ଏ କେମିତିକା ବାପା! ସାଙ୍ଗକ ସହ ମିଶି ନିଜ ଝିଅ ସହ କଲା ଦୁଷ୍କର୍ମ, ଥାନାରେ ଅଭିଯୋଗ କଲେ ମା’

48

କନକ ବ୍ୟୁରୋ : ନିଜ ଜନ୍ମକଲା ଝିଅକୁ ବାପାର ଦୁଷ୍କର୍ମ ଅଭିଯୋଗ । ଏଭଳି ଏକ ଚାଂଚଲ୍ୟକର ଘଟଣା ସମ୍ପର୍କରେ ଅଭିଯୋଗ ଆସିଛି କଟକ ଜିଲ୍ଲା ଚୌଦ୍ୱାର ଅଂଚଳରୁ । କଟକ ଅତିରିକ୍ତ ଡିସିପିଙ୍କ ପାଖରେ ଏ ସଂପର୍କରେ ଅଭିଯୋଗ କରିଛନ୍ତି ନାବାଳିକାର ମାଆ । ଏହି ଘଟଣା ଡେରାଡୁନରେ ଘଟିଥିବାରୁ ଏବଂ ସେଠାରେ ରାଇଗଡ ଥାନାରେ ପୂର୍ବରୁ ମାମଲା ରୁଜୁ କରାଯାଇଥିବାରୁ ଏଠାରେ ଏତଲା ରୁଜୁ କରାଯାଇ ନାହିଁ । ତେବେ ପୋଲିସ ଘଟଣା ସମ୍ପର୍କରେ ତଦନ୍ତ ଚଳାଇଛି ।

ପୀଡିତାର ମାଆଙ୍କ ଅଭିଯୋଗ ଅନୁଯାୟୀ ଡେରାଡୁନରେ ରହୁଥିବା ବେଳେ ତାଙ୍କ ୯ ବର୍ଷର ଝିଅ ନିଜ ବାପାଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଛି । ତାଙ୍କ ସ୍ୱାମୀ ଝିଅକୁ ସ୍କୁଲ ନେବା ବାଟରେ ଜଣେ ସାଙ୍ଗ ଘରକୁ ନେଇ ଦୁଷ୍କର୍ମ କରିଥିଲେ । ପରେ ତାଙ୍କ ସ୍ୱାମୀ, ସାଙ୍ଗ ସହ ମିଶି ଝିଅକୁ ବାରମ୍ବାର ଦୁଷ୍କର୍ମ କରିବା ସହ କାହାକୁ କହିଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି । ପ୍ରଥମେ ସେ ଡେରାଡୁନର ରାଇଗଡ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ କାର୍ଯ୍ୟାନୁଷ୍ଠାନ ନେବାରେ ବିଳମ୍ବ କରିବାରୁ ତାଙ୍କ ସ୍ୱାମୀ ଓ ସାଙ୍ଗ ଫେରାର ହୋଇଯାଇଥିଲେ ବୋଲି କହିଛନ୍ତି ପୀଡିତାଙ୍କ ମା’ ।