ବୋହୂକୁ ଶ୍ୱଶୁରର ଦୁଷ୍କର୍ମ ଉଦ୍ୟମ ! ପୁଲିସ୍ ଜାଲରେ ପଡିଲା ରାଇରଙ୍ଗପୁରର ରାକ୍ଷସ

51

କନକ ବ୍ୟୁରୋ :  ଏ ଏପରି ଏକ ବିଭତ୍ସ କାହାଣୀ, ଯାହା ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ସଭ୍ୟ ସମାଜର ଅସଭ୍ୟ ଚିତ୍ର ଦେଖିଲେ ମନରେ ଘୃଣା ଭାବ ସୃଷ୍ଟି ହେବ । ଝିଅ ସମାନ ନିଜ ବୋହୂକୁ ପାଶବିକ ନିର୍ଯାତନା ପରେ ପ୍ରମାଣ ନଷ୍ଟ ପାଇଁ ଅସୁର ବନିଯାଇଥିଲା ଶ୍ୱଶୁର । ନିଆଁ ଲଗାଇ ପୋଡି ମାରି ଦେବାକୁ ଉଦ୍ୟମ କରିଥିବା ଭଳି ସଂଗୀନ ଅଭିଯୋଗ ଆସିଛି ସଇତାନ ରୂପୀ ଶ୍ୱଶୁର ବିରୋଧରେ । ଘଟଣା ପରେ ରାକ୍ଷସ ଶ୍ୱଶୁର ଫେରାର୍ ହୋଇଯାଇଥିଲା । ସଦ୍ୟ ମିଳିଥିବା ଖବର ଅନୁସାରେ ଶ୍ୱଶୁର ଗୋପାଲ ଖେମକାକୁ ରାଇରଙ୍ଗପୁର ପୁଲିସ୍ ଜାମସେଦପୁରରୁ ଗିରଫ କରିଛି।

ପୁରା ଘଟଣା ଥିଲା ଏହିପରି –
ମୃତ୍ୟୁ ସହ ସଂଗ୍ରାମ କରୁଥିବା ଏହି ପୀଡିତାଙ୍କ ନାଁ ଶିଖା ( ଛଦ୍ମନାମ) । ସମ୍ମାନ ଓ ସୁରକ୍ଷା ଦୃଷ୍ଟିରୁ ଆମେ ଛଦ୍ମ ନାଁ ବ୍ୟବହାର କରୁଛୁ । ୩ ବର୍ଷ ତଳେ ସୁନ୍ଦରଗଡ଼ର ଶିଖା ବିବାହ କରିଥିଲେ ରାଇରଙ୍ଗପୁରର ଗୋପାଳ ଖେମକାଙ୍କ ପୁଅଙ୍କୁ । ସ୍ୱାମୀ ଓ ଶିଶୁପୁତ୍ର ସହ ବେଶ୍ ଖୁସିରେ କଟୁଥିଲା ଶିଖାଙ୍କ ଜୀବନ । ତେବେ ଶିଖାଙ୍କ ପରିବାର ଲୋକଙ୍କ ଅଭିଯୋଗ, ବୋହୂ ଉପରେ ପଡିଥିଲା ଗୋପାଳ ଖେମକାଙ୍କ ଲୋଲୁପ ନଜର ।

ଶିଖା ତାଙ୍କ ପରିବାର ଲୋକଙ୍କ ସହ କରିଥିବା ଚାଟିଂରେ କହିଥିଲେ । ତାଙ୍କ ଉପରେ ଶ୍ୱଶୁର ଖରାପ ନଜର ପକାଇବା ସହ ଶାରୀରିକ ସଂପର୍କ ପାଇଁ କିପରି ବାଧ୍ୟ କରୁଥିଲେ, ସବୁ ଜଣାଇଥିଲେ ଭାଇ-ଭାଉଜଙ୍କୁ । ସ୍ୱାମୀଙ୍କୁ ମଧ୍ୟ ନିଜ ଦୁଃଖ କାହାଣୀ ଜଣାଇଥିଲେ ଶିଖା । ମାତ୍ର ପ୍ରବଳ ପ୍ରତାପୀ ଶ୍ୱଶୁର ଗୋପାଳ ଖେମକା ବିରୋଧରେ କେହି କିଛି କରିବାକୁ ସାହସ ଜୁଟାଇପାରିନଥିଲେ । ଶେଷରେ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ କରିଥିଲା ଜହ୍ଲାଦ ଶଶୁର । ନିଜ ପାପକୁ ଲୁଚାଇବା ପାଇଁ ବୋହୂ ଦେହରେ କିରୋସିନ ଢାଳି ନିଆଁ ଲଗାଇ ମାରିବାକୁ କରିଥିଲା ଉଦ୍ୟମ ।

ଟାଟା ମେମୋରିଆଲ୍ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ପୀଡିତା । ତାଙ୍କ ଶରୀରର ୭୫ ପ୍ରତିଶତ ପୋଡିଯାଇଛି । ପରିବାର ଲୋକଙ୍କ ଲିଖିତ ଅଭିଯୋଗ ପରେ ୪୯୮ଏ, ୩୦୭, ୩୭୬, ୫୦୬, ୨୦୧, ୩୪ ଆଇପିସି ଧାରାରେ ମାମଲା ରୁଜୁ କରି ତଦନ୍ତ କରିଛି ରାଇରଙ୍ଗପୁର ଟାଉନ ଥାନା ।