ଦୁଇଟି ଝିଅ ଗୋଟିଏ ଦେହ ! କଟକ ଶିଶୁଭବନରେ ନୟାଗଡର ଯୋଡ଼ା ପେଟ ଶିଶୁ, ଚିକିତ୍ସା ପାଇଁ ସମସ୍ତ ସହାୟତା ଦେବାକୁ ପ୍ରତିଶ୍ରୁତି ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ

44

କନକ ବ୍ୟୁରୋ : ଦିଲ୍ଲୀ ଏମ୍ସରେ କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁ ଜଗା ବଳିଆଙ୍କ ସ୍ୱାସ୍ଥ୍ୟରେ ସୁଧାର ନେଇ ଖୁସି ଭିତରେ ଏବେ ପୁଣି ଯୋଡ଼ା ପେଟ ଶିଶୁଙ୍କୁ ନେଇ ଚର୍ଚ୍ଚା । ଗତକାଲି ନୟାଗଡ଼ରେ ଜନ୍ମ ନେଇଥିବା ଯାଆଁଳା ଶିଶୁକନ୍ୟାଙ୍କ ପେଟ ଓ ଛାତି ଯୋଡି ହୋଇରହିଛି । କଟକ ଶିଶୁଭବନରେ ୧୨ ଜଣିଆ ଡାକ୍ତରୀ ଦଳ ସେମାନଙ୍କ ଚିକିତ୍ସାରେ ଲାଗିଛନ୍ତି । ତେବେ ଏସବୁ ଭିତରେ ରାଜ୍ୟ ସରକାର ବଢାଇଚନ୍ତି ସହାୟତାର ହାତ । ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଶିଶୁଭବନ ଯାଇ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି କହିଛନ୍ତି ।

 JODA SISUକନ୍ଧମାଳର ଯୋଡାମୁଣ୍ଡ ଶିଶୁଙ୍କ ପରେ ନୟାଗଡ଼ର ଯୋଡ଼ା ପେଟ ଶିଶୁ । ଦୁଇ ଶିଶୁ କନ୍ୟାଙ୍କ ପେଟ ଓ ଛାତି ଯୋଡି ହୋଇରହିଛି । କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁଙ୍କ ପରେ ଏବେ ନୟାଗଡ଼ର ଏହି ଯୋଡ଼ା ପେଟ ଶିଶୁଙ୍କୁ ନେଇ ଚର୍ଚ୍ଚା । କଟକ ଶିଶୁଭବନରେ ଜୀବନ ସହ ସଂଘର୍ଷ କରୁଛନ୍ତି ଯୋଡ଼ା ପେଟ ଶିଶୁ । ୧୨ ଜଣିଆ ଡାକ୍ତରୀ ଦଳ ସେମାନଙ୍କ ଚିକିତ୍ସା କରୁଛନ୍ତି ।ଏବେ ଶିଶୁଭବନର ନ୍ୟୁ ବର୍ନ ୱାର୍ଡରେରେ ଯାଆଁଳା ଶିଶୁଙ୍କର ଚିକିତ୍ସା ଚାଲିଛି । ମେଡିସିନ୍, କାର୍ଡିଓଲଜି, ସର୍ଜରୀ, ପେଡିଆଟିକ୍ ଡାକ୍ତରଙ୍କ ଏକ ଟିମ୍ ଗଠନ କରାଯାଇ ସେମାନଙ୍କ ସ୍ୱାସ୍ଥ୍ୟଉପରେ ନଜର ରଖାଯାଇଛି । ଏବେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିବା କହିଛନ୍ତି ଡାକ୍ତର । ପ୍ରଥମେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା କିପରି ନର୍ମାଲ ହେବ, ଏ ନେଇ ଚିକିତ୍ସା ଜାରି ରଖିଛନ୍ତି ଡାକ୍ତର । ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବା ପରେ ଅପରେସନ୍ କରି ଅଲଗା କରିବାକୁ ପଦକ୍ଷେପ ନିଆଯିବ ବୋଲି ଶିଶୁଭବନ ପକ୍ଷରୁ କୁହାଯାଇଛି ।

ଏହି ଘଟଣା ରାଜ୍ୟ ସରକାରଙ୍କ ନଜରକୁ ଆସିବା ପରେ ସାହାଯ୍ୟର ହାତ ବଢାଇଛନ୍ତି ସରକାର । ଖୋଦ୍ ସ୍ୱାସ୍ଥ୍ର୍ୟମନ୍ତ୍ରୀ ପ୍ରତାପ ଜେନା ଶିଶୁଭବନ ଯାଇ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଚିକିତ୍ସା ପାଇଁ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଆବଶ୍ୟକ ପଡିଲେ ବାହାରୁ ବିଶେଷଜ୍ଞ ଡାକ୍ତରଙ୍କୁ ଅଣାଯିବ, ଏପରିକି ଅତି ଆବଶ୍ୟକ ହେଲେ ରାଜ୍ୟ ବାହାରକୁ ପଠାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।

ଶୁକ୍ରବାର ଦିନ ନୟାଗଡ଼ର ଏକ ଘରୋଇ ହସପିଟାଲରେ ଜନ୍ମ ନେଇଛନ୍ତି ଏହି ଯାଆଳାଁ ଶିଶୁକନ୍ୟା । ଦୁଇ ଶିଶୁଙ୍କ ପେଟ ଛାତି ଲାଗିଥିବା ଦେଖି ସେମାନଙ୍କୁ କଟକ ଶିଶୁଭବନକୁ ରେଫର କରିଦିଆଯାଇଥିଲା । ତେବେ ନିଜର ଦୁଇ ଛୁଆଙ୍କୁ ଯୋଡି ହୋଇ ଜନ୍ମ ହୋଇଥିବା ଦେଖି ଦୁଃଖର ପାହାଡ ଓଜାଡି ହୋଇପଡିଛି ମାଆ ସୁମିତ୍ରା ଓ ବାପା ଅଶୋକ କୁମାର ଦତଙ୍କ ଉପରେ । ଜଗା ବଳିଆଙ୍କ ଭଳି ତାଙ୍କର ଦୁଇ ଝିଅଙ୍କ ଚିକିତ୍ସା ଲାଗି ସରକାରଙ୍କ ସହାୟତାକୁ ଅନେଇ ବସିଛନ୍ତି ବାପାମାଆ ।