ମଣ୍ଡିରୁ ଉଠି ପାରୁନି ଧାନ: କଳାହାଣ୍ଡିରେ ମିଲରଙ୍କ ମନମୁଖୀ କାରବାର,କଟନି ଛଟନିକୁ ଚାଷୀଙ୍କ ବିରୋଧ

ଅଟକି ଯାଇଛି ଧାନ ଉଠାଣ

73

କନକ ବ୍ୟୁରୋ : ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଜାରି ରହିଛି । ଜିଲ୍ଲାର ବିଭିନ୍ନ ବ୍ଲକରେ ମଣ୍ଡି ଖୋଲି ସରକାର ଧାନ ସଂଗ୍ରହ କରୁଛନ୍ତି । ତେବେ କଳାହାଣ୍ଡି ଜିଲ୍ଲା ମଣ୍ଡିରେ କିଭଳି ଧାନ କିଣା ବିକା ଚାଲିଛି ଓ ଶୀତ, କାକରରେ ରାତି ଅନିଦ୍ରା ହୋଇ ଧାନ ଜଗିଛି ତାରା ଅନୁସନ୍ଧାନ କରିଛି କନକ ନ୍ୟୁଜ୍ । ସେପଟେ ନବରଙ୍ଗପୁରରେ ଜିଲ୍ଲାରେ ଦୁଇ ଦିନ ଧରି ଲଘୁଚାପ ବର୍ଷା ହେବା କାରଣରୁ ଚାଷୀ ଖଳାରେ ରଖିଥିବା ଧାନରେ ପାଣି ପଶି ନଷ୍ଟ ହୋଇଛି । ଦେଖିବା ଆମର ଏହି ରିପୋର୍ଟ ।

ଶୀତ କାକର ଏବଂ ଲଘୁଚାପ ଜନିତ ବର୍ଷାରେ ଖୋଲା ଆକାଶ ତଳେ ପଡି ରହିଛି ଶହଶହ ବସ୍ତା ଧାନ । ଏ ହେଉଛି କଳାହାଣ୍ଡି କଲମପୁର ବ୍ଲକ ଦୁଲକିବନ୍ଧ ମଣ୍ଡିର ଚିତ୍ର । ବିକ୍ରି ପାଇଁ ଆଣିଥିବା ଧାନ ବସ୍ତାକୁ ଲାଟ୍ ମାରି ପଲିଥିନ୍ ଘୋଡାଇ ରାତି ଅନିଦ୍ରା ହୋଇ ଜଗି ରହିଛନ୍ତି ଚାଷୀ । ହେଲେ ଓଜନ ବେଳେ କଟନି ଛଟନିକୁ ଚାଷୀଙ୍କ ବିରୋଧ ଓ ଯାଗାଣ ଅଧିକାରୀ, ମିଲର୍ସଙ୍କ ଲାଭଖୋର ମନବୃତି ଯୋଗୁଁ  ଗତ ଶୁକ୍ରବାରଠାରୁ ଧାନ ବିକ୍ରି ପାଇଁ ଟୋକନ୍ ଦିଆଯାଇଥିଲେ ହେଁ ଏଯାଏଁ ମଣ୍ଡିରୁ ଗୋଟିଏ ବି ଧାନ ଉଠି ନଥିବା କହିଛନ୍ତି ଚାଷୀ ।

ସେପଟେ ତିତଲି ବର୍ଷା ପରେ ଅଂଟା ସଳଖି ଛିଡା ହେବାକୁ ଚେଷ୍ଟା କରୁଥିବା ଚାଷୀ ଉପରେ ଦାଉ ସାଜିଛି ଅଦିନିଆ ଲଘୁଚାପ ଜନିତ ବର୍ଷା । ନବରଙ୍ଗପୁରରେ ନଷ୍ଟ ହୋଇଛି  ଅମଳ ଧାନ । ଅମଳ କରି ଖଳାରେ ରଖିଥିବା ଧାନ ବର୍ଷାରେ ଭିଜିଯାଇଛି । ଫଳରେ ଜମିରେ ଝାଳ ବୁହାଇ ଅମଳ କରିଥିବା ଧାନ ବିକ୍ରି ପାଇଁ ଆଶା ରଖିଥିବା ଚାଷୀ  ମୁଣ୍ଡରେ ଚଡକ ପଡିଛି । କେବଳ ଧାନ ଫସଲ ନୁହେଁ ମକା ଫସଲ ବି ବର୍ଷା ଯୋଗୁଁ ନଷ୍ଟ ହୋଇଛି । ତେବେ ଅଦିନିଆ ବର୍ଷା ଯୋଗୁଁ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଥିବା କଥା ସ୍ୱୀକାର କରିଛନ୍ତି ବିଭାଗୀୟ ଅଧିକାରୀ ।

 

ତେବେ ଭଲ ଧାନ ମଣ୍ଡିରେ ଦିନ ଦିନ ଧରି ପଡି ରହୁଥିବାବେଳେ ଓଦା ଧାନକୁ ନେଇ କଣ କରିବେ ଚାଷୀ ତାକୁ ନେଇ ଚିନ୍ତାରେ ପଡିଛି ଚଷାପୁଅ ।