କିଏ କହୁଛି ସତ ? ରେଳବାଇ ନା ରାଜ୍ୟ ସରକାର, ତୁ ତୁ ମେଁ ମେଁ ଭିତରେ ଝୁଲୁଛି ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ

40

କନକ ବ୍ୟୁରୋ : ଓଡ଼ିଶାର ସ୍ୱପ୍ନର ପ୍ରକଳ୍ପ କୁହାଯାଉଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ନେଇ କିଏ କହୁଛି ସତ ? ରାଜ୍ୟ ସରକାର ନା’ ପୂର୍ବତଟ ରେଳବାଇ? ରାଜ୍ୟ ସରକାର ଦାବି କରୁଛନ୍ତି- ପ୍ରକଳ୍ପ ପାଇଁ ଜମି ଯୋଗାଇ ଦେଇଛନ୍ତି । ଅନ୍ୟପଟେ ପ୍ରେସ୍ ରିଲିଜ୍ ଜରିଆରେ ପୂର୍ବତଟ ରେଳବାଇ କହୁଛି-ଜମି ଅଧିଗ୍ରହଣ ସମସ୍ୟା ଯୋଗୁଁ ଖୋର୍ଦ୍ଧା-ବଲାଙ୍ଗିର ବିଳମ୍ବ ହେଉଛି ପ୍ରକଳ୍ପ, ବଢୁଛି ଅଟକଳର ପରିମାଣ । ଆଉ ଏହାରି ଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ୱିଟ୍ ସୃଷ୍ଟି କରିଛି ନୂଆ ରାଜନୈତିକ ଝଡ଼ ।

railwayକିଏ କହୁଛି ସତ ? କିଏ ବୁଲାଉଛି ଭୁଆଁ ? ଦୁଇଦିନ ପୂର୍ବେ ବିଜେଡି ବିଧାୟକ ଅରୁଣ ସାହୁ ଦେଇଥିବା ବୟାନ ପରେ ଆଜି ପୂର୍ବତଟ ରେଳବାଇ ଜାରି କରିଛି ପ୍ରେସ ରିଲିଜ । ଏଥିରେ ସ୍ୱଷ୍ଟ ଦର୍ଶାଯାଇଛି ଯେ, ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପ ପାଇଁ ଏକ ମାତ୍ର ପ୍ରତିବନ୍ଧକ ହେଉଛି ଜମି ଅଧିଗ୍ରହଣ । ଦୁଇଦିନ ପୂର୍ବରୁ ଶାସକ ବିଜେଡି ବିଧାୟକ ଦେଇଥିବା ବୟାନର ଏହା ସମ୍ପୂର୍ଣ୍ଣ ଓଲଟା । କାରଣ ବିଧାୟକ ଅରୁଣ ସାହୁ ଦୁଇଦିନ ପୂର୍ବେ କହିଥିଲେ, ରେଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ସମସ୍ତ ଜମି ଯୋଗାଇ ଦେଇଛନ୍ତି । କିନ୍ତୁ ରେଳ ବିଭାଗ ଖୁବ ମନ୍ଥର ଗତିରେ କାମ କରୁଛି । ତେବେ ପୂର୍ବତଟ ରେଳ ବିଭାଗର ସ୍ପଷ୍ଟୋକ୍ତି ପରେ ପୁଣିଥରେ ବୟାନ ବଦଳାଇଛନ୍ତି ଅରୁଣ । ରାଜ୍ୟ ସରକାର ଭିତିଭୂମି ପାଇଁ ସବୁ କିଛି ଯୋଗାଇ ଦେଇଥିବା କହୁଥିବା ଅରୁଣ ସାହୁ ଆଜି କହିଛନ୍ତି-ଯେତିକି ଜମି ଦିଆ ହୋଇଛି ସେତିକିରେ ପ୍ରଥମେ କାମ ସାର ।

ଓଡ଼ିଶାର ବିଭିନ୍ନ ରେଳ ପ୍ରକଳ୍ପ ନେଇ ଦିଲ୍ଲୀରେ ବୈଠକ ପରେ ଧର୍ମେନ୍ଦ୍ର ଟ୍ୱିଟ୍ କରି ଲେଖିଛନ୍ତି । ଜମି ଅଧିଗ୍ରହଣ ଏବଂ ପରିବେଶ ମଂଜୁରୀ ଯୋଗୁଁ ଅଟକି ରହୁଛି ବହୁ ରେଳ ପ୍ରକଳ୍ପ । କିନ୍ତୁ ପ୍ରଶ୍ନ ଉଠୁଛି, କେନ୍ଦ୍ର ପରିବେଶ ମଂଜୁରୀ ଦେବାକୁ ଥିବା ବେଳେ,ଏଥିରେ ବିଳମ୍ବ କାହିଁକି ହେଉଛି? ପ୍ରକଳ୍ପକୁ ନେଇ ହେଉଛି କି ରାଜନୀତି? ଦିଲ୍ଲୀରେ ସମୀକ୍ଷା ହେଉଛି, ହେଲେ ଓଡିଶା ଅଧିକାରୀ ଲୋଡା ପଡୁନାହାନ୍ତି । ବଲ୍ ରାଜ୍ୟ କୋର୍ଟକୁ ଫଙ୍ଗି କଣ ପ୍ରମାଣ ଦେଉଛି ପୂର୍ବତଟ ରେଳବାଇ? ଧର୍ମେନ୍ଦ୍ର କରୁଛନ୍ତି କି ରାଜନୀତିର ଗୋଟିଚାଳନା?

vlcsnap-2017-12-02-20h05m45s059ତେବେ ରେଳ ପ୍ରକଳ୍ପରେ ହେଉଥିବା ବିଳମ୍ବ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛି କଂଗ୍ରେସ । ସମୟ ଗଡୁଛି, ଅଟକଳ ବଢୁଛି ।୨୦୨୧ ସୁଦ୍ଧା ରେଳ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବା ପାଇଁ ଟାର୍ଗେଟ୍ ଥିବା ବେଳେ ବିଭିନ୍ନ କାରଣରୁ ଅଟକି ରହିଛି ଏହି ରେଳ ପ୍ରକଳ୍ପର କାମ ।  ଯେତେବେଳେ ସୁରେଶ ପ୍ରଭୁ ଖୋର୍ଦ୍ଧାରୁ ରାଜସୁନାଖଳାକୁ ଟ୍ରେନ୍ ଚଳାଚଳ ନେଇ ସବୁଜ ପତାକା ଉଡାଉଥିଲେ, ଲାଗୁଥିଲା ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ଭାଗ୍ୟବଦଳିଯିବ । ରେଳ ଦେଖିନଥିବା ଅନେକ ଜିଲ୍ଲାର ଲୋକ ରେଳ ସେବା ପାଇବେ ଏବଂ ନିର୍ଦ୍ଧାରିତ ସୀମା ଭିତରେ ପ୍ରସ୍ତୁତ ହୋଇଯିବ ଓଡ଼ିଶାର ଏକ ସ୍ୱପ୍ନର ରେଳ ପ୍ରକଳ୍ପ । ହେଲେ ଏହାକୁ ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଏବଂ ପୂର୍ତତଟ ରେଳବାଇ ଜାରି କରିଥିବା ପ୍ରେସ୍ ରିଲିଜ୍ ପୁଣି ଥରେ ଖୋର୍ଦ୍ଧା-ବଲାଙ୍ଗୀର ପ୍ରକଳ୍ପକୁ ଏକ ଅନିଶ୍ଚିତତା ଆଡକୁ ଠେଲି ନେଉଛି ।