟା ସମୃଦ୍ଧି ଆକାଉଣ୍ଟରେ ୮.୩% ବଦଳରେ ୮.୧% ସୁଧ ମିଳିବ। ଏକରୁ ପାଞ୍ଚ ବର୍ଷିଆ ମିଆଦୀ ଜମା ଉପରେ ୬.୬-୭.୪%ର ସୁଧ ମିଳିବ। ପାଞ୍ଚ ବର୍ଷିଆ ଆରଡି ଉପରେ ୬.୯%ର ସୁଧ ମିଳିବ। ସ୍ୱଳ୍ପ ସଞ୍ଚୟ ସ୍କିମର ସୁଧ ହାର କମ କରାଯାଇଥିବାରୁ ଆଗାମୀ ଦିନରେ ବ୍ୟାଙ୍କଗୁଡ଼ିକ ମଧ୍ୟ ଜମା ସୁଧ ହାର ହ୍ରାସ କରିପାରନ୍ତି ବୋଲି ଅନୁମାନ କରାଯାଉଛି।